ଓଡ଼ିଶାରେ ୪୨ ପ୍ରତିଶତ ମହିଳା ଶାରିରୀକ ଓ ଯୌନ ହିଂସାର ଶିକାର: ସଂଖ୍ୟାଧିକ ମହିଳା ଓ ଶିଶୁ କନ୍ୟା ପୁଷ୍ଟିହୀନତା ଓ ରକ୍ତହୀନତାରେ ପୀଡ଼ିତା

ଆମ ରାଜ୍ୟର ୧୫ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରୁ ୪୨ ପ୍ରତିଶତ ଶାରିରୀକ କିମ୍ବା ଯୌନଗତ ହିଂସାର ଶିକାର ହୋଇଛନ୍ତି । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ପ୍ରକାଶ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ।
ଓଡ଼ିଶାରେ ୬ ମାସରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଝିଅମାନଙ୍କ ଭିତରୁ ପ୍ରାୟ ଦୁଇତୃତୀୟାଂଶ ଅର୍ଥାତ୍ ୬୭ ପ୍ରତିଶତ ଏବଂ ପ୍ରତି ୧୦ ଜଣରେ ୬ ଜଣ ଅର୍ଥାତ୍ ୬୧ ପ୍ରତିଶତ ପ୍ରଜନନକ୍ଷମ ମହିଳା ରକ୍ତହୀନତା ଓ ପୁଷ୍ଟିହୀନତାରେ ପୀଡ଼ିତ ବୋଲି ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପୂର୍ବରୁ ମନ୍ତ୍ରୀ ସ୍ୱୀକାର କରିଥିଲେ ।
ହିଂସାର ଶିକାର ହେଉଥିବା ମହିଳାମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ଚାଲାଣରୁ ଉଦ୍ଧାର କରାଯାଉଥିବା ମହିଳାମାନଙ୍କ ଥଇଥାନ ନିମିତ୍ତ ଆମ ରାଜ୍ୟରେ ୨୯ଟି ଉଜ୍ଜାଲା ପ୍ରକଳ୍ପ କାର୍ଯ୍ୟ କରୁଛି । ଏହି ୨୯ଟି କେନ୍ଦ୍ର ମଧ୍ୟରୁ ୧୫ଟିରେ ପୁନର୍ବାସ ବ୍ୟବସ୍ଥା ରହିଛି । ରାଜ୍ୟରେ ୩୭ଟି ମାନବ ଚାଲାଣ ନିରୋଧ ୟୁନିଟ୍ ସ୍ଥାପନ କରାଯିବା ସହିତ ସେଲ୍ଟର ହୋମଗୁଡ଼ିକର ମାନ ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଘରୋଇ ହିଂସାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଘରୋଇ ହିଂସା ନିରୋଧ ଆଇନ୍-୨୦୦୫ କାର୍ଯ୍ୟକାରୀ ହୋଇଥିବା ବେଳେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସୁରକ୍ଷା ଅଧିକାରୀ ନିଯୁକ୍ତ କରାଯାଇଛି । କର୍ମକ୍ଷେତ୍ରରେ ଯୌନଗତ ହିଂସାର ଶିକାର ହେଉଥିବା ମହିଳାମାନଙ୍କ ସୁରକ୍ଷା ପାଇଁ ୨୦୧୩ର ସ୍ୱତନ୍ତ୍ର ଆଇନ୍ ଅନୁସାରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଅଭିଯୋଗ କମିଟି ଏବଂ ପ୍ରତ୍ୟେକ କର୍ମ କ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପରିପୂରକ ପୁଷ୍ଟିକର ଯୋଜନାରେ ୬ ମାସରୁ ୩ ବର୍ଷ ବୟସର ପୁଷ୍ଟହୀନ ଶିଶୁମାନଙ୍କୁ ମାସରେ ପିଲା ପିଛା ୬ କିଲୋ ଛତୁଆ ଓ ସପ୍ତାହକୁ ୨ଟି ସିଝା ଅଣ୍ଡା ସାଙ୍ଗକୁ ୧୦୦ ଗ୍ରାମ ଓଜନର ରାଶି ଲଡୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଯୋଗାଇ ଦିଆଯାଇଛି । ୩ରୁ ୬ ବର୍ଷର ପୁଷ୍ଟିହୀନ ଶିଶୁମାନଙ୍କୁ ମାସରେ ୨୫ ଦିନ ପାଇଁ ପ୍ରତ୍ୟେହ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି ଯେଉଁଥରେ ସପ୍ତାହକୁ ୩ ଦିନ ଗୋଟିକିଆ ଅଣ୍ଡା ତରକାରୀ ଓ ଦିନେ ସୋୟା ବଢ଼ି ତରକାରୀ ଯୋଗାଯାଉଛି । ଏହାଛଡ଼ା ଏହି ବୟସର ଶିଶୁମାନଙ୍କୁ ପାଇଁ ମାସିକ ଦୁଇ କିଲୋ ଛତୁଆ ଓ ସପ୍ତାହକୁ ୧୦୦ ଗ୍ରାମ୍ ରାଶି ଲଡ଼ୁ ମଧ୍ୟ ଦିଆଯାଉଛି । ଉକ୍ତ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ମାସରେ ୨୫ ଦିନ ପାଇଁ ହିତାଧିକାରୀ ପିଛା ୫ କିଲୋ କରି ଛତୁଆ ଓ ସପ୍ତାହରେ ୨ଟି ସିଝା ଅଣ୍ଡା ଦିଆଯିବା ବ୍ୟବସ୍ଥା ଅଛି । ଏହାବ୍ୟତୀତ ପୁଷ୍ଟିହୀନ ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କ ଅପପୁଷ୍ଟି ହ୍ରାସ ପାଇଁ ମମତା ଯୋଜନା, ଆଣ୍ଟିନାଟାଲ କେୟାର, ଭିଏଚ୍ଏନ୍ଡି, ଏନ୍ଓପି ଓ ଏନ୍ଏଚ୍ଇ ଆଦି କାର୍ଯ୍ୟକ୍ରମ ମାନ ଚାଲୁ ରହିଥିବା ମନ୍ତ୍ରୀ ସୂଚାଇଛନ୍ତି ।

Share in top social networks!