ଅବକାରୀ ବିଭାଗର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ବିଚାରାଧୀନ: ଗୋଟିଏ ହେଲେ ଗାଁକୁ ବି ସରକାର ନିଶାମୁକ୍ତ କରିନାହାନ୍ତି

ଅବକାରୀ ବିଭାଗ ଦ୍ୱାରା ରାଜ୍ୟରେ କୌଣସି ଗ୍ରାମକୁ ନିଶାମୁକ୍ତ ଘୋଷଣା କରାଯାଇନାହିଁ । ରଜ୍ୟ ବିଧାନସଭାରେ ଏହା ଉଲ୍ଲେଖ କରିଛନ୍ତି ଅବକାରୀ ମନ୍ତ୍ରୀ ଡା. ଦାମୋଦର ରାଉତ ।
୨୦୧୩ ଅପ୍ରେଲ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ଯୁବନୀତିରେ ଯୁବପିଢୀ ନିଶାର ଶିକାର ହେଉଥିବା ଘେନି ଉଦ୍‍ବେଗ ପ୍ରକାଶ କରାଯିବା ଏବଂ ଏ ପରିପ୍ରେକ୍ଷୀରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ରାଜ୍ୟ ଯୁବନୀତିରେ ଘୋଷଣା କରାଯାଇଛି କି ଏବଂ ରାଜ୍ୟ ସରକାରଙ୍କ ଘୋଷିତ ଓଡ଼ିଶା ରାଜ୍ୟ ଯୁବନୀତି ଆଧାରରେ ଏଯାବତ୍‍ ଅବକାରୀ ବିଭାଗ ରାଜ୍ୟର କେତୋଟି ଗାଁକୁ ନିଶାମୁକ୍ତ କରିଛି ସେ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ଏକ ଅଣତାରକା ପ୍ରଶ୍ନ ମାଧ୍ୟମରେ ଅବକାରୀ ମନ୍ତ୍ରୀଙ୍କ ଠାରୁ ଉତ୍ତର ଚାହିଁଥିଲେ । ଏହାଛଡ଼ା ଅବକାରୀ ବିଭାଗ ଦ୍ୱାରା ନିଶାମୁକ୍ତ କରାଯାଇଥିବା ଗାଁଗୁଡ଼ିକର ନାମ ସହିତ ଜିଲ୍ଲାୱାରୀ ତାଲିକା ଉପସ୍ଥାପନ ଏବଂ ନିଶାମୁକ୍ତ ଗ୍ରାମଗୁଡ଼ିକୁ ଦିଆଯାଇଥିବା ପ୍ରୋତ୍ସାହନ ସମ୍ପର୍କରେ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ । ଏ ସବୁର ସଂକ୍ଷୀପ୍ତ ଉତ୍ତର ରଖି ଅବକାରୀ ବିଭାଗ ଦ୍ୱାରା ରାଜ୍ୟର କୌଣସି ଗ୍ରାମକୁ ନିଶାମୁକ୍ତ ଘୋଷଣା କରାଯାଇନାହିଁ ବୋଲି ମନ୍ତ୍ରୀ ଡାକ୍ତର ରାଉତ କହିଛନ୍ତି ।
ଅବକାରୀ ବିଭାଗର ନାମ ପରିବର୍ତ୍ତନ ପାଇଁ ବିଭାଗ ପକ୍ଷରୁ କେବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହି ପ୍ରସ୍ତାବ ଅନୁଯାୟୀ କେଉଁ ନାମରେ ଅବକାରୀ ବିଭାଗ ନାମିତ ହେବାକଥା ଓ କେଉଁଦିନ ଠାରୁ ଏହି ନୂଆ ନାମକରଣ ହେବ ସେ ସଂକ୍ରାନ୍ତରେ ଶ୍ରୀ ରାୟ ଉଠାଇଥିବା ଅନ୍ୟ ପ୍ରଶ୍ନର ଉତ୍ତରରେ ଡ. ରାଉତ କହିଛନ୍ତି ଯେ ଅବକାରୀ ବିଭାଗର ନାମ ପରିବର୍ତ୍ତନ କରି ଏହାକୁ ନିବାରଣ ଏବଂ ଅବକାରୀ ବିଭାଗ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି ।

Share in top social networks!
Powered By Indic IME