ନବୀନଙ୍କର ନାଟକବାଜି ଆଉ ଚଳିବ ନାହିଁ : ବିଜୟ

bjppବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାକୁ ସ୍ୱତଃସ୍ଫୂର୍ତ୍ତ ଓ ଅକୁଣ୍ଠ ଜନସମର୍ଥନ ମିଳୁଛି । ନବକଳେବର ବିଭ୍ରାଟ ଓଡ଼ିଆର ଭାବାବେଗକୁ କେତେ ଆଘାତ କରିଛି ତାହା ଏହି ଯାତ୍ରାରୁ ସ୍ପଷ୍ଟ ଅନୁମେୟ । ନବକଳେବର ପରିଚାଳନା ନେଇ ସରକାରଙ୍କ ବେପରୁଆ ଓ ଅହଙ୍କାର ମନୋବୃତ୍ତିକୁ ଓଡ଼ିଆ ଜାତି ନାପସନ୍ଦ କରିଛି । ହେଲେ ଏହି ଯାତ୍ରାକୁ ଭଣ୍ଡୁର କରିବା ପାଇଁ ସରକାର କୁତ୍ସିତ ଉପାୟ ଅବଲମ୍ବନ କରୁଛନ୍ତି । ଏଥିରୁ ସରକାର ଭୀତତ୍ରସ୍ତ ହୋଇ ପଡ଼ିଥିବା ପ୍ରମାଣିତ ହୋଇଛି । ନବକଳେବର ଭଳି ଏକ ମହାନ ପରମ୍ପରା ଓ ସଂସ୍କୃତିକୁ ନେଇ ସରକାର ଯେଉଁଭଳି ନାଟକ କରୁଛନ୍ତି ତାହା ନବୀନଙ୍କର ଶେଷ ନାଟକବାଜି । ଏ ନାଟକ ବାଜି ଆଉ ଚଳିବ ନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେଯେ, ନବକଳେବର ବିଭ୍ରାଟକୁ ନେଇ ସରକାର କାଠଗଡ଼ାରେ । ଏବେ ସରକାର କାଠଗଡ଼ାରୁ ଓହ୍ଲାଇବାକୁ ନାଟକବାଜି କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହେବେନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବହିଷ୍କାର, ବିଚାର ବିଭାଗୀୟ ତଦନ୍ତ ଓ ସିଏମ୍ ମୁହଁ ଖୋଲନ୍ତୁ ବୋଲି ବିଜେପି ଦାବି କରି ଆସୁଥିଲେ ମଧ୍ୟ ଏଯାଏଁ ସରକାର ଏଥିରୁ ଗୋଟିଏ ବି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏବେ ମୁଖ୍ୟମନ୍ତ୍ରୀ ବିଜେପି ଦ୍ୱାରା ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରାର ପ୍ରଭାବ ଓ ବିପୁଳ ଜନସମର୍ଥନକୁ ଦେଖି ଭୟଭୀତ ହୋଇ ଏକ ବ୍ୟାପକ ବ୍ୟାହବହୁଳ ପୁରୀ ଗସ୍ତକୁ ବାହାରିଛନ୍ତି । ରଥଯାତ୍ରା ପାଖେଇ ଆସୁଥିବାବେଳେ ସିଏମ୍ଙ୍କ ଏହି ନାଟକବାଜିରୁ ପ୍ରମାଣିତ ହୋଇଯାଇଛିଯେ, ସମସ୍ତ ଘଟଣାରେ ସେ ଦୋଷୀ ଓ ଅପରାଧୀ । ତୃତୀୟ ମହଲା ଏବେ ସବୁ ବିଶୃଙ୍ଖଳା ଓ ଅପରାଧର ଏନ୍ତୁଡ଼ିଶାଳ ପାଲଟିଛି ବୋଲି ଶ୍ରୀ ମହାପାତ୍ର ସମାଲୋଚନା କରିଛନ୍ତି ।
ରଥଯାତ୍ରାର ସୁପରିଚାଳନା ପାଇଁ ଓ ସର୍ବଦଳୀୟ ସମ୍ମିଳନୀ ଡକାଯିବା ଆବଶ୍ୟକ ଏବଂ ପାନୀୟ ଜଳ, ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ, ନାଳ ନର୍ଦ୍ଧମା ସଫା, ସ୍ୱାସ୍ଥ୍ୟ ଏବଂ ସର୍ବପରି ରାସ୍ତା ନିର୍ମାଣର ସମୀକ୍ଷା ହେବା ଆବଶ୍ୟକ ବୋଲି ବିଜେପିର ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।

