ଭୁବନେଶ୍ୱରରେ ହେବ ଏଫ୍ଏଚ୍ଆର୍ଏଆଇର ୫୦ତମ ବାର୍ଷିକ ସମ୍ମିଳନୀ, ଭାରତର ଆତିଥ୍ୟସେବା ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ବୃହତ କାର୍ଯ୍ୟକ୍ରମ

fhraiiଭାରତୀୟ ଆତିଥ୍ୟସେବା ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ଫେଡରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ସ ଅଫ୍ ଇଣ୍ଡିଆ (ଏଫ୍ଏଚ୍ଆର୍ଏଆଇ)ର ସୁବର୍ଣ୍ଣ ଜୟନ୍ତୀ ଆଗାମୀ ୨୦୧୫ ସେପ୍ଟେମ୍ବର ୨୫, ୨୬ ଓ ୨୭ରେ ଭାରତର ମନ୍ଦିର ମାଳିନୀ ସହର ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ଓ କନ୍ଭେନ୍ସନ୍ରେ ଅନୁଷ୍ଠିତ ହେବ । ଭାରତର ଆତିଥ୍ୟସେବା ଓ ପର୍ଯ୍ୟଟନ କ୍ଷେତ୍ରରେ ଏହା ସବୁଠାରୁ ବୃହତ କାର୍ଯ୍ୟକ୍ରମ ବୋଲି କୁହାଯାଉଛି ଏବଂ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ପର୍ଯ୍ୟଟନ ଏଫ୍ଏଚ୍ଆର୍ଏଆଇ ସହ ହାତ ମିଶାଇଛି ।
ଏହି ସମ୍ମିଳନୀର ବିଷୟବସ୍ତୁ ବହୁ ଆଦୃତ ସଂସ୍କୃତ କବିତା ଅତିଥି ଦେବୋ ଭବ ଅର୍ଥାତ୍ ‘ଅତିଥି ଭଗବାନ ଅଟନ୍ତି’ ରହିଛି ।
ଏହା ଏକ ହାଇ ପ୍ରୋଫାଇଲ୍ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ଭାରତର ଆତିଥ୍ୟସେବା ଓ ପର୍ଯ୍ୟଟନ ଶିଳ୍ପର ବହୁ ନେତୃବୃନ୍ଦ, ପ୍ରମୁଖ ହୋଟେଲ ମାଲିକ ଓ ଶିଳ୍ପକ୍ଷେତ୍ରର ଅନ୍ୟ ଅଂଶଧନକାରୀଙ୍କ ସମେତ ୧୦୦୦ରୁ ଅଧିକ ପ୍ରତିନିଧି ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ସେପ୍ଟେମ୍ବର ୨୫ରେ ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଉଦ୍ଘାଟନ ହେବ ଏବଂ ପରେ ପରେ ଅନେକଗୁଡ଼ିଏ ଟେକ୍ନିକାଲ ସେସନ୍ ଚାଲିବ, ଯେଉଁଥିରେ ଶିଳ୍ପକ୍ଷେତ୍ର ବିଶେଷଜ୍ଞମାନେ ଭାରତରେ ଆତିଥ୍ୟସେବା ଶିଳ୍ପର ଅଭିବୃଦ୍ଧି ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା କରିବେ । ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ ଟେକ୍ନିକାଲ ସେସନ୍ ଚାଲିବ ।
ଟେକ୍ନିକାଲ ସେସନ୍ ପାଇଁ ବିଷୟ ପ୍ରସ୍ତୁତ କରାଯାଉଛି ଏବଂ ଶିଳ୍ପକ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଅଧ୍ୟକ୍ଷତା କରିବେ । ସେମାନେ ପ୍ରତିନିଧିମାନଙ୍କ ସହ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ଆଦାନ ପ୍ରଦାନ କରିବେ ।
ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୬କୁ ଓଡ଼ିଶା ଦିବସ ହେବ । ଓଡ଼ିଶା ଦିବସର ଅଂଶସ୍ୱରୂପ ଏଥିରେ ଜଣାଶୁଣା କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେହେତୁ ଏଥିରେ ଆତିଥ୍ୟସେବା ଶିଳ୍ପର ବହୁ ସଂଖ୍ୟକ ଉଦ୍ୟୋଗୀ ଅଂଶଗ୍ରହଣ କରିବେ, ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଓଡ଼ିଶାରେ ରହିଥିବା ସୁଯୋଗ ଏବଂ ରାଜ୍ୟରେ ଆତିଥ୍ୟସେବା ଓ ପର୍ଯ୍ୟଟନ ଉଦ୍ୟୋଗ ପାଇଁ ଆହ୍ୱାନ କରାଯିବ ।
