୧୯୫୪ଭାଷା ଆଇନ କାର୍ଯ୍ୟକାରିତାପାଇଁ ସ୍ୱତନ୍ତ୍ର ଭାଷାନୀତି ପ୍ରଣୟନ ହେବ

ଓଡିଶା ସରକାରୀ ଭାଷା ଅଧିନିୟମ-୧୯୫୪ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଓଡିଆଭାଷା ସଂଗ୍ରାମ ସମିତିକୁ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଜି ପନ୍ଦର ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ସଚିବାଳୟର ଦ୍ୱିତୀୟ ମହଲାରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ନୀତିନିର୍ଦ୍ଧାରଣ କମିଟିର ସଦସ୍ୟ ଭାବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆଇନମନ୍ତ୍ରୀ ଡଃ ଅରୁଣ ସାହୁ, ସ୍ୱାସ୍ଥ୍ୟ ଓ ସୂଚନା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜ୍ଞାନ ଓ କାରିଗରି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଆଇନ ସଚିବ, ଓଡିଆ ଭାଷା ପ୍ରତିଷ୍ଠାନ ନିଦେ୍ର୍ଧଶକ, ବିଶିଷ୍ଟ ଭାଷାତତ୍ୱବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଏବଂ ଓଡିଆଭାଷା ସଂଗ୍ରାମ ସମିତି ପକ୍ଷରୁ ଏହାର ଆବାହକ ଶଙ୍କର୍ଷଣ ପରିଡା, ଯୁଗ୍ମଆବାହକ ତଥା ଅଧିବକ୍ତା ଗଜାନନ ମିଶ୍ର ଓ ଡଃ ସୁବ୍ରତ କୁମାର ପୃଷ୍ଟି, ପ୍ରଫେସର ନଟବର ଶତପଥୀ, ବିଶିଷ୍ଟ ସାମ୍ବାଦିକ ସୁଭାଷ ପଟ୍ଟନାୟକ, ସାଂସଦ ବୈଷ୍ଣବ ଚରଣ ପରିଡା ଏବଂ ସରକାରୀ ଅଧିକାରୀ ଭାବରେ ଆଇନ ସଚିବ ବିଭୁପ୍ରସାଦ ରାଉତରାୟ, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ଜିଭିଭି ଶର୍ମା, ଉଚ୍ଚଶିକ୍ଷା ସଚିବ, ଗଣଶିକ୍ଷା ସଚିବ, ଭାଷାପ୍ରତିଷ୍ଠାନର ନିଦେ୍ର୍ଧଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦେ୍ର୍ଧଶକ ପ୍ରମୁଖ ଉପସ୍ଥିତ ରହି ଓଡିଆଭାଷା କିପରି ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟକାରି ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ଆଲୋଚନା ଆରମ୍ଭରେ ଆବାହକ ଶଙ୍କର୍ଷଣ ପରିଡା ସରକାରଙ୍କୁ ଧନ୍ୟବାଦ ଦେବାପରେ ଯୁଗ୍ମ ଆବାହକ ଡଃ ସୁବ୍ରତ ପୃଷ୍ଟି ଓଡିଆଭାଷା ସଂଗ୍ରାମ ସମିତିର ଦାବୀ ପାଠ କରିବା ସହିତ ବିଭିନ୍ନ ରାଜ୍ୟର ଭାଷା ଆଇନ, ଶିକ୍ଷା ଓ ପରୀକ୍ଷା ପଦ୍ଧତି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଦୀର୍ଘ ଛଅ ଦଶନ୍ଧିର ପ୍ରଣୀତ ଆଇନର ବିଧିବଦ୍ଧ କାର୍ଯ୍ୟକାରିତା ନିମନ୍ତେ ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାମିଲ କରାଯାଇ ପ୍ରୟୋଗାତ୍ମକ ରୂପରେଖ ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଗଲା । ଡଃ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସମ୍ପୂର୍ଣ୍ଣ ଭାଷାନୀତି ପ୍ରଣୟନପାଇଁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ, ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସଂଗଠନ ଓ ରାଜନୈତିକ ଦଳମାନଙ୍କର ଲିଖିତ ପରାମର୍ଶ ଗ୍ରହଣ କରି ଏକ ପୂର୍ଣ୍ଣାଙ୍ଗ ଗତିବିଧି ଚିତ୍ର ପ୍ରଣୟନ କରାଯିବା ନିମନ୍ତେ ସ୍ଥିର କରାଗଲା । ଏ ସମ୍ପର୍କୀତ ଲିଖିତ ମତାମତ ଗ୍ରହଣ କରାଯିବା ସହିତ ସରକାରଙ୍କ ତରଫରୁ ଏକ ୱେବସାଇଟ ପ୍ରସ୍ତୁତ କରାଯାଇ ଏକମାସ ମଧ୍ୟରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ପରବର୍ତ୍ତୀ ବୈଠକ ଅଗଷ୍ଟ ତୃତୀୟ ସପ୍ତାହରେ ବସିବ ବୋଲି ସ୍ଥିର କରାଗଲା ।

ଷାଠିଏ ବର୍ଷ ଧରି ଅଚଳ ଅବସ୍ଥାରେ ଥିବା ଓଡିଆ ସରକାରୀ ଭାଷା ଅଧିନିୟମ-୧୯୫୪କୁ କାର୍ଯ୍ୟକାରୀ କରିବାପାଇଁ ସରକାର ଆନ୍ତରିକତା ପ୍ରକଟ କରିଥିବାରୁ ଓଡିଆଭାଷା ସଂଗ୍ରାମ ସମିତିର ଆବାହକ ଶ୍ରୀ ଶଙ୍କର୍ଷଣ ପରିଡା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଓଡିଶାର ଜନସାଧାରଣ, ବୁଦ୍ଧିଜୀବୀ, ସାହିତି୍ୟକ, ସାମାଜିକ ସଂଗଠନ, ଛାତ୍ର, ଶିକ୍ଷକ, ଶ୍ରମିକ ଓ ରାଜନୈତିକ ଦଳମାନେ ନିଜନିଜର ଏ ସମ୍ପର୍କୀତ ମତାମତ ପ୍ରଦାନ କରିବା ସହିତ ଏକ ସମୃଦ୍ଧ ଭାଷାନୀତି ପ୍ରଣୟନ ଦିଗରେ ସାହାଯ୍ୟ ସହଯୋଗ ଜାରି ରଖିବାକୁ ସବିନୟ ଅନୁରୋଧ କରିଛନ୍ତି ।

Share in top social networks!