କଥା କଥାରେ କଥା…।୧।

550787_251318338310707_1539516978_n
ସୁଧୀବୃନ୍ଦ…!
ଫେସ୍‌ବୁକ୍‌ ଶୂନ୍ୟ ସମ୍ପର୍କର ଏକ ପୂର୍ଣ୍ଣସେତୁ ହୋଇ ସାରିଛି। ଏଇଠି ଅନେକ ପ୍ରକାରର ହଟଚମଟ ହୁଏ ଆଉ ଅନେକ ଉତ୍ତମ ପ୍ରସଙ୍ଗକୁ ନେଇ ମଧ୍ୟ ବାକ୍‌ବିତଣ୍ଡା ହୁଏ। ମୋର ବନ୍ଧୁତା ତାଲିକାରେ ଥିବା ଅନେକ ବନ୍ଧୁବର୍ଗଙ୍କ ସହ ବେଳେବେଳେ ସୁଖଦୁଃଖ କଥା ପଚାରିବା ଆଳରେ ବହୁ ପ୍ରସଙ୍ଗକୁ ନେଇ କଥୋପକଥନ ହୁଏ; ଏଇ କଥା କଥାରେ କଥା ସେଇ କଥାର କଥା।
ଏଇ କଥାରେ ମୋ ସହ କଥାରେ ଥିଲେ ଭାଇଜଣେ। ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖନ୍ତି। ଭାଷା ସାହିତ୍ୟର କୌଣସି ଅପମାନକୁ ସେ ସହଜରେ ନିଅନ୍ତି ନାହିଁ। ମନ ତାଙ୍କର ଚହଲି ଯାଏ; ସେ ବିଦ୍ରୋହ କରି ଉଠନ୍ତି। ଏଇ ଭଳି ଏକ ସାହିତ୍ୟ ପ୍ରସଙ୍ଗକୁ ନେଇ ବର୍ଷେ ତଳେ ତାଙ୍କ ସହ କଥା ହୋଇଥିଲି। ସେଇ କଥା କିଛି ବ୍ୟକ୍ତିଗତ କଥା ଥିଲା, ସେଇ କଥାଅକଥାର ଆଲୋଚନାରେ ମୋର ଶେଷ କଥା ଥିଲା…
“ଭାଇ, ଏହି ସାହିତ୍ୟର କାଦୁଅ ଫିଙ୍ଗାଫିଙ୍ଗିରେ ଅପମାନ ସାହିତ୍ୟର ହିଁ ହେଉଛି। ଏହା ଆମ ସାହିତ୍ୟିକ ମାନେ ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ସାରିଥିବ। ଏଣୁ ଚାଲନ୍ତୁ ଆମେ ସାରସ୍ୱତ ସେବାରେ ବ୍ରତୀ ରହିବା।”
ଆଉ ଏବେ ପୁଣିଥରେ ବର୍ଷେ ପରେ ଆମ ମାତୃଭାଷା ପ୍ରସଙ୍ଗ ନେଇ କଥୋପକଥନ ହୋଇଥିଲା। କିଛି ସେ କହିଲେ ଆଉ କିଛି ମୁଁ କହିଲି; ଦୁହେଁ ଶୁଣିଲୁ ଦୁହିଁଙ୍କୁ। ବୁଝିଲୁ ନିଜ ବୁଝାବୁଝି ନେଇ। ସେଇ କଥାର କିଛି ଅଂଶ ଆପଣଙ୍କ ପାଇଁ। ଏଥିରେ ଲୁଚାଛପା କିଛି ନାହିଁ; କେବଳ ବ୍ୟକ୍ତିଗତ ଧାଡ଼ିଗୁଡ଼ିକୁ ଅଲଗା କରି ରଖିଛି ମୁଁ।
ଏଇ କଥାରେ, ଆପଣଙ୍କ ଅବଧାରଣ ନିମିତ୍ତ ସେ ହେଲେ ଓଡ଼ିଆ ଭାଇ ଆଉ ମୁଁ ଆପଣଙ୍କର ପ୍ରଭୂ।
ଓଡ଼ିଆ ଭାଇଙ୍କ ଏକ ଆହ୍ବାନମୂଳକ ଲେଖାଟିଏ ପାଇଲି ଆଉ ତୁରନ୍ତ ପ୍ରତ୍ୟୁତ୍ତରେ ଲେଖି ବସିଲି…
ପ୍ରଭୂ:
ନମସ୍ତେ।
ବିଗତ ୨୦୧୦ରୁ ଏଇ ସୁଦୂର ଦେଶରୁ ଏଇ ଆହ୍ୱାନ ଜାରୀ ରଖିଥିଲି ଆଉ ଏବେବି ରଖିଛି। ଆଜି ମୁଁ ଅତି ଆନନ୍ଦିତ ଯେ ଏଇ ସ୍ୱର ଏବେ ସମସ୍ୱର ହେଲାଣି ମୋ ଭାଇ ଓ ଭଉଣୀମାନଙ୍କର। ଯେତେବେଳେ ପ୍ରଥମେ ଏଇ ସବୁ ଦୁଇପଦୀ ଲେଖୁଥିଲି ଅନେକ ଟିକଲ କରୁଥିଲେ ଆଉ ମୁଁ ଦେଖେଇ ହେଉଛି ବୋଲି କହୁଥିଲେ। ସେ ଯାହାହେଉ ସମୟର ସ୍ୱର ଇଏ ଆଉ ସତ୍ୟର ପରିଭାଷା। ପିଲାଟି ଦିନରୁ ଓଡ଼ିଆ ଆଉ ଓଡ଼ିଶା ମୋର ହୋଇ ରହିଛି ଆଉ ରହିଥିବ।
ମାତୃଭାଷା ଓ ମାତୃଭୂମି ପ୍ରେମ ନିମନ୍ତେ ଯେ ଆହ୍ୱାନ ଦରକାର ଏହା ଅତୀବ ଗମ୍ଭୀର ପ୍ରସଙ୍ଗ। ଏଥିରୁ ଜନଜୀବନ ଚେତନାର ପରିଧି ବୁଝାପଡ଼େ। ଆମକୁ ପ୍ରଥମେ ଦେଖିବାକୁ ଆଉ ବୁଝିବାକୁ ପଡ଼ିବ ଯେ ଓଡ଼ିଆକୁ ଯେ ଆଦରି ବସିଛି ତାର କେତେ ଆଦର ହେଉଛି…! ଯଦି ଓଡ଼ିଆକୁ ଆଦରୁଥିବା ବ୍ୟକ୍ତିର ସମାଦର ହେଉନାହିଁ ଆଉ ତାର ଅସମ୍ମାନ ହେଉଛି ତେବେ ଆଉ ସମସ୍ତେ ଓଡ଼ିଆ କାହିଁକି କହିବେ! ଓଡ଼ିଆ ଭାଷା ଜନଜୀବନସ୍ରୋତର ଏକ ପ୍ରବାହ ହେଉ।
ଓଡ଼ିଆ ଭାଇ:
ଠିକ୍‌ କହୁଛନ୍ତି ଭାଇ…!
ପ୍ରଭୂ:
ଅତି ପ୍ରାଥମିକ ବୟସ ଓ ଶିକ୍ଷା ସମୟରୁ ହିଁ ଓଡ଼ିଆକୁ ଓଡ଼ିଆ ପିଲାର ମନ-ପ୍ରାଣ-ଆତ୍ମାରେ ସ୍ଥାପନା କରାଯାଉ।
ଓଡ଼ିଆ ଭାଇ:
ବହୁତ ବଢ଼ିଆ…!
ପ୍ରଭୂ:
ଓଡ଼ିଆ ଭାଷା ସାହିତ୍ୟରୁ ହଜାର ହଜାର ଶବ୍ଦ ଏବେ ବିଲୁପ୍ତ ପ୍ରାୟ; ଏଣୁ କଠିନ ହେଲେ ମଧ୍ୟ ଏହାକୁ ନିତିଦିନିଆ ବ୍ୟବହାରରେ ରଖାଯାଉ। ନିମ ଆଉ କଲରା ପିତା; ହେଲେ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ସେଇଥିପାଇଁ ଶବ୍ଦ କଠିନ ବୋଲି ଚିତ୍କାର କରି ବୈଦେଶିକ ଭାଷା ବ୍ୟବହାର କରିବାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ମୁଁ ମନେ କରେ।
ଓଡ଼ିଆ ଭାଇ:
ଭାଷା ଆମ ମା…ଭାଷା ଆମ ସାହା…!
ପ୍ରଭୂ:
ଅତି ସୁନ୍ଦର ଆହ୍ୱାନ। କଥା ହେଉଛି…ଶୁଣୁଛି କିଏ!
