ଆସନ୍ତା କାଲି ଭୁବନେଶ୍ୱରରୁ ପୁଣି ବାହାରିବ ଅନ୍ତିମ ପର୍ଯ୍ୟାୟର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା

ଭାରତୀୟ ଜନତା ପାର୍ଟି ଆହ୍ୱାନରେ ଦାରୁ ଅନ୍ୱେଷଣ, ବ୍ରହ୍ମ ପରିବର୍ତ୍ତନ ଏବଂ ନବକଳେବର ପ୍ରସ୍ତୁତିର ମହାବିଭ୍ରାଟ ପ୍ରତିବାଦରେ ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାକୁ ଉତ୍ତର ଓଡିଶାରେ ସଫଳ ଏବଂ ବିପୁଳ ଜନସମର୍ଥନ ମିଳିଥିବାରୁ, ଆସନ୍ତା କାଲି ଭୁବନେଶ୍ୱରର ଧର୍ମବିହାର, ଜାଗମରା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଅନ୍ତିମ ପର୍ଯ୍ୟାୟର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ରଥ ବାହାରିବ ।
ଜଗନ୍ନାଥ ହେଉଛନ୍ତି ଆମ ଜାତିର ପରିଚୟ । ତାଙ୍କର ନବକଳେବର ଯାତ୍ରାକୁ ଖାମଖିଆଲି ଢଙ୍ଗରେ ରାଜ୍ୟ ସରକାର ଆୟୋଜନ କରିବା କାରଣରୁ ରାସ୍ତାଘାଟ, ରହିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ବିଦ୍ୟୁତୀକରଣର ଅବ୍ୟବସ୍ତା, ଲକ୍ଷାଧିକ ଯାତ୍ରୀଙ୍କ ରହିବା ସ୍ଥାନ ଆଦିର ଆୟୋଜନର ବିଫଳତା କାରଣରୁ ଲୋକଙ୍କର ସ୍ୱାଭାବିକ କ୍ଷୋଭ ଅଛି । କିନ୍ତୁ ଦାରୁ ଅନ୍ୱେଷଣ ଓ ଶଗଡ ଯାତ୍ରାର ରାଜନୈତିକ ଓ ବ୍ୟବସାୟୀକରଣ କରାଯିବା ସହ ବ୍ରହ୍ମ ସ୍ଥାପନାରେ ମହାବିଭ୍ରାଟ, ସମଗ୍ର ଜଗନ୍ନାଥ ଭକ୍ତଙ୍କୁ ଅଧିକ ମର୍ମାହତ କରିଛି । ଏପର୍ଯ୍ୟନ୍ତ କୌଣସି ଭିତ୍ତିଭୂମିର କାର୍ଯ୍ୟ ମଧ୍ୟ ଶେଷ ହୋଇ ନାହିଁ । କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତରବର ଭାବେ ଏ ସମସ୍ତ ପ୍ରକଳ୍ପକୁ ଉଦ୍ଘାଟନ କରି ବିକ୍ଷୁବ୍ଧ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ସହ ନିଜର ହୀନ ରାଜନୈତିକତାର ପରିଚୟ ଦେଇଛନ୍ତି ।
ଏହି ଅନ୍ତିମ ପର୍ଯ୍ୟାୟ ଯାତ୍ରା ଆସନ୍ତା କାଲି ସକାଳ ୯.୩୦ ଘଟିକାରେ ଜାଗମରାରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ଅନ୍ଧାରୁଆ, ଚନ୍ଦକା, କଣ୍ଟାବାଡ, ମେଣ୍ଢାଶାଳ, ପିତାପଲ୍ଲୀ, ଖୋର୍ଦ୍ଧା, ଜଙ୍କିଆ, ରାମେଶ୍ୱର, ଟାଙ୍ଗୀ, ଚାନ୍ଦପୁର, ରଣପୁର, ସୁନାଖଳା, ବୋଲଗଡ, ଇଟାମାଟି ହୋଇ ନୟାଗଡ଼ ଠାରେ ରାତ୍ରୀ ଯାପନ କରିବ । ଏହି ଯାତ୍ରାରେ ରାଜ୍ୟ ସଭାପତି ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହିତ ବିଧାୟକ ଦଳ ନେତା ବସନ୍ତ ପଣ୍ଡା, ଉପ ସଭାପତି ପ୍ରତାପ ଷଢଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନ, ରାଷ୍ଟୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ପ୍ରଦୀପ ପୁରୋହିତ୍, ବିଭୁତି ହରିଚନ୍ଦନ, ସମୀର ମହାନ୍ତି, ସୁଦୀପ୍ତ ରାୟ, ଜିତୁ ମିତ୍ର, ସୁରମା ପାଢୀ, ଯତୀନ୍ ମହାନ୍ତି, ସୁକାନ୍ତ ପାଣିଗ୍ରାହୀ, ରୁଦ୍ର ମାଧବ ରାୟ, ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ ବୋଲି ରାଜ୍ୟ ବିଜେପି ମିଡିଆ ସେଲ୍ ପକ୍ଷରୁ ପ୍ରକାଶ ।

Share in top social networks!