ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୬୯ତମ ସ୍ୱାଧୀନତା ଦିବସ ପାଳିତ

bjp
ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୬୯ତମ ସ୍ୱାଧୀନତା ଦିବସ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଅଛି । ଦଳର ବରିଷ୍ଠ ନେତା ତଥା ରାଜ୍ୟ ବିଜେପିର ପ୍ରଥମ ସଭାପତି ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସାମୁହିକ ଭାବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ହରିଚନ୍ଦନ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଆଜିର ଯୁବ ପିଢି ଅନୁଶାସନ ଭିତରେ ରହି ରାଜ୍ୟ ତଥା ଦେଶ ହିତରେ ବ୍ରତୀ ହେବା ସହିତ ଆଗାମୀ ଦିନରେ ଏକ ଶ୍ରେଷ୍ଠ ରାଜ୍ୟ ଓ ଦେଶ ରୂପେ ଗଢି ତୋଳିବା ପାଇଁ ପ୍ରତିଶୃତିବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ରାଜ୍ୟ ଏବଂ ଦେଶ ଦୃତ ବେଗରେ ପ୍ରଗତି ପଥେ ଆଗେଇ ଚାଲିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସିଂହଦେଓ ଆଗାମୀ ଦିନରେ ସମସ୍ତ କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଦଳକୁ ଗଢି ତୋଳିବା ପାଇଁ ସଂକଳ୍ପ କରାଇଥିଲେ । ଏହାପରେ ବନେ୍ଦ ମାତରଂ ଗାନ କରାଯାଇ ମିଷ୍ଠାନ ବଣ୍ଟନ ସହିତ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା ।
ଏହି ଉତ୍ସବରେ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ପ୍ରସନ୍ନ ମିଶ୍ର, ସହ-ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ, ଉପ ସଭାପତି ସୁରମା ପାଢୀ ଓ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦିକା ନିୟତୀ ଗିରି, ସଂଗଠନ ମନ୍ତ୍ରୀ ଛୋଟେଲାଲ୍ ମହନ୍ତ ଓ ବିରଞ୍ଚି ତ୍ରିପାଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନା, ଯୁବ ମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ ଓ ସଂପାଦକ ଠାକୁର ରଣଜିତ୍ ଦାଶ, କାର୍ଯ୍ୟାଳୟ ସଂପାଦକ ସରୋଜ କର, ଜିଲ୍ଲା ସଭାପତି ଅମୀୟ ଦାଶଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Share in top social networks!