ଡ. କଲାମ ଜଣେ ଆଦର୍ଶ ଶିକ୍ଷକ, ବୈଜ୍ଞାନିକ ଓ ରାଷ୍ଟ୍ରପତି ଥିଲେ : ବିଜେପି

kalamକଲାମ ପ୍ରଥମେ ଜଣେ ମହାନ ଶିକ୍ଷକ, ବୈଜ୍ଞାନିକ ଏବଂ ରାଷ୍ଟ୍ରପତି । ଜଣେ ବୈଜ୍ଞାନିକ ଭାବେ ସେ ବିଶାଳ ସମ୍ମାନର ଅଧିକାରୀ, କିନ୍ତୁ ଜଣେ ଶିକ୍ଷକ ଭାବେ ଜ୍ଞାନର ବିତରଣ ପାଇଁ ସେ ଅହରହ ପ୍ରୟାସ ଜାରି ରଖିଥିଲେ ଏବଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଜ୍ଞାନର ଆଲୋକ ହିଁ ପ୍ରଦାନ କରୁଥିଲେ । ରାଷ୍ଟ୍ରପତି ଭବନରୁ ବିଦାୟ ନେବାପରେ ସେ ଶିକ୍ଷାଦାନ ପାଇଁ ତାଙ୍କର ପ୍ରବଳ ଆଗ୍ରହକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରୁଥିଲେ । ତାଙ୍କର ପ୍ରତିଟି ଉଦ୍ବୋଧନ ଶ୍ରୋତାଙ୍କ ମନରେ ଭରି ଦେଉଥିଲା ଅପୂର୍ବ ପ୍ରେରଣା । କଲାମଙ୍କ ଉଦ୍ବୋଧନରେ ଥିବା ସକାରାତ୍ମକ ଶକ୍ତିରେ ଭରି ଯାଉଥିଲା ଶ୍ରୋତାଙ୍କ ମନ ଓ ପ୍ରାଣ । ଜୁଲାଇ ୨୭, ସୋମବାର ଶିଲଂଠାରେ ହୃଦ୍ଘାତ ତାଙ୍କ ଜୀବନ ଯାତ୍ରାରେ ପୂର୍ଣ୍ଣଛେଦ ପକାଇଲା । ତାଙ୍କର ବିଶାଳ ଓ ବ୍ୟାପକ ଜୀବନଯାତ୍ରା ଅତୁଳନୀୟ ସ୍ୱପ୍ନ ଓ ସମ୍ଭାବନାରେ ଭରି ରହିଥିଲା । କଲାମଙ୍କ ଦେହାବସାନ ସହିତ ଭାରତ ଆମ ସମୟରେ ଜଣେ ମହାନ୍ ଭାରତୀୟଙ୍କୁ ହରାଇଲା ବୋଲି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ମତ ବ୍ୟକ୍ତ କରିଥିଲେ । ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ, କଲାମ୍ ଏବଂ ଓଡିଶା ଏ ଉଭୟଙ୍କର ଏକ ଅତୁଟ ସମ୍ପର୍କ । କେବଳ ମିସାଇଲ୍ ମ୍ୟାନ୍ ଭାବେ ଚାନ୍ଦିପୁର ନୁହେଁ ଓଡିଶାରେ ବୈଷୟିକ ଓ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ବହୁବାର ସେ ଓଡିଶା ଆସିଛନ୍ତି । ଛାତ୍ରମାନଙ୍କୁ ଲକ୍ଷ୍ୟ ସାଧନର ମାର୍ଗ ଦର୍ଶନ କରି ଆସିଥିଲେ ।
ବିଜେପି ବିଧାୟକଦଳର ନେତା ଶ୍ରୀଯୁକ୍ତ ବସନ୍ତ ପଣ୍ଡା, ସର୍ବ ଭାରତୀୟ ସଂପାଦକ ସୁରେଶ ପୂଜାରୀ, ବରିଷ୍ଠ ବିଶ୍ୱ ଭୂଷଣ ହରିଚନ୍ଦନ, ବିଜୟ ମହାପାତ୍ର, ରାଜ୍ୟ ଉପସଭାପତି ସମିର ଦେ, ପ୍ରତାପ ଷଡଙ୍ଗୀ, ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ କୁମାର ମିଶ୍ର, ମନମୋହନ ସାମଲ, ମୋହନ ମାଝୀ, ନୟନ କିଶୋର ମହାନ୍ତି ପ୍ରମୁଖ ମଧ୍ୟ ବିଭିନ୍ନ ସ୍ଥାନରେ ନିଜର ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ଯେ ଅବଦୁଲ୍ କଲାମ ଓ ବାଜପେୟୀ ଙ୍କ ଯୋଡି ସାରା ବିଶ୍ୱରେ ଭାରତୀୟ ଶକ୍ତିକୁ ଅଣୁ ବିସ୍ଫୋରଣ ଜରିଆରେ ପରିଚିତ କରାଇ ବିଶ୍ୱ ରାଜନିତୀରେ ଦେଶର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏ ଜାତି ତାଙ୍କୁ ଚିରସ୍ମରଣୀୟ କରି ରଖିବ ।
ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ମୃତି ସଭାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କେଭି ସିଂହଦେଓ ସଭାପତିତ୍ୱ କରିଥିଲେ । ରାଜ୍ୟ ଉପସଭାନେତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦିକା ନିୟତି ଗିରି, ବିଧାୟିକା ରାଧାରାଣୀ ପଣ୍ଡା, ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଛୋଟେଲାଲ ମହନ୍ତ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁଦିପ୍ତ ରାୟ, ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାସ, ଯୁବମୋର୍ଚ୍ଚାର ଜିଲ୍ଲା ସଭାପତି ବିଶ୍ୱ ରଂଜନ ବଡଜେନା, ଲେଖାଶ୍ରୀ ସାମନ୍ତ ସିଂହାର, ଅରବିନ୍ଦ ଦାଶ ସମେତ ପ୍ରମୁଖ ବହୁ ଲୋକମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ନୀରବ ପ୍ରାର୍ଥନା ପରେ ସଭାସାଙ୍ଗ କରାଯାଇଥିଲା ।

Share in top social networks!