ରାଜମୁନ୍ଦ୍ରୀ ଅଘଟଣକୁ ଦୃଷ୍ଟିରେ ରଖି ସରକାର ସତର୍କତା ମୁଳକ ପଦକ୍ଷେପ ନିଅନ୍ତୁ

ଭିଭିଆଇପି ଓ ଭିଆଇପିଙ୍କ ପ୍ରତି ଅତ୍ୟଧିକ ଆନୁଗତ୍ୟ ଦେଖାଇବା କାରଣରୁ ରାଜମୁନ୍ଦ୍ରୀର ଗୋଦାବରୀ ମହାପୁଷ୍କର ଅବସରରେ ଯେଉଁଭଳି ଭାବେ ମର୍ମନ୍ତୁଦ ଅଘଟଣ ଘଟିଗଲା ସେଥିରୁ ରାଜ୍ୟ ସରକାର କିଛି ଶିକ୍ଷା ଗ୍ରହଣ କରି ନବକଳେବର ରଥଯାତ୍ରାବେଳେ କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ସର୍ତକ ରୁହନ୍ତୁ । ଯଦି ରାଜ୍ୟ ସରକାରଙ୍କ ଅସାବଧାନତା ଯୋଗୁଁ କୌଣସି ଅଘଟଣ ଘଟିଲା ତେବେ ରାଜ୍ୟବାସୀ ସରକାରଙ୍କୁ କ୍ଷମା ଦେବେ ନାହିଁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ସତର୍କ କରି ଦିଆଯାଇଛି । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ଅପାରଗତା ଯୋଗୁ ନବକଳେବର ସମଗ୍ର ପ୍ରକ୍ରିୟା, ଭିତ୍ତିଭୂମି ସଂରଚନା ଓ ବ୍ରହ୍ମ ପରିବର୍ତ୍ତନ ଯେଉଁ ବିଭ୍ରାଟ ଘଟିଛି ସେହିପରିପ୍ରେକ୍ଷୀରେ ବେଳ ଥାଉ ଥାଉ ବାକି କାର୍ଯ୍ୟ ପାଇ ରାଜ୍ୟ ସରକାର ନିଜ ତୃଟି ସୁଧାରନ୍ତୁ । କେବଳ ଉପରଠାଉରିଆ ସମୀକ୍ଷା ଛାଡ଼ି ନବକଳେବର ରଥାଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ ରଖିବା ପାଇଁ ରାଜ୍ୟ ସରକାର ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ରାଜମୁନ୍ଦ୍ରୀ ଗୋଦାବରୀ ମହାପୁଷ୍କରରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆୟୋଜନ ଥାଇବି ଏତେବଡ଼ ଅଘଟଣ ଘଟିଗଲା । ଭିଭିଆଇପି ଓ ଭିଆଇପିଙ୍କ ପ୍ରତି ଅତ୍ୟଧିକ ଆନୁଗତ୍ୟ ଦେଖାଇବା କାରଣରୁ ଏଭଳି ଦଳା ଚକଟା ସଂଘଟିତ ହେଲା ବୋଲି ଜଣାପଡ଼ିଛି । ଏପଟେ ରାଜ୍ୟ ସରକାର ଆଶା କରିଛନ୍ତି ନବକଳେବର ରଥଯାତ୍ରା ବେଳେ ଅତିକମ୍ରେ ୪୦ ଲକ୍ଷ ଭକ୍ତଙ୍କ ସମାଗମ ପୁରୀରେ ହେବ । ଏଯାବତ ସନ୍ତୋଷଜନକ ଭିତ୍ତିଭୂମି ପ୍ରସ୍ତୁତି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ, ଡ଼୍ରେନେଜ୍ କାମ ‘ବାହାଘର ବେଳେ ବାଇଗଣ ରୁଆ’ ରୀତିରେ •ଲିଛି । ଅସରାଏ ବର୍ଷାରେ ପୁରୀ ସହରର ଅବସ୍ଥା କ’ଣ ହେଲା ତାହା ରାଜ୍ୟବାସୀ ଦେଖିଛନ୍ତି ଗଣମାଧ୍ୟମ ସହାୟତାରେ । ତେଣୁ ରାଜମୁନ୍ଦ୍ରୀ ଘଟଣାକୁ ନଜରରେ ରଖି ଭିତ୍ତିଭୂମି ସଂରଚନା, ସର୍ବନିମ୍ନ ନାଗରିକ ସେବା ଯୋଗାଇ ଦେବା ସହ ସରକାର ଦାବି କରୁଥିବା ଏତେ ବଡ଼ ଜନସମାଗମକୁ ନିୟନ୍ତ୍ରଣ କରି ଅଘଟଣ ମୁକ୍ତ ରଖିବାପାଇଁ ସବୁ ବ୍ୟବସ୍ଥା କରିବାକୁ କଂଗ୍ରେସ ଦାବି କରିଛି । ଆଗାମୀ ନବକଳେବର ରଥାଯାତ୍ରାକୁ ଅଘଟଣ ମୁକ୍ତ ଉତ୍ସବ କରିବା ପାଇଁ ପ୍ରଭୁଶ୍ରୀ ଜଗନ୍ନାଥଙ୍କ ନିକଟରେ କଂଗ୍ରେସ ଗୁହାରୀ କରେ । ହେଲେ ‘ ଯାହା ପୁଅକୁ ସାପ କାମୁଡ଼ିଥାଏ ତା ମା ପାଳ ଦଉଡ଼ି ଦେଖି ଡରିବା’ ପରି ଭିତ୍ତିଭୂମି ସଂରଚନା, ସର୍ବନିମ୍ନ ସେବା ଯୋଗା ଦେବାରେ ବିଫଳ ସର୍ବୋପରି ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପାଇ ଦାୟୀ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁ କୌଣସି ଅଘଟଣ ନ ଘଟୁ ବୋଲି କଂଗ୍ରେସ ଆଶାବ୍ୟକ୍ତ କରିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁରଦୃଷ୍ଟିହୀନତା କାରଣରୁ ଯଦି କିଛି ଅଘଟଣ ଘଟେ ତେବେ ରାଜ୍ୟବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

Share in top social networks!