ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା, ରାସ୍ତାକୁ ଓହ୍ଲାଇବ ବିଜେପି; ୧୪ରେ ଡିଜି ଅଫିସ୍ ଓ ୧୭ରେ କମିଶନ୍ରେଟ୍ ପୁଲିସ୍ ଅଫିସ୍ ଘେରାଉ

gajbhayaସାରା ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । କେନ୍ଦୁଝର ବେଲବାହାଳିରେ ଜନତା ଉପରେ ପୁଲିସର ବର୍ବୋରୋଚିତ ଆକ୍ରମଣ ହେଉକି ସାରଥୀ ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ପୁଲିସର ଅମାନବୀୟ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ବିଜେପି ଏହାର ଦୃଢ଼ ନିନ୍ଦା କରୁଥିବାବେଳେ ଆସନ୍ତା ୧୪ରେ ବିପର୍ଯ୍ୟସ୍ତ ଆଇନ୍ଶୃଙ୍ଖଳା, ପୂର୍ବତନ କେନ୍ଦ୍ରାପଡ଼ା ଏସ୍ପି ସତୀଶ ଗଜଭେୟଙ୍କୁ ଗିରଫ ଦାବିରେ ପୁଲିସ୍ ମହାନିଦେ୍ର୍ଧଶକ କାର୍ଯ୍ୟାଳୟ ଘେରାଉ କରିବ । ସେହିପରି ବାଣୀବିହାରକୁ ଗୁଣ୍ଡାବାହିନୀ ହାତରେ ଟେକିଦେଇଥିବା ଅପାରଗ ସରକାର ଓ କମିଶନରେଟ୍ ପୁଲିସ୍ର ପକ୍ଷପାତ କାର୍ଯ୍ୟାନୁଷ୍ଠାନ ବିରୋଧରେ ୧୭ରେ କମିଶନ୍ରେଟ୍ ପୁଲିସ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଘୋଷଣା କରିଛନ୍ତି ।
ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେଯେ, ସାରା ରାଜ୍ୟରେ ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନି । ଏଥିରୁ ସରକାରଙ୍କର ଶେଷ ସମୟ ଆସିଯାଇଥିବା ଭଳି ମନେହେଉଛି । ସାରଥୀ ଓ ତକôାଳୀନ କେନ୍ଦ୍ରାପଡ଼ା ଏସ୍ପିକୁ ଗିରଫ ଦାବିରେ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଏଯାଏଁ ସତୀଶ ଗଜଭେୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇନାହିଁ । ସତୀଶ୍ ଏବେବି କେନ୍ଦ୍ରାପଡ଼ାରେ ରହୁଛନ୍ତି । ତାଙ୍କ ବିରୋଧରେ ଦିନକୁ ଦିନ ଅନେକ ପ୍ରମାଣ ଆସିବାରେ ଲାଗିଛି । ଗୋପ ଓ ଭୁବନେଶ୍ୱରରେ ତାଙ୍କ ନାମରେ କୋଟି କୋଟି ଟଙ୍କାର ବେଆଇନ୍ ସମ୍ପତି ରହିଛି । ସରକାର ଏନେଇ ପୂର୍ବରୁ ଅବଗତ ଥିଲେ ନା ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜୟ ଦାବି କରିଥିଲେ ।
ଖାଲି ସେତିକିନୁହେଁ ଗଜଭୟେଙ୍କ ନାମରେ ଟେଣ୍ଡର ଫିକ୍ସିଂ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ରହିଛି । ତୁରନ୍ତ ଏହି ମାମଲା ସିବିଆଇ, ପ୍ରବର୍ତନ ନିଦେ୍ର୍ଧଶାଳୟକୁ ଦିଆଗଲେ ବହୁ ଗୁମର ଖୋଲିବ ବୋଲି ବିଜୟ କହିଛନ୍ତି । ଆସନ୍ତା ୧୪ରେ ଡିଜି ଅଫିସ୍ ଘେରାଉ କରି ବିଜେପି ଏହାର ଜୋରଦାର୍ ପ୍ରତିବାଦ କରିବ । ସେହିପରି ବାଣୀବିହାର ଭଳି ଏକ ଶିକ୍ଷାନୁଷ୍ଠାନ ସରକାର ଗୁଣ୍ଡାମାନଙ୍କ ହାତରେ ଟେକି ଦେଇଛନ୍ତି । କଂଗ୍ରେସର ଅଣ୍ଡାମାଡ଼ ଘଟଣା ପରଠାରୁ ବାଣୀବିହାରରେ ଅଶାନ୍ତି ସୃଷ୍ଟି କରିବାକୁ ଶାସକ ଦଳ ଉଦ୍ୟମ କରୁଛି । ଛାତ୍ରଙ୍କ ନାମରେ ମିଛ ମକଦ୍ଧମା ରୁଜୁ କରାଯାଇ ହଇରାଣ ହରକତ କରାଯାଉଛି । ୧୭ରେ ଏନେଇ କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଘଟଣା ସମ୍ପର୍କରେ ବିଜେପି ପକ୍ଷରୁ ସିବିଆଇ, ଇଡ଼ି ଓ କେନ୍ଦ୍ର ସରକାରଙ୍କୁ ଖୁବ୍ଶୀଘ୍ର ଏକ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କହିଲେଯେ, ସାରଥୀ ସହ ସଂପୃକ୍ତି ଓ ବେଆଇନ୍ ଭାବେ ଉପାର୍ଜିତ ସମ୍ପତି ସଂକ୍ରାନ୍ତୀୟ କାଗଜପତ୍ର ଗାଏବ କରିଦେବା ପାଇଁ ସତୀଶ ଗଜଭୟେ ଏବେବି କେନ୍ଦ୍ରାପଡ଼ା ଏସପି ସରକାରୀ ବାସଭବନରେ ରହୁଛନ୍ତି । ସେ ଘଟଣାବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ମଧ୍ୟ ଯୋଗାଯୋଗରେ ଥିଲେ ବୋଲି କହିଛନ୍ତି । ସେହିପରି କେନ୍ଦ୍ରାପଡ଼ାରେ ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲେ ବୋଲି ସତୀଶ ମନଗଢ଼ା କାହାଣୀ କହୁଛନ୍ତି । ତେଣୁ ସତୀଶଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣା ପାଇଁ ଦାୟୀବୋଲି ଶ୍ରୀ ସିଂହଦେଓ କହିଛନ୍ତି । ତେଣୁ ଲୋକଦେଖାଣିଆ କ୍ରାଇମ୍ବାଂଚ ତଦନ୍ତ ନକରି ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଭ୍ରୁଗୁ ବକ୍ସି ପାତ୍ର, ପ୍ରଭାତୀ ପରିଡ଼ା, ସୁଦୀପ୍ତ ରାୟ ଓ ଦିଲ୍ଳୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!