ପୁରୀରେ କାର୍ଯ୍ୟରେ ଯୋଗ ଦେଇନଥିବାରୁ ଦୁଇ ଜଣ ଡାକ୍ତର ନିଲମ୍ବିତ

ପୁରୀରେ ରଥଯାତ୍ରା ସମୟରେ କାର୍ଯ୍ୟକରିବା ନିମନ୍ତେ ମୁତୟନ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ ଡାକ୍ତର କାର୍ଯ୍ୟରେ ଯୋଗଦେଇ ନଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି ।
ପ୍ରକାଶ ଥାଉକି ପୁରୀ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଦୃଷ୍ଟିରୁ ସ୍ୱାସ୍ଥ୍ୟସେବା ବଜାୟ ରଖିବା ପାଇଁ ଅଧିକ ଡାକ୍ତର ଏବଂ ପାରାମେଡିକମାନଙ୍କୁ ମୁତୟନ କରାଯାଇଛି । ନୟାଗଡ ମୁଖ୍ୟଚିକିତ୍ସାଳୟରେ ସହକାରୀ ସର୍ଜନ ଭାବେ ନିଯୁକ୍ତି ପାଇଥିବା ଏସ୍.ସି.ବି ମେଡିକାଲ କଲେଜର ପୂର୍ବତନ ସିନିୟର ରେସିଡେନ୍ଟ ଡାଃ ଅଶ୍ୱନୀକୁମାର ଜେନା ଏବଂ ପୋଲସରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସହକାରୀ ସର୍ଜନ ଭାବେ ନିଯୁକ୍ତି ପାଇଥିବା ଏମ୍.କେ.ସି.ଜି ମେଡିକାଲର ପୂର୍ବତନ ସିନିୟର ରେସିଡେନ୍ଟ ଡାଃ ଜଗନ୍ନାଥ ସୁବୁଦ୍ଧିଙ୍କୁ ମଧ୍ୟ ପୁରୀରେ ମୁତୟନ କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ ସେମାନେ ପୁରୀରେ କାର୍ଯ୍ୟରେ ଯୋଗ ଦେଇ ନଥିବାରୁ ସେମାନଙ୍କୁ ସରକାର ନିଲମ୍ବନ କରିଛନ୍ତି । ପୁରୀ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କୌଣସିପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସତର୍କ କରିଦେଇଛନ୍ତି ।

Share in top social networks!