ସତୀଶ ଗଜଭୟେଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର : ପି. ମୁରଲୀଧର ରାଓ

raoଜନତାଙ୍କ ଉପରେ ସତୀଶ ଗଜଭେୟଙ୍କ ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ସାଧାରଣ ସମ୍ପାଦକ ପି.ମୁରଲୀଧର ରାଓ ବର୍ଷିଛନ୍ତି । ସତୀଶଙ୍କୁ ବଦଳି କରି ସରକାର ଚୁପ୍ ବସିଯାଇଛନ୍ତି ବୋଲି ସେ କହିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଅପରପକ୍ଷରେ ଓଡ଼ିଶାର ୪୫୧ ମଣ୍ଡଳରେ ବିଜେପି କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇ ଆଗାମୀ ଦିନରେ ଦଳକୁ ଆହୁରି ମଜବୁତ୍ କରାଯିବ ବୋଲି ସେ କହିଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ କହିଲେଯେ, ସରକାରଙ୍କ କାରନାମା ଲୋକଙ୍କ ସାମ୍ନାକୁ ଆସିଛି । ଜନତା କୌଣସି ପ୍ରସଙ୍ଗ ଉଠାଇଲେ ସରକାର ଏହାକୁ ଗୁରୁତ୍ୱ ଦେବା ସହ ମାମଲା ରୁଜୁ କରି ତଦନ୍ତ କରିବା ଦରକାର । ହେଲେ ସାରଥୀ କ୍ଷେତ୍ରରେ ପୁଲିସ୍ ଲଗାଇ ସରକାର ଲୋକଙ୍କ ଉପରେ ଜୁଲମ୍ କରିଛନ୍ତି ।
ସରକାର ଜନତାଙ୍କ ଆସ୍ଥା ହରାଇ ସାରିଛନ୍ତି । ସରକାରଙ୍କ ଉପରେ ଜନତାଙ୍କ କ୍ରୋଧର ପ୍ରତିଫଳନ ରାଜରାସ୍ତାରେ ଦେଖିବାକୁ ମିଳିଛି । ସତୀଶଙ୍କ ବିରୋଧରେ ଜନଆନେ୍ଦାଳନ ଗଢ଼ି ଉଠିଥିଲେ ମଧ୍ୟ ସରକାର ଖାଲି ବଦଳି କରି ଚୁପ୍ ବସିଯାଇଛନ୍ତି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ଖୋଦ୍ ସତୀଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ତାଙ୍କର ସଂପୃକ୍ତି ରହିଛି ଗଣମାଧ୍ୟମରେ ବାହାସ୍ଫୋଟ ମାରିଛନ୍ତି । ତେଣୁ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତାଙ୍କୁ ଘଂଟ ଘୋଡ଼ାଉଥିବା ସ୍ପଷ୍ଟ ହୋଇଯାଇଛି । ବିଜେପି ସରକାରଙ୍କ ଏଭଳି ଆଚରଣକୁ ଆଦୌ ବରଦାସ୍ତ କରିବ ନାହିଁ । କେନ୍ଦ୍ର ସରକାର ମଧ୍ୟ ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ରାଓ ସ୍ପଷ୍ଟ କରିଛନ୍ତି ।
ଅପରପକ୍ଷରେ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସେ କହିଲେଯେ, ବିଜେପି ୧୧ କୋଟି ସଭ୍ୟ କରି ଏବେ ବିଶ୍ୱର ଏକ ନମ୍ବର ଦଳର ମାନ୍ୟତା ପାଇଛି । ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, କେରଳ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟକୁ ବିଜେପି ବିଶେଷ ଗୁରୁତ୍ୱ ଦେଇଛି । ଏହିସବୁ ରାଜ୍ୟରେ କଂଗ୍ରେସ ଦୁର୍ବଳ ହୋଇ ସାରିଥିବାବେଳେ ବିଜେପି ପ୍ରମୁଖ ଦଳ ଭାବେ ଉଭା ହେବାପାଇଁ ସଂଗଠନ ବିସ୍ତାର କରୁଛି । ଦଳୀୟ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରି ଦଳକୁ କିଭଳି ମଜବୁତ୍ କରାଯିବ ସେନେଇ ଦଳ ଯୋଜନା କରିଛି ବୋଲି ସେ କହିଛନ୍ତି ।
ସେହିପରି ଦେଶର ପ୍ରଥମ ଦଳ ଭାବେ ବିଜେପି ମଣ୍ଡଳସ୍ତରରୁ ହିଁ କାର୍ଯ୍ୟକର୍ତାକୁ ପ୍ରଶିକ୍ଷଣ ପ୍ରଦାନ କରିବ । ସାରା ଦେଶର ୧୧୦୦୦ ମଣ୍ଡଳରେ ଦଳ ତା’ର ସଂଗଠନକୁ ବିସ୍ତାର କରିବ । ଓଡ଼ିଶାର ୪୫୧ ମଣ୍ଡଳରେ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ଦୁଇଦିନିଆ ଟ୍ରେନରସ ଟ୍ରେନିଂ କରାଯାଇଛି । ମଣ୍ଡଳ ସ୍ତରରେ କାର୍ଯ୍ୟକର୍ତାଙ୍କୁ ୨୪ ଘଂଟା, ଜିଲାସ୍ତରରେ ୪୮ ଘଂଟା ଓ ରାଜ୍ୟସ୍ତରରେ ୭୨ ଘଂଟା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଅବସରରେ ଦଳର ଇତିହାସ, ସୈଦ୍ଧାନ୍ତିକ ଆଭିମୁଖ୍ୟ, ଆଭ୍ୟନ୍ତରୀଣ ଗଣତନ୍ତ୍ର, ସାଧାରଣ ଜନତାଙ୍କ ସହ ଯୋଗାଯୋଗ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ତୃଣମୂଳସ୍ତର ସାମାଜିକ-ଅର୍ଥନୈତିକ ସମସ୍ୟାକୁ ଅନୁଶୀଳନ କରି ଆଲୋଚନା କରାଯିବ । ଆଗାମୀ ୪ ମାସରେ ଦେଶର ୧୫ ଲକ୍ଷ ସକ୍ରିୟ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିପାଇଁ ଦଳ ପକ୍ଷରୁ ୧୦ ହଜାର କାର୍ଯ୍ୟକର୍ତାଙ୍କୁ ଚୟନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ଓ ସମ୍ପାଦକ ଭ୍ରୁଗୁ ବକ୍ସି ପାତ୍ର ଉପସ୍ଥିତ ଥିଲେ ।

Share in top social networks!