ଓଡ଼ିଶାରେ କୋଟିଏ ଲୋକଙ୍କର ଆଧାର କାର୍ଡ ନାହିଁ

aadharଓଡ଼ିଶାରେ ପ୍ରାୟ କୋଟିଏ ଲୋକଙ୍କ ଆଧାର କାର୍ଡ ନାହିଁ । ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଯୁକ୍ତି ବିଦ୍ୟା ମାନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଏହା ଜଣାପଡ଼ିଛି ।
ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୧ର ଜନଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ୪,୧୯,୭୪,୨୧୮ ହୋଇଥିବା ବେଳେ ଏଥିରୁ ୫ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ସଂଖ୍ୟା ୩,୮୪,୮୭,୬୪୭ । ୫ ବର୍ଷ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଆଧାର କାର୍ଡ କରିବା ବ୍ୟବସ୍ଥା ଥିବା ବେଳେ ଚଳିତ ମାସ ୯ ତାରିଖ ସୁଦ୍ଧା ଆମ ରାଜ୍ୟରେ ୩,୩୪,୪୫,୬୪୧ ଜଣ ଆଧାର ପାଇଁ ପଞ୍ଜୀକରଣ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୨,୯୪,୭୮,୯୪୭ ଜଣଙ୍କ ନାମରେ ଆଧାର କାର୍ଡ ପ୍ରସ୍ତୁତ ହୋଇଛି । ଅର୍ଥାତ୍ ଏହି ହିସାବ ଆଧାରରେ ଓଡ଼ିଶାର ପ୍ରାୟ ୯୦,୦୮,୭୦୦ ଲୋକଙ୍କ ପାଇଁ ଆଧାର କାର୍ଡ ପ୍ରସ୍ତୁତ ହୋଇନାହିଁ । ତେବେ ୨୦୧୧ ମସିହାରେ ଯେତେ ଲୋକଙ୍କ ବୟସ ୫ ବର୍ଷ କିମ୍ବା ତଦୁର୍ଦ୍ଧ ଥିଲା ୨୦୧୫ ବେଳକୁ ୪ ବର୍ଷ ବ୍ୟବଧାନରେ ଏହି ସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଥିବ ବୋଲି ବେସରକାରୀ ଭାବେ ଅନୁମାନ କରାଯାଉଥିବା ବେଳେ ବାସ୍ତବରେ ଏବେ ଆମ ରାଜ୍ୟରେ ୫ବର୍ଷ ବୟସରୁ ଅଧିକ ଯେତେ ଲୋକ ଅଛନ୍ତି ସେମାନଙ୍କ ଭିତରୁ ପ୍ରାୟ କୋଟିଏ ଲୋକଙ୍କ ପାଇଁ ଏଯାବତ୍ ଆଧାର କାର୍ଡ ପ୍ରସ୍ତୁତ ହୋଇପାରିନାହିଁ ବୋଲି ବିଧାୟକ ଶ୍ରୀ ରାୟ ଆଶଙ୍କା ପ୍ରକାଶ କରୁଛନ୍ତି ।
ସରକାରୀ ହିସାବ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ପ୍ରାୟ ୨୩ ଲକ୍ଷ ଲୋକଙ୍କ ଲାଗି ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଥିବା ବେଳେ କଟକରେ ୨୧ଲକ୍ଷ, ଖୋର୍ଦ୍ଧାରେ ୧୯ ଲକ୍ଷ, ବାଲେଶ୍ୱରରେ ୧୭ଲକ୍ଷ, ସୁନ୍ଦରଗଡ଼ରେ ୧୪ଲକ୍ଷ, ପୁରୀରେ ୧୩ଲକ୍ଷ, ମୟୂରଭଞ୍ଜରେ ୧୭ ଲକ୍ଷ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଅନୁଗଳ ଜିଲ୍ଲାରେ ୧୦ଲକ୍ଷରୁ ଅଧିକ କରି, ବଲାଙ୍ଗୀରରେ ୧୨ଲକ୍ଷ ଲୋକଙ୍କ ଲାଗି ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଛି । ଅନ୍ୟ ସବୁ ଜିଲ୍ଲା ପାଇଁ ପ୍ରସ୍ତୁତ ହୋଇଥିବା ଆଧାର କାର୍ଡ ସଂଖ୍ୟା ୧୦ଲକ୍ଷରୁ କମ୍ କରି ରହିଛି । ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୨,୩୯,୪୩୩ଟି ଆଧାର କାର୍ଡ ପ୍ରସ୍ତୁତ ହୋଇଛି ।
ଗଞ୍ଜାମ ଜିଲ୍ଲା ପାଇଁ ଆଉ ପ୍ରାୟ ୧୦ଲକ୍ଷ ଆଧାର କାର୍ଡ ପ୍ରସ୍ତୁତ ହେବାର ଆବଶ୍ୟକତା ଥିବା ବେଳେ କେନ୍ଦୁଝର ପାଇଁ ୭ଲକ୍ଷ, ମୟୂରଭଞ୍ଜ ପାଇଁ ୬ଲକ୍ଷ, କଳାହାଣ୍ଡି ପାଇଁ ୫ ଲକ୍ଷ, ବାଲେଶ୍ୱର, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ସାଢ଼େ ୪ଲକ୍ଷ କରି ନୂଆ ଆଧାର କାର୍ଡର ଆବଶ୍ୟକତା ଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି ପାଇଁ ଆଉ ମୋଟେ ୨୩,୫୯୬ ଆଧାର କାର୍ଡର ଆବଶ୍ୟକତା ଥିବା ବେଳେ ଦେବଗଡ଼ ପାଇଁ ୪୩ହଜାର, ବୌଦ୍ଧ ପାଇଁ ୬୮ ହଜାର ଓ ଝାରସୁଗୁଡ଼ା ପାଇଁ ୮୨ହଜାର କାର୍ଡର ଆବଶ୍ୟକତା ରହିଛି ।
ଚଳିତ ବର୍ଷ ନଭେମ୍ବର ୧୫ ସୁଦ୍ଧା ୯୦ଲକ୍ଷରୁ ଊଦ୍ଧ୍ୱର୍ ଆଧାର କାର୍ଡ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜନଗଣନା ନିଦେ୍ର୍ଧଶାଳୟ ଦ୍ୱାରା ପ୍ରଦତ୍ତ ଜିଲ୍ଲାୱାରୀ ତଥ୍ୟକୁ ଆଧାର କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Share in top social networks!