ଗଡ଼ଖୁଣ୍ଟୁଣିଆରେ ସରିଲା ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା

bjpdeoଗଡ଼ଖୁଣ୍ଟୁଣିଆ ସ୍ଥିତ ସୁଦର୍ଶନଙ୍କ ଦାରୁପୀଠ ଠାରେ ଜୁନ୍ ୩୦ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଶେଷ ହୋଇଛି । ଏହି ସାତ ଦିନ ମଧ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ରଥ ୮ଟି ଜିଲ୍ଲାର ୧୪ ଶହ କିଲୋମିଟର ସ୍ଥାନ ଅତିକ୍ରମ କରିଛି । ଏହି ଅବସରରେ ୮୫ଟି ସ୍ଥାନରେ ସାଧାରଣ ସଭା ଅନୁଷ୍ଠିତ ହେବା ସହ ଶ୍ରୀମନ୍ଦିର ପ୍ରଶାସନର ରାଜନୀତିକରଣ, ବ୍ରହ୍ମ ପରିବର୍ତନ ମହାବିଭ୍ରାଟ, ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କୁ ସରକାରଙ୍କ ବେଖାତିର ମନୋଭାବ, ଓଡ଼ିଆ ଜାତି ଓ ଜଗନ୍ନାଥ ସଂସ୍କୃତି ପ୍ରତି ସରକାରଙ୍କ କୁଠାରଘାତକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲା ।
ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାର ଉଦ୍ୟାପନୀ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ ସଭାପତିତ୍ୱ କରିଥିଲେ । ଏହି ଅବସରରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ କହିଲେଯେ, ସରକାର ଯେଉଁଭଳି ଅନୀତି କରିଛନ୍ତି, କୋଟି କୋଟି ଓଡ଼ିଆଙ୍କର ଭାବାବେଗ ସହ ଯେଉଁ ଖେଳ ଖେଳିଛନ୍ତି ତାହା ବ୍ରହ୍ମ ହତ୍ୟା ସହ ସମାନ । ସାରା ଓଡ଼ିଶାରେ ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାକୁ ଅଦ୍ଭୂତପୂର୍ବ ସଫଳତା ମିଳିଥିବାବେଳେ ସରକାରଙ୍କ ଅନୀତି ନେଇ ସ୍ୱର ଉତୋଳିତ ହୋଇଛି । ଯାତ୍ରାର ସଫଳତା ପାଇଁ ଜନସାଧାରଣ ଅକୁଣ୍ଠ ସହଯୋଗ ଦେଇଥିବାରୁ ଶ୍ରୀ ସିଂହଦେଓ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ସରକାରଙ୍କ ବ୍ରହ୍ମ ପରିବର୍ତନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଲେଯେ, ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାକୁ ଓଡ଼ିଶାର କୋଣ ଅନୁକୋଣରେ ସମର୍ଥନ ମିଳିଛି । ରାଜ୍ୟର ସବୁ ଜିଲ୍ଲାରେ ବିଜେପି ପକ୍ଷରୁ ବ୍ରହ୍ମ ପରିବର୍ତନ ବିଭ୍ରାଟ ନେଇ ସ୍ୱର ଉତୋଳନ କରାଯାଇଛି । ଦାରୁ ଚୟନରୁ ବ୍ରହ୍ମ ପରିବର୍ତନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଭ୍ରାଟ ପରିଲକ୍ଷିତ ହୋଇଛି । ମହାବିଭ୍ରାଟର ଖଳନାୟକ ମୁଖ୍ୟମନ୍ତ୍ରୀ ଏଯାଏଁ ଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା ମଧ୍ୟ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ପ୍ରାୟଶ୍ଚିତ କରିବାକୁ ପଡ଼ିବ । ଜଗନ୍ନାଥଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ଲଢ଼େଇ କରିବ ବୋଲି ସେ କହିବା ସହ ଧର୍ମ-ଅଧର୍ମ, ପାପପୂଣ୍ୟ ଓ ନୀତି-ଅନୀତି ମଧ୍ୟରେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ନବକଳେବର ପରେ ସରକାରର ଅବସ୍ଥା କ’ଣ ହୋଇଛି ତାହାର ସେ ଅବତାରଣା କରିବା ସହ ଇତିହାସ ପୁଣି କଡ଼ ଲେଉଟାଇବ ବୋଲି ଚେତାବନୀ ଦେଇଥିଲେ । ବିଜେପି ହୀନ ରାଜନୀତି ନକରି ରାଜ୍ୟର ବିକାଶ ଓ ସଂସ୍କୃତି ସୁରକ୍ଷା ପାଇଁ ଲଢ଼େଇ କରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।
ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେଯେ, ଭକ୍ତର ସମର୍ପଣ ଭାବନା ସହ ସରକାର ଯେଉଁ ଖେଳ ଖେଳିଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ । ସୁଦର୍ଶନ ଚକ୍ର ପାପୀ ଓ ଅପରାଧୀଙ୍କ ଶିରଚ୍ଛେଦନ କରିବ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ ।
ବରିଷ୍ଠ ନେତା ତଥା ଯାତ୍ରା ପ୍ରମୁଖ ମନମୋହନ ସାମଲ କହିଲେଯେ, ରାଜ୍ୟ ସରକାର ଯେଉଁଭଳି ଭାବେ ଅନ୍ୟାୟ ଅନୀତି କରୁଛନ୍ତି ତାହାକୁ ଭଗବାନ ସହିବେ ନାହିଁ । ଏହି ଯାତ୍ରା ସମସ୍ତଙ୍କ ଆଖି ଖୋଲି ଦେଇଥିବାବେଳେ ସରକାରଙ୍କ ଶେଷ ସମୟ ଆସିଯାଇଛି । ଲୋକେ କେମିତି ପ୍ରତିଶୋଧ ନେବେ ତାହା ଭବିଷ୍ୟତରେ ନବୀନ ପଟ୍ଟନାୟକ ଦେଖିବେ ବୋଲି ଶ୍ରୀ ସାମଲ କହିଥିଲେ ।
ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାବେଳେ ଜନସାଧାରଣ ଯେଉଁ ଦାନ ଦେଇଥିଲେ ତାହାକୁ ଜଗନ୍ନାଥଙ୍କ ହୁଣ୍ଡିଙ୍କୁ ଦାନ କରାଯାଇଥିଲା । ସମାରୋପ ଉତ୍ସବରେ ବିଜେପିର ସଂଗଠନ ସମ୍ପାଦକ ପ୍ରସନ୍ନ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପ୍ରତାପ ଷଡ଼ଙ୍ଗୀ, ସୁରମା ପାଢ଼ୀ, ବାଇଧର ମଲ୍ଲିକ୍, ଭ୍ରୁଗୁ ବକ୍ସିପାତ୍ର, ଡକ୍ଟର ଯତୀନ୍ ମହାନ୍ତି, ସଜ୍ଜନ ଶର୍ମା, ସମୀର ମହାନ୍ତି, ପ୍ରସନ୍ନ ପଟ୍ଟନାୟକ, ସୁଦୀପ୍ତ ରାୟ, ପ୍ରଭାତୀ ପରିଡ଼ା, ଦିଲୀପ ମହାନ୍ତି, ଅମୀୟ ଦାସ, ଜଗନ୍ନାଥ ପ୍ରଧାନ ଓ ବସନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!