ସରକାରୀ ଇଞ୍ଜିନିୟରିଂ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବ୍ୟାପକ ପଦବୀ ଖାଲି: ବୈଷୟିକ ଶିକ୍ଷା ଗୁରୁତର ଭାବେ ବ୍ୟାହତ

ଶିକ୍ଷକ ଓ କର୍ମ•ରୀ ଅଭାବରୁ ରାଜ୍ୟ ସରକାରଙ୍କ ପରି•ଳନାଧିନ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ସରକାରୀ ଇଞ୍ଜିନିୟରିଂ କଲେଜ, ଇଞ୍ଜିନିୟରିଂ ସ୍କୁଲ ଓ ପଲିଟେକ୍ନିକ୍ଗୁଡ଼ିକରେ ପାଠପଢ଼ା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ଉଠାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଯେଉଁ ତଥ୍ୟ ରଖିଛନ୍ତି ସେଥିରୁ ଏହା ଜଣାପଡ଼ୁଛି ।
ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ରାଜ୍ୟରେ ପ୍ରଥମ ଇଞ୍ଜିନିୟରିଂ ବୈଷୟିକ ବିଶ୍ୱବିଦ୍ୟାଳୟ ବିପୁଟ୍ ପାଇଁ ୫ଟି ପ୍ରଫେସର ଓ ୧୫ଟି ରିଡର ପଦବୀ ମଞ୍ଜୁରୀପ୍ରାପ୍ତ ଥିବା ବେଳେ ଏହି ୨୦ଟି ଯାକ ଖାଲିପଡ଼ିଛି । ଏହି ବୈଷୟିକ ବିଶ୍ୱବିଦ୍ୟାଳୟ ଲାଗି ଥିବା ମଞ୍ଜୁରୀପ୍ରାପ୍ତ ୫ଟି ଅଧ୍ୟାପକ ପଦବୀ ମଧ୍ୟରୁ ବି ୩ଟି ଖାଲି । ମୋଟାମୋଟି ଭାବେ ଏହି ବୈଷୟିକ ବିଶ୍ୱବିଦ୍ୟାଳୟ ଲାଗି ଥିବା ୨୫ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୨୩ଟି ଖାଲି । ଏହି ବିଶ୍ୱବିଦ୍ୟାଳୟର ୧୦ଟି ପ୍ରଶାସନିକ ଅଧିକାରୀ ପଦବୀ ମଧ୍ୟରୁ ବି ୨ଟି ଖାଲିପଡ଼ିଛି । ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟରେ ଏହି ବିଶ୍ୱବିଦ୍ୟାଳୟ ଲାଗି ୫୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୪୨ଟି ଖାଲି । ଏଥିରୁ ବିପୁଟ୍ର ଅବସ୍ଥା କେତେ ଦୟନୀୟ ତାହା ସହଜରେ ଅନୁମେୟ ।
ସେହିପରି ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଦୂରାବସ୍ଥା । ରାଜ୍ୟର ଏହି ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନକୁ ସରକାର ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ଦେଇଛନ୍ତି । ଏଠାରେ ପାଠ ପଢ଼ାଇବା ପାଇଁ ୪୪ଟି ପ୍ରଫେସର, ୯୩ଟି ସହଯୋଗୀ ପ୍ରଫେସର ଓ ୧୬୧ଟି ସହକାରୀ ପ୍ରଫେସର ପଦବୀକୁ ମିଶାଇ ମୋଟ୍ ୨୯୮ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ସେଥିମଧ୍ୟରୁ ୨୩ଟି ପ୍ରଫେସର, ୫୧ଟି ସହଯୋଗୀ ପ୍ରଫେସର ଓ ୪୧ଟି ସହକାରୀ ପ୍ରଫେସର ପଦବୀକୁ ମିଶାଇ ମୋଟ୍ ୧୧୫ଟି ଶିକ୍ଷକ ପଦବୀ ଖାଲିପଡ଼ିଛି । ମୋଟାମୋଟି ଭାବେ ବୁର୍ଲାର ଏହି ଗୌରବାବହ ଶିକ୍ଷାନୁଷ୍ଠାନରେ ପ୍ରାୟ ୧୮୦ଟି ବିଭିନ୍ନ ପାହ୍ୟାର ପଦବୀ ଖାଲିପଡ଼ିଛି ।
ସରକାରୀ ନିୟନ୍ତ୍ରଣାଧିନ ଭୁବନେଶ୍ୱରର ସିିଇଟି, ବ୍ରହ୍ମପୁରର ପିଏମ୍ଇସି, କଳାହାଣ୍ଡିର ଜିସିଇ, କେନ୍ଦୁଝରରେ ଜିସିଇ, କଟକର ଆଇଏମ୍ଆଇଟି ଆଦିରେ ଶିକ୍ଷକ ଓ କର୍ମ•ରୀ ମରୁଡ଼ି ଅବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ । ବିପୁଟ୍ର ଅନୁବନ୍ଧିତ ଏହି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକ ଲାଗି ୫୦ଟି ପ୍ରଫେସର, ୯୭ଟି ସହଯୋଗୀ ପ୍ରଫେସର, ୨୩ଟି ପ୍ରଧ୍ୟାପକ ଓ ୨୨୨ଟି ସହକାରୀ ପ୍ରଫେସର ପଦବୀକୁ ମିଶାଇ ମୋଟ୍ ୩୯୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ଏଥିମଧ୍ୟରୁ ୪୫ଟି ପ୍ରଫେସର, ୮୦ଟି ସହଯୋଗୀ ପ୍ରଫେସର, ୩ଟି ପ୍ରଧ୍ୟାପକ ଓ ୭୬ଟି ସହକାରୀ ପ୍ରଫେସର ପଦବୀକୁ ମିଶାଇ ମୋଟ୍ ୨୦୪ଟି ଶିକ୍ଷକ ପଦବୀ ଖାଲିପଡ଼ିଛି । ଏହି ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଏବେ ମାତ୍ର ୫ ଜଣ ପ୍ରଫେସର ଥିବା ବେଳେ ବସ୍ତୁତଃ ବିଭିନ୍ନ ସ୍ଥାନରେ ୪୫ଟି ବିଭାଗରେ ପ୍ରଫେସର ନଥିବାରୁ ଏଗୁଡ଼ିକ ଏକ ପ୍ରକାର ମୁରବିବିହୀନ ହୋଇ •ଲିଛି । ଏହି ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରୁ ସିଇଟିରେ ୫୪ଟି, ପିଏମ୍ଇସିରେ ୮ଟି, କଳାହାଣ୍ଡି ଜିଇସିରେ ୧୦ଟି, କେନ୍ଦୁଝର ଜିଇସିରେ ୨୦ଟି ଓ କଟକ ଆଇଏମ୍ଆଇଟିରେ ୧୩ଟି ଅଣଶିକ୍ଷକ ପଦବୀ ଖାଲିପଡ଼ିଛି । ମୋଟାମୋଟି ଭାବେ ଏହି ବିଶ୍ୱବିଦ୍ୟାଳୟ ଓ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସଂଖ୍ୟାଧିକ ପଦବୀ ଖାଲି ।
ବିଧାୟକ ଶ୍ରୀ ରାୟଙ୍କୁ ମନ୍ତ୍ରୀ ଶ୍ରୀ ଦାସବର୍ମା ଦେଇଥିବା ଅନ୍ୟ ଏକ ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ ୩୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍ନିକ ଲାଗି ୫୩୨ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଥିବା ବେଳେ ଏଥିରୁ ୪୩୦ଟି ଖାଲି । ସେହିଭଳି ଏଗୁଡ଼ିକ ଲାଗି ୧୭୬ଟି ମଞ୍ଜୁରୀପ୍ରାପ୍ତ ବରିଷ୍ଠ ଅଧିକାରୀ ପଦବୀ ଥିବା ବେଳେ ସେଥିରୁ ମଧ୍ୟ ୧୦୩ଟି ଖାଲିପଡ଼ିଛି । ଏହି ଶିକ୍ଷାନୁଷ୍ଠାନଗୁଡ଼ିକରୁ ଅଧିକାଂଶରେ ନିୟମିତ ଅଧ୍ୟକ୍ଷ ମଧ୍ୟ ନାହାନ୍ତି । ଏହାଛଡ଼ା ଏଠାରେ ଶତାଧିକ ଅଣଶିକ୍ଷକ ପଦବୀ ମଧ୍ୟ ଖାଲିପଡ଼ିଛି ।
ଏ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦୁଇଟି ଯାକ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଇଞ୍ଜିନିୟରିଂ କଲେଜ, ସ୍କୁଲ ଓ ପଲିଟେକ୍ନିକଗୁଡ଼ିକରେ ଖାଲିପଡ଼ିଥିବା ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ପାଇଁ ବିଭାଗୀୟ ମନ୍ତ୍ରୀ ଉଦ୍ୟମ କରୁଥିଲେ ମଧ୍ୟ ଅର୍ଥ ବିଭାଗର କଟକଣା ଯୋଗୁ ସବୁ ଅନର୍ଥ ହେଉଛି । ଏଥିଯୋଗୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଶିକ୍ଷାର ମାନ ହ୍ରାସ ପାଉଥିବା ବେଳେ ସେଥିରୁ କେତେକ ଘରୋଇ ସଂସ୍ଥା ବେଶ୍ ଫାଇଦା ଉଠାଉଛନ୍ତି । ସରକାର “ସ୍କିଲ୍ ଡେଭଲପ୍ମେଣ୍ଟ’ ଓ ଆତ୍ମ ନିଯୁକ୍ତି କଥା କହୁଥିବା ବେଳେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ ପଢ଼ାଇବା ପାଇଁ ଉନ୍ନତମାନର ନିୟମିତ ଶିକ୍ଷକ ନିଯୁକ୍ତି ଦେବା ସର୍ବନିମ୍ନ ଆବଶ୍ୟକତା । ବିଜୁବାବୁ ବୈଷୟିକ ଶିକ୍ଷା ଓ ତାଲିମ ଉପରେ ବିଶେଷ ଗୁରୁତ୍ୱାରୋପ କରିଆସୁଥିବା ବେଳେ ତାଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟ ଓ ତାହାର ଅନୁବନ୍ଧିତ ଇଞ୍ଜିନିୟରିଂ କଲେଜ ଏବଂ ଅନ୍ୟାନ୍ୟ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଅଭିଜ୍ଞ ଶିକ୍ଷକ ନିଯୁକ୍ତି ନ ହେବା ବସ୍ତୁତଃ ବିଜୁ ବାବୁଙ୍କ ସ୍ମୃତି ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବମାନନା । ଏ କ୍ଷେତ୍ରରେ ସରକାର ସର୍ବାଧିକ ଗୁରୁତ୍ୱାରୋପ କରି ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ତୁରନ୍ତ ମାସକ ମଧ୍ୟରେ ଖାଲିପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରିବାକୁ ଶ୍ରୀ ରାୟ ଦାବି କରିଛନ୍ତି ।

Share in top social networks!