କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା

atanuu ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡାଙ୍କୁ ସାକ୍ଷାତ କରି ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ସମ୍ବନ୍ଧୀୟ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ।

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ୫ ଟି ନୂତନ ମେଡିକାଲ କଲେଜ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ଅଂଶଧନ ଯଥାଶୀଘ୍ର ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ନାୟକ କେନ୍ଦ୍ରମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି । ରାଜ୍ୟରେ ପ୍ରତିଷ୍ଠିତ ହେବାକୁ ଯାଉଥିବା ଏହି ନୂତନ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସେ ଅବଗତ କରାଇଥିଲେ । ସେହିପରି ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ ସାଇନ୍ସ ଓ ଗବେଷଣା ପ୍ରତିଷ୍ଠାନ ଏବଂ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରେ ଏମ୍.ବି.ବି.ଏସ୍ରେ ୧୦୦ ଲେଖା ସିଟ୍ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ତୁରନ୍ତ ଅନୁମୋଦନ ଦେବା ପାଇଁ ମନ୍ତ୍ରୀ ଶ୍ରୀ ନାୟକ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆହୁରି ମଧ୍ୟ କଟକ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ନୂତନ କ୍ୟାମ୍ପସ୍ ପାଇଁ କେନ୍ଦ୍ରସରକାର ଦେଇଥିବା ପ୍ରତିଶୃତି ମୁତାବକ ଶୀଘ୍ର ୧୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଏ ନେଇ ରାଜ୍ୟ ସରକାର ଅନେକ ଥର କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିବା ଆଲୋଚନା କାଳରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଏହି ଆଲୋଚନା କାଳରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ସଚିବ ଆରତୀ ଆହୁଜା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଉପରୋକ୍ତ ପ୍ରସ୍ତାବ ଗୁଡିକୁ ଶୀଘ୍ର ବିଚାର କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନଡା ଆଲୋଚନା କାଳରେ ପ୍ରତିଶୃତି ଦେଇଛନ୍ତି ।

Share in top social networks!