ସରକାର ଦାବି ମାନିନିଅନ୍ତୁ ଶିକ୍ଷା ବାତାବରଣ ସ୍ୱାଭାବିକ ହେଉ

grantteacherଗଣଶିକ୍ଷକ ଓ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନେ୍ଦାଳନ ଯୋଗୁ ଏକ ଉଦ୍‍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ପିଲାଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇପଡିଛି । ଶିକ୍ଷକମାନଙ୍କ ଭବିଷ୍ୟତ ସହ ପିଲାଙ୍କ ଭବିଷ୍ୟତ ପ୍ରଶ୍ନ ଜଡ଼ିତ ଥିବାରୁ ଏଭଳି ସମସ୍ୟାକୁ ନଜର ଅନ୍ଦାଜ କରି ହେବନାହିଁ । ଯେଉଁ ସମୟରେ ସ୍କୁଲ ଚାଲିବା କଥା, ସେହି ସମୟରେ ୪ ହଜାରରୁ ଅଧିକ ସ୍କୁଲରେ ତାଲା ଝୁଲୁଛି । ଶିକ୍ଷକ ଶିକ୍ଷୟିତ୍ରୀମାନେ ଖରାବର୍ଷାରେ ରାଜରାସ୍ତାରେ ବସିଛନ୍ତି । ଗଣଶିକ୍ଷକଙ୍କ ଦାବି ପୂରଣ ପାଇଁ ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ସେମାନଙ୍କ ନିୟମିତୀକରଣରେ କୌଣସି ପାତରଅନ୍ତର କରାଯିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭିତରେ ଅଯଥା ବିବାଦ ସୃଷ୍ଟି ହେଉଛି । ସେହିପରି ବ୍ଲକଗ୍ରାଣ୍ଟ ହାଇସ୍କୁଲର ଅନୁଦାନକୁ ନେଇ ଯେଉଁ ଜଟିଳତା ରହିଛି, ତାର ମଧ୍ୟ ସମାଧାନ ସୂତ୍ର ବାହାରିବା ଦରକାର ।
ଶିକ୍ଷା ହେଉଛି ଯେକୌଣସି ରାଜ୍ୟର ବିକାଶର ମୂଳ ମନ୍ତ୍ର । ଏହାକୁ ଉପେକ୍ଷା କରିବା ଅର୍ଥ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ଓ ବିକାଶରେ ପ୍ରତିବନ୍ଧକ ସାଜିବା । ଏବେ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ଶିକ୍ଷକମାନଙ୍କ ଏହି ସମସ୍ୟା ଉପରେ ଆଲୋଚନା ହୋଇପାରୁନାହିଁ । ତେଣୁ ମୁଁ ସବୁଦଳର ବିଧାୟକଙ୍କୁ ବିନମ୍ର ନିବେଦନ କରୁଛି ଯେ ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ସେମାନେ ଦଳମତରୁ ଉପରକୁ ଉଠି ସରକାରଙ୍କ ଉପରେ ଚାପ ପକାନ୍ତୁ । ସ୍କୁଲଗୁଡ଼ିକରେ ସ୍ୱାଭାବିକ ଅବସ୍ଥା ଫେରି ଆସୁ । ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ଅଞ୍ଚଳକୁ ଫେରିଯାଇ ପାରନ୍ତୁ ।

Share in top social networks!