ଯାହା ଉଦ୍ଦେଶ୍ୟର ଏଇ ଆବାହନ ସେମାନେ ଚେଇଁ ଶୋଇଛନ୍ତି। ରୂପ ଦେଖି ବୟସ ପଚାରୁଛନ୍ତି। ଏଣେ ଆମେ ସବୁ ଅଲଗା ଅଲଗା ହୋଇ ଆହ୍ୱାନ କରୁଛେ। ଏଇଠି କହିବା ବାହୁଲ୍ୟ ଯେ, ଆମର ଏକତା ହିଁ ଆମର ଅମୋଘ ଅସ୍ତ୍ର ହେବ। ହେଲେ ଏକତା ନିମନ୍ତେ ଜାଗତିଆର କିଏ !
ଓଡ଼ିଆ ଭାଇ:
ହେବ ଭାଇ ହେବ। ଏବେ ଆନ୍ଦୋଳନ ଦାନା ବାନ୍ଧିଲାଣି। ଖାଲି ସଚେତନତା ସୃଷ୍ଟି କରିବା ଦରକାର।
ପ୍ରଭୂ:
ଏଇ କଥା ମୁଁ ଯେତେବେଳେ କହି, ଫେସ୍‌ବୁକ୍‌ରେ ଘୋଷଣା କରିଥିଲି ଯେ…
“ଯେ କେହି ଓଡ଼ିଆକୁ ଅନ୍ୟ ଭାଷାରେ ଲେଖିବ ମୁଁ ତାର ସେଇ ପ୍ରକାଶନକୁ ପସନ୍ଦ କରିବି ନାହିଁ ଅବା ମନ୍ତବ୍ୟ ଦେବି ନାହିଁ।”
ଫଳ କଣ ହେଲା!
କେତେ ଜଣ ଖଣ୍ଡିଉଡ଼ା ଦେଉଥିବା ଛତୁଫୁଟା କବି-କବୀ ସବୁ ମୋତେ ଅଣବନ୍ଧୁ କରି ବସିଲେ। ଏଇ ହେଲା ଆମ ଓଡ଼ିଆ ପ୍ରୀତି। ଆଉ ସେଇ କବି-କବୀ ଅଧାଖଣ୍ଡିଆ ଓଡ଼ିଆ ଆଉ ଅପନ୍ତରିଆ ଲେଖାକୁ ସମସ୍ତେ ଶହଶହ ଲାଇକ୍‌ରେ ଲଦି ଦେଉଛନ୍ତି।
ଏଣୁ ଏଇ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ସମସ୍ତ ଓଡ଼ିଆ ପ୍ରେମୀ ଏକଜୁଟ ହୁଅନ୍ତୁ। ତୁଚ୍ଛା ସ୍ୱାଭିମାନ, ଅହଂ, ଈର୍ଷ୍ୟା, ଦ୍ୱେଷ ପ୍ରଭୃତି ଭୂଲି ଏକସ୍ୱରରେ ମାତୃଭାଷାର ସମୃଦ୍ଧି ନିମନ୍ତେ ଆଗେଇ ଚାଲନ୍ତୁ। ଦେଖିବେ, ଅନ୍ୟମାନେ ତ୍ୱରିତ ଆମ ସହ ଆସି ମିଶିବେ। ସେଇଦିନ ହେବ ଓଡ଼ିଆର ଜୟ ଆଉ ଓଡ଼ିଆ ଭାଷାର ଜୟ।
ଆଙ୍ଗୁଠି ଗେଞ୍ଜି କଢ଼ଟିକୁ ଫୁଟାଇଲେ କଣ ସେଥିରୁ ସୁବାସ ବାହାରେ କି ଭାଇ…!
ସେଇ କଢ଼କୁ ସ୍ୱୟଂ ଫୁଟିବାକୁ ଦେବାକୁ ହେବ; ସିଏ ଫୁଟୁ। ତାକୁ ଭଲ ପାଣି ପବନ ପରିବେଶ ଦେଲେ ସିଏ ଭଲ ଫୁଲଟିଏ ହୋଇ ଫୁଟିବ ଆଉ ସୁବାସରେ ଚଉଦିଗ ମହକାଇ ଦେବ।
ଏଣୁ ପ୍ରଥମରୁ କହିଥିଲି….
