ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଗୁରୁତ୍ୱ

ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ସହ କୌଣସି ପ୍ରକାର ମହାମାରୀ ପ୍ରତି ସତର୍କ ରହିବା ଏବଂ ଖାଦ୍ୟ ପଦାର୍ଥ ଏବଂ ପାନୀୟଜଳ ମାନ ଯାନ୍ଚ ପ୍ରକ୍ରିୟାକୁ ଜୋରଦାର କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କଡା ନିଦେ୍ର୍ଧଶ ଦେଇଛନ୍ତି ।
ପୁରୀ ସହର ସମେତ ଜିଲ୍ଲାର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସଂପର୍କରେ ଆଜି ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଥିଲେ । ଆସନ୍ତା ନବକଳେବର ରଥଯାତ୍ରା ସମୟରେ ଜନସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ବର୍ତମାନ ଥିବା ବିଭିନ୍ନ ହୋଟେଲ ଠାରୁ ଆରମ୍ଭ କରି ଅସ୍ଥାୟୀ ଭାବେ ଖୋଲୁଥିବା ହୋଟେଲ ଏବଂ ଜଳଖିଆ ଦୋକାନରେ ମିଳୁଥିବା ଖାଦ୍ୟପଦାର୍ଥ ଏବଂ ବିକ୍ରିହେଉଥିବା ପାଣି ବୋତଲ ସମେତ ପାଣି ପାଉଚ ଗୁଡିକର ମାନ ପରୀକ୍ଷା କରିବା ଏବଂ ସେହିଭଳି ପାଉଚ ପ୍ରସ୍ତୁତ କାରଖାନ ଗୁଡିକ ଉପରେ ଚଢାଉ ଜୋରଦାର କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ପଦାଧିକାରୀଙ୍କୁ କଡା ନିଦେ୍ର୍ଧଶ ଦେଇଛନ୍ତି । ଏ କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରାଇ ଦେଇଛନ୍ତି । ପୁରୀ ଏବଂ ଭୁବନେଶ୍ୱର ଆଦିରେ ଥିବା ସମସ୍ତ ପାଣି ପାଉଚ ପ୍ରସ୍ତୁତକାରୀ ସଂସ୍ଥା ଗୁଡିକୁ ଯାନ୍ଚ କରିବାକୁ କୁହାଯାଇଛି । ସେହିପରି ପୁରୀ ସହରରେ ଥିବା ସମସ୍ତ ନଳକୂପ ଏବଂ ପାନୀୟଜଳ ଉତ୍ସଗୁଡିକୁ ନିୟମିତ ଯାନ୍ଚ କରାଯିବା ସହ ଯେଉଁ ଗୁଡିକର ପାଣି ଦୁଷିତ ଥିବ ସେଗୁଡିକୁ ତୁରନ୍ତ ସିଲ୍ କରି ଦେବାକୁ କୁହା ଯାଇଛି ।
ଋଥଯାତ୍ରା ସମୟରେ ପୁରୀ ବଡଦାଣ୍ଡରେ ୩୦ ଟି ଆମ୍ବୁଲାନ୍ସ ରହିବ । ସେଗୁଡିକ ପ୍ରତି ୭୫ ମିଟରରେ ଗୋଟିଏ ଲେଖାଏ ରହିବ । ଏତଦ୍ବ୍ୟତିତ ପୁରୀ ମ୍ୟୁନିସପାଲିଟି ଅନ୍ଚଳରେ ଆଉ ୫୦ ଟି ଆମ୍ବୁଲାନ୍ସ ରହିବ । ପ୍ରତି ରଥ ପଛେ ପଛେ ଗୋଟିଏ ଲେଖା ଆମ୍ବୁଲାନ୍ସ ମଧ୍ୟ ରହିବ । ଉଦ୍ଧାର ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ନିତ କରାଯିବ । ସହରରରେ ପ୍ରାୟ ୮୦ ଟି ଫାଷ୍ଟଏଡ୍ କେନ୍ଦ୍ର ଖାଲାଯିବ । ଏହି କେନ୍ଦ୍ର ଗୁଡିକ ଦୁଇଟି ପର୍ଯ୍ୟାୟରେ ଆସନ୍ତା ମାସ ୧୭ ତାରିଖରୁ ୧୯ ତାରିଖ ଏବଂ ୨୬ ତାରିଖରୁ ୨୯ ତାରିଖ ଯାଏ କାର୍ଯ୍ୟକରିବ । ବର୍ତମାନ ପୁରୀର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୪୦୮ ଟି ଶଯ୍ୟା ରହିଛି । ଆଉ ୫୨୦ ଟି ନୂତନ ଶଯ୍ୟା ଉପଲବ୍ଧ କରାଯାଇଛି । ସେଥିରୁ ଆୟୁର୍ବେଦିକ ଡାକ୍ତରଖାନାରେ ୨୦୦ , ସଂକ୍ରାମକ ଡାକ୍ତରଖାନାରେ ୨୦୦ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୦ ଟି ନୂତନ ଶଯ୍ୟା ଉପଲବ୍ଧ କରାଯାଇଛି । ରଥଯାତ୍ରା ସମୟରେ ଅଧିକ ୯୪ ଜଣ ଡାକ୍ତରଙ୍କ ସମେତ ପ୍ରାୟ ୬୨୬ ଜଣ ପାରାମେଡିକ , ଫାର୍ମାଶିଷ୍ଟ ଏବଂ ସହାୟକ ଆଦି ନିୟୋଜିତ ହେବେ । ସେମାନେ ଆସନ୍ତା ୩୦ ତାରିଖ ସୁଦ୍ଧା ସେଠାରେ କାର୍ଯ୍ୟରେ ଯୋଗ ଦେବେ ବୋଲି ପ୍ରକାଶ । ପୁରୀ ସହର ବ୍ୟତିତ ବ୍ଲକ୍ ଅଂଚଳରେ ୧୧ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ୬ ଟି ଏରିଆ ହସପିଟାଲ ଏବଂ ୪୭ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ( ନୂତନ ) ରହିିଛି । ସେହି ସବୁ ଅଂଚଳରେ ୨୫ ଟି ଫାଷ୍ଟଏଡ୍ କେନ୍ଦ୍ର ମଧ୍ୟ ଖୋଲିବ ଏବଂ ୪୯ ଟି ଆମ୍ବୁଲାନ୍ସ ଉପଲବ୍ଧ କରାଯିବ । ସେହିପରି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ କୁହାଯାଇଛି । ସେଥି ପାଇଁ ସ୍ୱତନ୍ତ୍ର ଭାବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ରୂପା ମିଶ୍ର , ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶକ ଡାଃ ଚିତରଞ୍ଜନ ନାୟକ , ପରିବାର କଲ୍ୟାଣ ନିର୍ଦ୍ଧଶିକା ଡାଃ ନିର୍ମଳା କୁମାରୀ ଦେଇ , ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାଃ କୈଳାସ ଚନ୍ଦ୍ର ଦାଶ , ଯୁଗ୍ମସଚିବ ସୁରଜିତ ଦାଶ , ଖାଦ୍ୟ ନିରାପତା କମିଶନର ବାବାଜୀ ଚରଣ ଦାସଙ୍କ ସମେତ ପୁରୀ ଜିଲ୍ଲାମୁଖ୍ୟ ଚିକିତ୍ସା ଏଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!