ମୋଦିଙ୍କ ସ୍ଲୋଗାନ ‘ସ୍କିଲ୍ ଇଣ୍ଡିଆ’ ନୁହେଁ ‘ଷ୍ଟିଲ୍ ଇଣ୍ଡିଆ’

prasadharichandanବ୍ୟାପମ୍ ଦୁର୍ନୀତିର ପ୍ରମୁଖ ଅଭିଯୁକ୍ତ ସୁଧିର ଶର୍ମାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କ ପଦାକୁ ଆସିବାପରେ ମନ୍ତ୍ରୀ ପଦରେ ରହିବାର ନୈତିକ ଅଧିକାର ଶ୍ରୀ ପ୍ରଧାନ ହରାଇଛନ୍ତି । ତେଣୁ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦେଇଥିବା ବ୍ୟାପମ୍ ଦୁର୍ନୀତିର ସି.ବି.ଆଇ. ତଦନ୍ତ ଚାଲିଥିବା ଯୋଗୁଁ ଏହାକୁ ପ୍ରଭାବମୁକ୍ତ ରଖିବା ପାଇଁ ଶ୍ରୀ ପ୍ରଧାନ ମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଗୋଟିଏପଟେ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟି କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦି ସରକାର ‘ସ୍କିଲ୍ ଇଣ୍ଡିଆ’ (କୁଶଳୀ ଭାରତ)ର ଶୁଭାରମ୍ଭ କରୁଥିବା ବେଳେ ଅନ୍ୟପଟରେ ବିଜେପିର ‘ଷ୍ଟିଲ୍ ଇଣ୍ଡିଆ (ଚୋରି ଅଭିଯାନ) ପଦାରେ ପଡିଯାଇଛି । ତେଣୁ ନରେନ୍ଦ୍ର ମୋଦି ‘ସ୍କିଲ୍ ଇଣ୍ଡିଆ’ ନା ‘ଷ୍ଟିଲ୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କଲେ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ଆୟକର ବିଭାଗ ପକ୍ଷରୁ ଅଭିଯୁକ୍ତ ଶ୍ରୀ ଶର୍ମାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ ବେଳେ ଯେଉଁ କାଗଜପତ୍ର ଜବତ ହୋଇଥିଲା ସେଥିରୁ ଶ୍ରୀ ଶର୍ମାଙ୍କ ସହ ଶ୍ରୀ ପ୍ରଧାନଙ୍କ ସଂପର୍କର ପ୍ରମାଣ ମିଳିସାରିଛି । ଶ୍ରୀ ଶର୍ମା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିମାନ ଖର୍ଚ୍ଚ ବାବଦ ଅର୍ଥ ବହନ କରିଥିଲେ ବୋଲି ଆୟକର ବିଶ୍ଳେଷଣ ରିପୋର୍ଟରେ ଉଲ୍ଲେଖ ହୋଇଛି । ସେହି ରିପୋର୍ଟରେ ଶ୍ରୀ ପ୍ରଧାନଙ୍କ ନାମ ଏକାଧିକବାର ରହିଛି । କେବଳ ଗୋଟିଏ ବର୍ଷର ଚଢ଼ଉରୁ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ ଏତିକି ପ୍ରମାଣ ମିଳିଥିବା ବେଳେ ଅଧିକ ତଦନ୍ତ ହେଲେ ସଂପର୍କର ଅଧିକ ଗୁମର ପଦାକୁ ଆସିବାର ସମ୍ଭାବନା ରହିଛି । କେବଳ ମନ୍ତ୍ରୀ ଶ୍ରୀ ପ୍ରଧାନ ନୁହଁନ୍ତି, ବିଜେପି ଓ ଆର.ଏସ୍.ଏସ୍.