୧୫ ବର୍ଷରେ ଓଡ଼ିଶାରେ ୩୬୦୨ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ବିଧାନସଭାରେ ରାଜ୍ୟ ସରକାରଙ୍କ ସ୍ୱୀକାର

maharathyyyପନ୍ଦର ବର୍ଷ ମଧ୍ୟରେ ଓଡ଼ିଶାରେ ୩୬୦୨ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଜାତୀୟ କ୍ରାଇମ୍‍ ରେକର୍ଡସ୍‍ ବୁ୍ୟରୋର ପ୍ରଦତ୍ତ ସର୍ବଶେଷ ତଥ୍ୟ ଅନୁଯାୟୀ କୃଷିରେ ଆତ୍ମନିଯୁକ୍ତି ପାଇଥିବା କେତେଜଣ ବ୍ୟକ୍ତି ଆମ ରାଜ୍ୟରେ କେଉଁ ବର୍ଷ ଆତ୍ମହତ୍ୟା କରିଛନ୍ତି ତାହାର ଗତ ୧୫ ବର୍ଷର ତଥ୍ୟ ଜାଣିବା ପାଇଁ ଶ୍ରୀ ରାୟ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ ବୁ୍ୟରୋ ୱେବସାଇଟ୍‍ରେ ଉପଲବ୍ଧ ସର୍ବଶେଷ
ତଥ୍ୟ ଅନୁଯାୟୀ ୧୯୯୯ରୁ ୨୦୧୩ ମଧ୍ୟରେ ଓଡ଼ିଶାରେ କୃଷିକୁ ଆତ୍ମନିଯୁକ୍ତିର କ୍ଷେତ୍ର ବାଛି ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୬୦୨ଜଣ ଆତ୍ମହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ୩୧୨୮ ଜଣ ପୁରୁଷ ଚାଷୀ ଥିବା ବେଳେ ୪୭୪ ଜଣ ହେଉଛନ୍ତି ମହିଳା ଚାଷୀ ।

ତେବେ କୃଷିରେ ଆତ୍ମନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୬୦୨ ଜଣ ଆମ ରାଜ୍ୟରେ ଆତ୍ମହତ୍ୟା କରିଛନ୍ତି ବୋଲି ଗୋଟିଏ ପଟେ କୃଷିମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଅନ୍ୟପକ୍ଷରେ କହିଛନ୍ତି ଚାଷୀ ଆତ୍ମହତ୍ୟାର ଅଭିଯୋଗ ସରକାରଙ୍କ ହସ୍ତଗତ ହେବା ପରେ ଏହା ଉପରେ ତଦନ୍ତ କରାଯାଇଥାଏ । ତାଙ୍କ ବିଭାଗରେ ଉପଲବ୍ଧ ତଥ୍ୟ ଅନୁସାରେ ଅଭିଯୁକ୍ତ ଚାଷୀ ଆତ୍ମହତ୍ୟା ତଦନ୍ତଗୁଡ଼ିକର ଫଳାଫଳ ଅନୁଯାୟୀ କୌଣସି ଚାଷୀଙ୍କର ଆତ୍ମହତ୍ୟା କୃଷିଜନିତ ହୋଇନାହିଁ ।

ଶ୍ରୀ ମହାରଥୀ ଦେଇଥିବା ପରିସଂଖ୍ୟାନରେ ୨୦୧୪ ଓ ୨୦୧୫ ବର୍ଷର ଏସଂକ୍ରାନ୍ତୀୟ ତଥ୍ୟ ୱେବ୍‍ସାଇଟ୍‍ରେ ଉପଲବ୍ଧ ନାହିଁ ବୋଲି କହିଥିବା ବେଳେ ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ ଆତ୍ମନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେଉଁ ବର୍ଷ କେତେ ଆତ୍ମହତ୍ୟା କରିଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେ ପୁରୁଷ ଓ କେତେ ମହିଳା ତାହାର ବିସ୍ତୃତ ତଥ୍ୟ ଦେଇଛନ୍ତି । ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିବା ଏହି ତଥ୍ୟ ଅନୁଯାୟୀ ୧୯୯୯ ମସିହାରେ ୨୬୫ ଜଣ ଚାଷୀ ଆମ ରାଜ୍ୟରେ ଆତ୍ମହତ୍ୟା କରିଥିବା ବେଳେ ଏହା ବଢ଼ି ବଢ଼ି ୨୦୦୨ ବେଳକୁ ୩୪୫ରେ ପହଞ୍ଚିଥିଲା । ଯାହାମଧ୍ୟରେ ୩୬ ଜଣ ମହିଳା ଅନ୍ତର୍ଭୁକ୍ତ ।

୨୦୦୩ ବର୍ଷରେ ୪୧ ଜଣ ମହିଳା ଚାଷୀଙ୍କ ସମେତ ମୋଟ୍‍ ୩୬୫ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୦୪ରେ ସର୍ବାଧିକ ୮୦ ଜଣ ମହିଳା ଓ ୨୯୯ ଜଣ ପୁରୁଷ ଚାଷୀଙ୍କ ସମେତ ମୋଟ୍‍ ୩୭୯ ଜଣ ଆତ୍ମହତ୍ୟା କରିଥିଲେ । ତେବେ ପରବର୍ତ୍ତୀ ବର୍ଷମାନଙ୍କରେ ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ହ୍ରାସ ପାଇଛି । ୨୦୧୧ ବର୍ଷରେ ୬ ଜଣ ମହିଳା ଓ ୧୩୮ ଜଣ ପୁରୁଷଙ୍କ ସହିତ ୧୪୪ ଜଣ ଚାଷୀ ଆମ ରାଜ୍ୟରେ ଆତ୍ମହତ୍ୟା କରିଥିବା ବେଳେ ୨୦୧୨ ବର୍ଷରେ ୨୫ ଜଣ ମହିଳା ଓ
୧୨୧ ଜଣ ପୁରୁଷଙ୍କୁ ମିଶାଇ ୧୪୬ ଜଣ ଆତ୍ମହତ୍ୟା କରିଥିଲେ । ୨୦୧୩ ବର୍ଷରେ ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ୧୫୦ ଥିଲା ବୋଲି ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟରେ ଚାଷୀ ଆତ୍ମହତ୍ୟା ରୋକିବା ଲାଗି ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ପ୍ରଶ୍ନ କରିଥିବା ବେଳେ କୃଷିମନ୍ତ୍ରୀ ତାଙ୍କ ଉତ୍ତରରେ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଛନ୍ତି ।

Share in top social networks!