ଅନ୍ତିମ ଦିବସ ୨୭ ସେପ୍ଟେମ୍ବର ବିଶ୍ୱ ପର୍ଯ୍ୟଟନ ଦିବସ ରହିଛି । ଏ ଅବସରରେ ଓଡ଼ିଶା ସରକାରଙ୍କ ସହଯୋଗରେ ଏକ ଐତିହ୍ୟ ୱାକ୍ର ଆୟୋଜନ କରାଯାଇଛି । ୱାକ୍ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ ଓ ବିଭିନ୍ନ ପ୍ରକାର ପ୍ରଦର୍ଶନ ଆୟୋଜିତ ହେବ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅନେକଗୁଡ଼ିଏ ବିଦେଶ ରାଷ୍ଟ୍ର ଏବଂ ଭାରତର ଭିନ୍ନ ଭିନ୍ନ ରାଜ୍ୟକୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ୱାକ୍ର ଥିମ୍ ‘ଟୁରିଜିମ୍ ୟୁନାଇଟ୍ସ ଦି ୱାର୍ଲ୍ଡ’ ରଖାଯାଇଛି ।
ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ସ୍ମରଣୀକାକୁ ଆଜି ଉନ୍ମୋଚନ କରି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ, ଓଡ଼ିଶା ସରକାର କହିଲେ, “ଏଫ୍ଏଚ୍ଆର୍ଏଆଇ ନିଜର ସୁବର୍ଣ୍ଣ ଜୟନ୍ତ୍ରୀ ସମାରୋହ କରିବା ପାଇଁ ଓଡ଼ିଶାକୁ ଚୟନ କରିଥିବାରୁ ଆମେ ଅତ୍ୟନ୍ତ ଖୁସି । ଆମ୍ଭ ରାଜ୍ୟରେ ବିଭିନ୍ନ ପ୍ରକାର ପର୍ଯ୍ୟଟନ ସମ୍ପଦ ଭରି ରହିଛି ଏବଂ ଓଡ଼ିଶାରେ ରହିଥିବା ବୈଭବକୁ ପ୍ରଦର୍ଶନ କରିବାକୁ ଏହି କାର୍ଯ୍ୟକ୍ରମ ଆମ୍ଭକୁ ବେଶ୍ ସହାୟକ ହେବ ।”
ଶ୍ରୀ ତେଜିନ୍ଦର ସିଂହ ୱାଲିଆ, ସଭାପତି, ଏଫ୍ଏଚ୍ଆର୍ଏଆଇ କହିଲେ, “ପ୍ରଥମ ଥର ପାଇଁ ଏଭଳି ଏକ ସମ୍ମିଳନୀ ପୂର୍ବ ଭାରତର ଏକ ଟିୟର-୨ ସହରରେ ଆୟୋଜିତ ହେଉଛି । ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ହାତ ମିଶାଇବା ଏଫ୍ଏଚ୍ଆର୍ଏଆଇ ପାଇଁ ଏକ ଗର୍ବର ବିଷୟ । ୧୩ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଗଠିତ ପୂର୍ବ ଭାରତରେ ପର୍ଯ୍ୟଟନ ପାଇଁ ଅନେକ ସୁଯୋଗ ରହିଛି । ଆମ୍ଭର ଦୃଢ଼ ବିଶ୍ୱାସ ଯେ ଏହି କାର୍ଯ୍ୟକ୍ରମ ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ବିକାଶରେ ଏକ ମନ୍ଦକ ହେବ ।”
ଶ୍ରୀ ଦିଲ୍ଲୀପ ରାୟ, ଅଧ୍ୟକ୍ଷ, ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ କମିଟି କହିଲେ, “ଦେଶରେ ପର୍ଯ୍ୟଟନ ଏବଂ ଆତିଥ୍ୟସେବା ଶିଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ଏହି ସମ୍ମିଳନୀ ଦେଶର ବିଦେଶୀ ବିନିମୟ ରାଜସ୍ୱରେ ପର୍ଯ୍ୟଟନ କ୍ଷେତ୍ର ଏକ ପ୍ରମୁଖ ଉତ୍ସ ବୋଲି ଦର୍ଶାଇବ । ଏହି କ୍ଷେତ୍ର ବିଭିନ୍ନ ପ୍ରକାର ଦକ୍ଷତାର ଲୋକଙ୍କ ପାଇଁ ବହୁ କର୍ମନିଯୁକ୍ତି ସୃଷ୍ଟି କରିଥାଏ । ଏହି କାରଣରୁ ଏହି ଶିଳ୍ପକୁ କେନ୍ଦ୍ର ସରକାର ପ୍ରାଥମିକ କ୍ଷେତ୍ର ମାନ୍ୟତା ପ୍ରଦାନ କରି ଭିତ୍ତିଭୂମି ଶିଳ୍ପ ଭଳି ଲାଭ ପାଇବାର ସୁଯୋଗ ଦେବା ଉଚିତ ।”

Share in top social networks!