ର ବହୁ ନେତାଙ୍କ ନାମ ମଧ୍ୟ ଉକ୍ତ ରିପୋର୍ଟରେ ଆସିବା କଳଙ୍କମୁକ୍ତ ଶାସନର ଡିଣ୍ଡିମ ପିଟି କ୍ଷମତାକୁ ଆସିଥିବା ବିଜେପିର ଅସଲ ଚେହେରା ପଦାରେ ପଡିଯାଇଛି । ଏଭଳି ପରିସ୍ଥିତିରେ ସନେ୍ଦହ ଘେରକୁ ଆସିଥିବା ଶ୍ରୀ ପ୍ରଧାନ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ବ୍ୟାପମ୍ ହେଉଛି ଏଯାବତ୍ ପଦାକୁ ଆସିଥିବା ଦେଶର ସର୍ବ ବୃହତ୍ ଶିକ୍ଷା ଦୁର୍ନୀତି । ଏହି ଦୁର୍ନୀତି ୭୦ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ଦେଇଥିବା ବେଳେ ଏହି ଘଟଣା ପଦାକୁ ଆସିବା ପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ୪୯ ଜଣଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଲାଣି । ଏ ପ୍ରସଙ୍ଗରେ ମଧ୍ୟପ୍ରଦେଶର ବିଜେପି ସରକାର, ବିଜେପି ଓ ଆର.ଏସ୍.ଏସ୍. ନେତାମାନଙ୍କ ସଂପୃକ୍ତି ଲୋକଲୋଚନକୁ ଆସୁଥିବା ବେଳେ ଏହି ଦୁର୍ନୀତିର ତଦନ୍ତ ସି.ବି.ଆଇ. ଆରମ୍ଭ କରିଛି । ଏହି ଅଭିଯୋଗର ସଫେଇ ଦେଇ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ ଯେଉଁ ବିମାନ ଟିକେଟ୍କୁ ନେଇ ବିବାଦ ସୃଷ୍ଟି ହୋଇଛି ତାହା ମଧ୍ୟପ୍ରଦେଶ ବିଜେପି ଦଳ ପକ୍ଷରୁ କରାଯାଇଥିଲା । ଅପରପକ୍ଷରେ ଏହି ଟିକେଟ୍ ବାବଦର ଅର୍ଥ ବ୍ୟାପମ୍ ଦୁର୍ନିତିରେ ଅଭିଯୁକ୍ତ ଶ୍ରୀ ଶର୍ମା ବହନ କରିଥିଲେ ବୋଲି ତାଙ୍କ ଆୟକର ବିବରଣୀରୁ ପ୍ରମାଣିତ ହୋଇଛି । ଏପରି କହି ଶ୍ରୀ ପ୍ରଧାନ ପ୍ରମାଣିତ କରିଦେଇଛନ୍ତି ଯେ କେବଳ ସେ ନୁହଁନ୍ତି ବିଜେପି ଦଳ ଏହି ଦୁର୍ନୀତିରେ ବେକ ପର୍ଯ୍ୟନ୍ତ ବୁଡି ରହିଛନ୍ତି । ଶ୍ରୀ ପ୍ରଧାନ ମନ୍ତ୍ରୀ ପଦରେ ରହିଲେ ସି.ବି.ଆଇ. ତଦନ୍ତ ପ୍ରଭାବିତ ହେବା ଆଶଙ୍କା ଥିବାରୁ ତୁରନ୍ତ ନିଜ ସ୍ୱଚ୍ଛତା ପ୍ରଣାମ କରିବା ପାଇଁ ମନ୍ତ୍ରୀ ପଦରୁ ସେ ଇସ୍ତଫା ଦିଅନ୍ତୁ ବୋଲି ପିସିସି ପକ୍ଷରୁ ଦାବି କରାଯାଇଛି । ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନିରବତା, ସର୍ବୋପରି ବିଜେପିର ବହୁ ପ୍ରଭାବଶାଳୀ ନେତା ସଂପୃକ୍ତ ଥିବା କାରଣରୁ ମାନ୍ୟବର ସୁପି୍ରମ୍କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସି.ବି.ଆଇ. ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ।

Share in top social networks!