ରାଜ୍ୟ ସରକାରଙ୍କ ପ୍ରତାରଣା; ବିଧାନସଭା ସମ୍ମୁଖରେ ଧାରଣା ଦେବ ଓୟୁଜେ

ରାଜ୍ୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢି ବଢି ଚାଲିଥିଲା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ବି ଏ ଯାଏଁ କାର୍ଯ୍ୟକାରୀ ହୋଇ ନାହିଁ । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସାମ୍ବାଦିକମାନଙ୍କ ପ୍ରତି ପ୍ରତାରଣା ବୋଲି ଅଭିଯୋଗ କରି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଏହାର ପ୍ରତିବାଦରେ ଆଗାମୀ ମୌସୁମୀ ଅଧିବେଶନରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ।

ଭୁବନେଶ୍ୱରସ୍ଥିତ ଓୟୁଜେ ଭବନରେ ରବିବାର ଅନୁଷ୍ଠିତ ଓୟୁଜେ କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନଙ୍କ ବୈଠକରେ ରାଜ୍ୟ ସରକାରଙ୍କ ସାମ୍ବାଦିକ ବିରୋଧୀ ମନୋଭାବ ନେଇ କ୍ଷୋଭ ପ୍ରକାଶ ପାଇଥିଲା । ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବା, ସମସ୍ତ ସାମ୍ବାଦିକଙ୍କୁ ଚିହ୍ନଟ କରି ବୀମାଭୁକ୍ତ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ନେଇ ହୋଇ ଆସୁଥିବା ଦାବିକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । କେତେକ ନିଦ୍ଧିଷ୍ଠ ଦାବି ସମ୍ପର୍କରେ ନିର୍ବାଚନ ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ମଧ୍ୟ ତାହା ଏଯାଏଁ କାର୍ଯ୍ୟକାରୀ କରି ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏଥି ସହିତ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ବିପନ୍ନ ହୋଇ ପଡିଥିବା ଓ ଗୋଟିଏ ପରେ ଗୋଟିଏ ଆକ୍ରମଣ ଘଟଣା ବଢି ଚାଲିଥିବାରୁ ବୈଠକରେ ଏଥି ନେଇ ଉଦବେଗ ପ୍ରକାଶ ପାଇଥିଲା ।

ଓୟୁଜେ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ସାମ୍ବାଦିକ ୟୁନିଅନ୍ ମହାସଚିବ ପ୍ରସନ୍ନ ମହାନ୍ତି ଯୋଗ ଦେଇଥିଲେ । ଏହି ବୈଠକରେ ଜାତୀୟ ସମ୍ବାଦିକ ୟୁନିଅନ୍ର ଆଗାମୀ ଦ୍ୱିବାର୍ଷିକ ସମ୍ମିଳନୀରେ ଓୟୁଜେ ପ୍ରତିନିଧିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ସମ୍ପାଦକ କୈଳାସ ଜେନା, ମୀନାକ୍ଷି ନାଏକ, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପରିଡ଼ା, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ କିଷାନ ରାଉତ, ସଂଗଠନ ସମ୍ପାଦକ ଅମୂଲ୍ୟ ସ୍ୱାଇଁ, ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଠା ନିମାଇଁ ଚରଣ ମହାନ୍ତି, ପ୍ରମୋଦ ସାମନ୍ତରାୟ, କମ୍ବୁପାଣି ମିଶ୍ର, ସୁଜିତ୍ ବେହେରା, ଶରତ ପରିଡାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ମତ ରଖିଥିଲେ ।

Share in top social networks!