ବ୍ରହ୍ମ ବିଭ୍ରାଟ: ଜୁନ୍ ୩୦ରୁ ଜୁଲାଇ ୬ ଯାଏଁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବିଜେପି

kanakbjpପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ବିଭ୍ରାଟ କୋଟି କୋଟି ଓଡ଼ିଆ ଓ ଦେଶ ବିଦେଶର ଜଗନ୍ନାଥଙ୍କ ଭକ୍ତଙ୍କୁ ବ୍ୟଥିତ କରିଛି । ହେଲେ ରାଜ୍ୟ ସରକାର ଶୋଇ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ ଏଯାଏଁ ଶ୍ରୀମନ୍ଦିର ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବରଂ ଯିଏ ଦଣ୍ଡିତ ହେବା କଥା ତାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସରକାରୀ ଦଳର ନେତାମାନେ ମନ୍ଦିର ପ୍ରଶାସନ ଓ ପ୍ରଭୁ ଜଗନ୍ନାଥଙ୍କ ରୀତିନୀତିରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ବ୍ରହ୍ମ ବିଭ୍ରାଟକୁ ନେଇ ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଏନେଇ ଆନେ୍ଦାଳନ କରିବାକୁ ନିଷ୍ପତି ନେଇଛି । ଆସନ୍ତା ଜୁନ୍ ୩୦ରୁ ଜୁଲାଇ ୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ବିଜେପି ଜନଚେତନାକୁ ଜାଗରିତ କରିବ ବୋଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି ।
ଏହି ଅବସରରେ ଶ୍ରୀ ସିଂହଦେଓ କହିଲେଯେ, ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆହୂତ ଗଣଧାରଣାକୁ ବିଜେପି ସମର୍ଥନ ଦେଇଛି । ପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ସରକାର ଯେଉଁଭଳି ହାଲ୍କା ଭାବେ ନେଉଛି ବିଜେପି ତାହାର ତୀବ୍ର ବିରୋଧ କରିଛି । ଆସନ୍ତାକାଲି ଜରୁରୀକାଳୀନ ପରିସ୍ଥିତି ପାଇଁ କଳାଦିବସ ପାଳିତ ହେବାକୁ ଯାଉଥିବାବେଳେ ଜୁନ୍ ୩୦ରୁ ଜୁଲାଇ ୬ ପର୍ଯ୍ୟନ୍ତ ବିଜେପି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଛନ୍ତି ।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏସମ୍ପର୍କରେ ସୂଚନା ଦେଇ କହିଲେଯେ, ଚଳିତ ନବକଳେବରକୁ ଅତି ଖାମଖିଆଲି ଭାବେ ପରିଚାଳନା କରାଯାଇଛି । ଦାରୁ ଚୟନରୁ ନେଇ ବ୍ରହ୍ମ ପରିବର୍ତନ ପର୍ଯ୍ୟନ୍ତ ସବୁଠି କେବଳ ବିଭ୍ରାଟ ହିଁ ପରିଲକ୍ଷିତ ହୋଇଛି । ସରକାରୀ କଳର ସଂପୃକ୍ତି, ମନ୍ଦିର ପ୍ରଶାସନରେ ଅବହେଳା, ମୁଖ୍ୟମନ୍ତ୍ରୀ ଓ ଆଇନ୍ମନ୍ତ୍ରୀଙ୍କ ଦାୟିତ୍ୱହୀନତା ସୀମା ଟପିଯାଇଛି । ସରକାରଙ୍କ ଏଭଳି ଅପାରଗତା ବିରୋଧରେ ବିଜେପି ସାରା ରାଜ୍ୟରେ ଆନେ୍ଦାଳନ କରିବ । ଦଳର ବରିଷ୍ଠ ନେତାମାନେ ବିଭିନ୍ନ ଅଂଚଳ ଗସ୍ତ କରି ସେଠାରେ ଜନଚେତନାକୁ ଜାଗରିତ କରିବେ । ଜନସାଧାରଣଙ୍କ ମନରେ ଯେଉଁ ପ୍ରତିକ୍ରିୟ ସୃଷ୍ଟି ହୋଇଛି ବିଜେପି ତାହାକୁ ଆଗକୁ ନେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେ କହିଲେଯେ, ବିଜେଡିର ଦଇତାପତି ସେବକମାନଙ୍କ ଦ୍ୱାରା ଶ୍ରୀମନ୍ଦିର ଇତିହାସରେ କଳୁଶିତ ଅଧ୍ୟାୟ ସୃଷ୍ଟି ହୋଇଛି । ଏଯାଏଁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ବହିଷ୍କାର କରାଯାଇନାହିଁ ଶ୍ରୀମନ୍ଦିର ପରିଚାଳନା ଆଇନ ଧାରା ୩୦ ରେ ସରକାରଙ୍କୁ ବହୁତ କ୍ଷମତା ଦିଆଯାଇଥିଲେ ମଧ୍ୟ ସରକାର ସେହି ଦାୟିତ୍ୱ ତୁଲାଇ ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଦୋଷୀ ବୋଲି ମୁହଁ ଖୋଲୁ ନାହାଁନ୍ତି । ମନ୍ତ୍ରୀ ଦାରୁ ଶଗଡିରେ ବସିଥିଲେ, ସବରପଲ୍ଲୀରେ ବସି ମଧ୍ୟ ନିତି ନିୟମ ଉଲ୍ଲଘଂନ କରିଛନ୍ତି । ଯେଉଁ ମନ୍ତ୍ରୀ ନବକଳେବର କାର୍ଯ୍ୟରେ ବିଭ୍ରାଟ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଏହାର ବିଚାର ବିଭାଗୀୟ ତଦନ୍ତ କରିବା ମଧ୍ୟ ସେ ଦାବୀ କରିଥିଲେ ।
ଅନ୍ୟ ମୁଣ୍ଡରେ ଦୋଷ ଦେଇ ଆଉ ସେ ଖସି ପାରିବେ ନାହିଁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଗାଲରେ ଆହୁରୀ ବ୍ରହ୍ମ ଚାପୁଡା ବସିବ । ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ଚାପୁଡା ମାରିଛନ୍ତି । ପ୍ରତିଶୋଦ୍ଧ ମୂଳକ ପରାୟଣ ହୋଇ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥିଲେ, ତାହାକୁ କୋର୍ଟ ଭର୍ତ୍ସନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଧରା ପଡିଯାଇଛନ୍ତି ଆଉ ଖସି ଯିବାର ବାଟ ନାହିଁ । ସଚିବାଳୟ ତୃତୀୟ ମହଲାର ବିଶୃଙ୍ଖଳା ସାରା ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛି । ଓଡିଶା ବାସୀ ସେମାନଙ୍କୁ ବ୍ରହ୍ମ ଶାସ୍ଥି ଦେବେ ବୋଲି ଶ୍ରୀ ମହାପାତ୍ର କହିଥିଲେ ।
ଗତକାଲିର ପୁରୀରେ ଐତିହାସିକ ବନ୍ଦ ପାଳନ ହୋଇଥିବାବେଳେ ଏଥିପାଇଁ ଓକିଲ ସଂଘ, ହାଇକୋର୍ଟ ବାର ଆସୋସିଏସନ୍କୁ ଶ୍ରୀ ମହାପାତ୍ର ବିଜେପି ପକ୍ଷରୁ ଧନ୍ୟବାଦ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସଂପାଦକ ଡଃ ଯତୀନ ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!