“ଅତି ପ୍ରାଥମିକ ବୟସ ଓ ଶିକ୍ଷା ସମୟରୁ ହିଁ ଓଡ଼ିଆକୁ ଓଡ଼ିଆ ପିଲାର ମନ-ପ୍ରାଣ-ଆତ୍ମାରେ ସ୍ଥାପନା କରାଯାଉ।”
ଏକ ଅମୃତକର ଆଗ୍ରହ ସୃଷ୍ଟି କରାଯାଉ। ମୋ ବାପା ଭାଇ ଛୁଟି ହେଲେ ମୋତେ ବୈଦେହୀଶ ବିଳାସ, ତପସ୍ୱିନୀ, ଅବୋଲକରା କାହାଣୀ ବହିଟିଏ ଦେଉଥିଲେ ହାତରେ ଆଉ ଏବେ ଅନେକ ପିତାମାତା ପିଲାକୁ ଅନ୍ୟ ଭାଷାର ବହିଟିଏ ପ୍ରଥମେ ଦେଉଛନ୍ତି। ହେଉ ପଛେ କମିକ୍‌ ବୁକ୍‌ ତାହା ଓଡ଼ିଆରେ ହେଉ!
ସବୁ ଭାଷା ମା ଓ ମାଉସୀ ଭଳି; ହେଲେ ପ୍ରଥମେ ଜନ୍ମଦାତ୍ରୀ। ନୁହଁକି….!!!
ଓଡ଼ିଆ ଭାଇ:
ଆମର କାହା ପ୍ରତି ବିଦ୍ଵେଷ ଭାବ ନାହିଁ। କେବଳ ଖରାପକୁ ବିରୋଧ କରିବା ହିଁ ମୋର କାମ। ସେଥିପାଇଁ ମୁଁ ବିବାଦୀୟ। ହେଲେ ମୋର ଦୁଃଖ ନାହିଁ କି ଅବଶୋଷ ନାହିଁ। ଆମ କାମ ଆମେ କରିବା କର୍ତ୍ତବ୍ୟ ଭାବି। କିଏ କଣ ନିନ୍ଦା ପ୍ରଶଂସା ଦେଲା ସେଥିରେ ମୁଣ୍ଡ ନ ପୁରାଇବା ଭଲ।
ପ୍ରଭୂ:
ଧାନବିଲ ମଝିରେ ଥିବା ଦଣ୍ଡାବାଳୁଙ୍ଗା ସବୁକୁ ନିର୍ମୂଳ କରିବାକୁ ହେବ ଭାଇ; ନହେଲେ ନା ଭଲ ନା ଧାନ ମିଳିବ ନା ନିଜେ ସୁରକ୍ଷିତ ରହିବେ। ଏଣୁ ଆମ ଓଡ଼ିଆ ଭାଇ ଓ ଭଉଣୀଙ୍କ ମୁଣ୍ଡରୁ ଏଇ ବିଦ୍ୱେଷ ଭାବ ଦୂର କରିବାକୁ ପଡ଼ିବ। ବୁନ୍ଦାଏ ବିଷ ଅମୃତହାଣ୍ଡିକୁ ବିଷାକ୍ତ କଲା ପ୍ରାୟେକ ଏଇ ଈର୍ଷ୍ୟା ଓ ଦ୍ୱେଷଭାବ ହିଁ ଆମର ଅଗ୍ରସର ପଥର କଣ୍ଟକ। ଆପଣ ଙ୍କୁ ମୁଁ ଅବା କଣ କହିବି…ଆପଣ ବୁଝି ପାରୁଥିବେ।
“ହାତଧରି ଚାଲିଲେ ରାସ୍ତା ସହଜ ହୁଏ ବୋଲିଲେ ନୁହଁ…!”
ଅନେକ ଲୋକ ଅଛନ୍ତି, ହେଲେ କେବଳ କହନ୍ତି…ହେଲେ ଚାଲନ୍ତୁ ଆମେ କରି ଦେଖାଇବା।
ପ୍ରଭୂ:
ଗୋଟିଏ ସଭାକୁ ଯିବାର ଅଛି; ରହୁଛି ଭାଇ। ଏଇ ବାର୍ତ୍ତାଳାପ କରି ଅତି ପ୍ରସନ୍ନ ହେଲି।ଏଇ ମଧୁର ସମ୍ପର୍କ ରହୁ।
ନମସ୍ତେ…!
ସୁଧୀ ପାଠକେ…
ଏଇତକ କଥା ଥିଲା; ତାପରେ ମୁଁ ଆଗେଇଗଲି ମୋର ଏକ ସଭାକୁ।
ଏଇତକ କଥା କହି ଆମ କଥୋପକଥନକୁ ସେଇଠି ରଖିଲି। ଏଇ “କଥା କଥାରେ କଥା” କଥାଟିଏ କହିବି ପୁଣିଥରେ କଥା ହେଲେ।
ଆଜି ଏଇଠି ରଖୁଛି ଏ କଥା…!
-ପ୍ରଭୂ

Share in top social networks!