ବିଶ୍ୱ ହିନ୍ଦୁ ପରିଷଦର ଗଣଧାରଣା ଡାକରାକୁ ବିଜେପିର ସମର୍ଥନ; ସପ୍ତାହବ୍ୟାପୀ ରାଜ୍ୟସାରା ପ୍ରତିବାଦ କରିବ ବିଜେପି

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବରର ସମସ୍ତ ରୀତିନୀତି ଦାରୁ ଛେଦନଠାରୁ ଆରମ୍ଭ କରି ବ୍ରହ୍ମ ପରିବର୍ତନ ପର୍ଯ୍ୟନ୍ତ ଯେଉଁଭଳି ଭାବେ ବିଭ୍ରାଟ ଦେଖାଦେଇଛି ତାହା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ହେଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଯାଏଁ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ଗଜପତି ମହାରାଜା କହିବା ପରେ ବି ଚେତିନାହାନ୍ତି । ଏଭଳି ଅପାରଗ ଓ ଧର୍ମଦ୍ରୋହୀ ସରକାର ବିରୋଧରେ ଆସନ୍ତାକାଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସାରା ଓଡ଼ିଶାରେ ଯେଉଁ ଗଣଧାରଣା ଡାକରା ଦିଆଯାଇଛି ତାହାକୁ ବିଜେପି ସମର୍ଥନ କରିବ । ଦଳର ମୁଖପାତ୍ର ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଏହି ମହାବିଭ୍ରାଟ ନେଇ ରାଜ୍ୟ ବିଜେପି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିବ । ଆସନ୍ତାକାଲି ସପ୍ତାହବ୍ୟାପୀ ଆନେ୍ଦାଳନ ନିମନ୍ତେ କାର୍ଯ୍ୟଖସଡ଼ା ସମ୍ପର୍କରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ଘୋଷଣା କରିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ସେ କହିଲେଯେ, ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଯେଉଁ ପ୍ରକାରର ଅବ୍ୟବସ୍ଥା , ସ୍ୱେଚ୍ଛାଚାର ଓ ପରମ୍ପରାର ଉଲଙ୍ଘନ ପ୍ରଭୃତି ଅଶାସ୍ତ୍ରୀୟ କାରବାର ଚାଲିଛି ଓ ସର୍ବୋପରି ଏ ଭଳି ବିଭ୍ରାଟର ନାୟକ ମୁଖ୍ୟ ପ୍ରଶାସକଙ୍କୁ ସରକାର ନିଲମ୍ବନ ନ କରି ତାଙ୍କ ଦ୍ୱାରା ତଦନ୍ତ କରାଇବା ଭଳି ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରୁଛନ୍ତି ବିଜେପି ତାହାର ଦୃଢ଼ ପ୍ରତିବାଦ କରୁଛି । ଏଭଳି ଘଟଣା ଓଡିଶା, ଭାରତ ତଥା ବିଶ୍ୱର ସବୁ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ସ୍ତମ୍ଭୀଭୂତ କରିବା ସହିତ ସେମାନଙ୍କ ଧର୍ମୀୟ ଭାବନା ଓ ବିଶ୍ୱାସକୁ ଆଘାତ ଦେଇଛି । ତେଣୁ ଜିଲ୍ଲା ସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଏଭଳି ବିଭ୍ରାଟ ଓ ସରକାରଙ୍କ ଉଦାସୀନତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ । ଏଥିପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତି ନିମନ୍ତେ ଆସନ୍ତାକାଲି ପୂର୍ବାହ୍ନ ୧୦ ଟା ସମୟରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ପଦାଧିକାରୀ ଯୋଗଦେବେ ।
ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା ଓ ରାଜ୍ୟ ବିଜେପି ସମ୍ପାଦକ ଡକ୍ଟର ଯତୀନ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!