ଶ୍ରୀ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ରଥଯାତ୍ରା ରାଜ୍ୟବ୍ୟାପୀ ଚାଲିଛି ଏବଂ ଏଥିରେ ଜନସାଧାରଣଙ୍କ ଉଚ୍ଛ୍ୱସିତ ଭାବାବେଗ ରହିଥିବା ଦେଖା ଦେଇଛି । ଭାରତୀୟ ଜନତା ପାର୍ଟିର ସମସ୍ତ ନେତୃମଣ୍ଡଳୀ ଏଥିରେ ସକ୍ରିୟ ଭାବେ ଭାଗ ନେଇଛନ୍ତି । ସୁଦୂର ମୟୁରଭଂଜ ଠାରୁ ନୂଆପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସଭାସମିତି ଜରିଆରେ ବିଜେପି ଜଗନ୍ନାଥ ସଂସ୍କୃତିର ପ୍ରଚାରରେ ଭାଗନେଇଛି । ସମାଜର ବିଭିନ୍ନ ବର୍ଗରେ ବ୍ରହ୍ମ ପରିବର୍ତ୍ତନ ସମ୍ପର୍କରେ ବିଶୃଙ୍ଖଳା ଯୋଗୁଁ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପରିଲକ୍ଷିତ ହୋଇଛି । ବିଜେଡି ସରକାର ସମ୍ପୂର୍ଣ୍ଣ ଭାବେ ବିଫଳତା ଏବଂ ବିଶୃଙ୍ଖଳତାରେ ଚରମ ନିଦର୍ଶନ ଦେଖାଇଛନ୍ତି ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ହିଁ ଦାୟୀ ବୋଲି ସେ କହିଥିଲେ ।
ମନ୍ଦିର ପ୍ରଶାସକ, ପ୍ରଶାସକଙ୍କୁ ବହିଷ୍କାର କରିବା ଏବଂ ଏହି ଅନିୟମିତତା ପାଇଁ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଶ୍ରୀ ମହାପାତ୍ର ତାଙ୍କ ଦାବୀ ଦୋହରାଇ ମୁଖ୍ୟମନ୍ତ୍ରୀ ଏହି ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ଦାବୀ କରିଥିଲେ । ସରକାର ଚଳାଉଥିବା ତୃତୀୟ ମହଲାରେ ହିଁ ଏହି ବିଶୃଙ୍ଖଳାର ଜନକ ବୋଲି ଅଭିହିତ କରି ସେ କହିଲେ ଯେ ତୃତୀୟ ମହଲାର କର୍ମକର୍ତ୍ତା, ମନ୍ଦିର ପ୍ରଶାସକ ଏବଂ ବିଜେଡିର କର୍ମକର୍ତ୍ତା ସାଜିଥିବା କେତେକ ମନ୍ଦିର ଦଇତାପତି ଆଜି ଆଦିଙ୍କ ଟେଲିଫୋନ୍ରୁ କରାଯାଇଥିବା କଲ୍ ଆଦି ପ୍ରକାଶିତ କରାଗଲେ ବିଜେଡି ସରକାର କିଭଳି ଜଘନ୍ୟ ଅପରାଧ କରିଛନ୍ତି ତାହା ସ୍ପଷ୍ଟ ରୂପେ ପ୍ରମାଣିତ ହେବ ।
ନବକଳେବର ଯାତ୍ରାକୁ ନବୀନ ଯାତ୍ରା ଭାବରେ ରୂପାୟିତ କରି ଏହି ସରକାର ଯେଉଁ ଜଘନ୍ୟ ନାଟକବାଜୀ ସୃଷ୍ଟି କରୁଛି ତାହା ନିନ୍ଦା କରି ଏହି ସମ୍ପର୍କରେ ଆଇନ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କୁ କାଠଗଡାରେ ଠିଆ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ରାଜ୍ୟ ସରକାର ବର୍ତ୍ତମାନ କେଉଁ ବିଭାଗରେ କେତେ ଖର୍ଚ୍ଚ କରିଛନ୍ତି ତାହା ଲୋକ ଲୋଚନକୁ ପ୍ରକାଶ କରିବା ଆବଶ୍ୟକ । ଏଥିରେ ଅନେକ ଅନିୟମିତତା ଓ ବେଆଇନ୍ କାର୍ଯ୍ୟ ଚାଲିଥିବା ତଥା ଦୁର୍ନୀତି ରହିଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରଷ୍ଠ ବିଜେପି ନେତା ସମୀର ମହାନ୍ତି, ଭ୍ରୁଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଓ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!