ଏକ ମାସ ପୁରଣ କଲା “ନିରାମୟ” – ଓଡିଶା ରାଜ୍ୟ ମେଡିକାଲ ନିଗମ ଜରିଆରେ ବିନାମୂଲ୍ୟରେ ଔଷଧ ବିତରଣ କାର୍ଯ୍ୟକ୍ରମ

“ନିରାମୟ” । ସୁସ୍ଥ ଜୀବନ-ସୁଖୀ ଜୀବନ । ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଜନସାଧାରଣଙ୍କୁ ଓଡିଶା ରାଜ୍ୟ ମେଡିକାଲ ନିଗମ ଜରିଆରେ ବିନାମୂଲ୍ୟରେ ଔଷଧ ବିତରଣ ବିନାମୂଲ୍ୟରେ ଗୁଣାତ୍ମକ ଔଷଧ ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯାଇଥିବା “ନିରାମୟ” ଏକ ମାସ ପୁରଣ କରିଛି । ଗତ ମଇ ମାସ ପହିଲା ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ , ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଏବଂ ଶିଶୁଭବନ ସମେତ ୩୨ ଟି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ କରାଯାଇଛି । ଏହି ସବୁ ଅନୁଷ୍ଠାନ ମାନଙ୍କରେ ୭୫ ଟି ଔଷଧ ବିତରଣ କେନ୍ଦ୍ର କାର୍ଯ୍ୟକରୁଛି । ସେଥିରୁ ୩୭ ଟି ଦିବାରାତ୍ର କାର୍ଯ୍ୟକରୁଛି । ଏକମାସ ମଧ୍ୟରେ ଏହି ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଭର୍ତି ହୋଇଥିବା ରୋଗୀ ଉପକୃତ ହେବା ସହ ବର୍ହି ବିଭାଗକୁ ଆସିଥିବା ରୋଗୀଙ୍କ ମଧ୍ୟରୁ ୪ ଲକ୍ଷ ୪୦ ହଜାରରୁ ଉଦ୍ଧ୍ୱର୍ ରୋଗୀ ଉପକୃତ ହୋଇଛନ୍ତି । ଦୈନିକ ପ୍ରାୟ ୧୪ ହଜାରରୁ ଅଧିକ ବର୍ହିବିଭାଗ ରୋଗୀ ଔଷଧ ବିତରଣ କେନ୍ଦ୍ରରୁ ବିନାମୂଲ୍ୟରେ ଔଷଧ ନେଉଛନ୍ତି । ଆରମ୍ଭ କରାଯିବା ବେଳେ ପ୍ରସ୍ତୁତ ୨୭୨ ଏସେନସିଆଲ ଡ୍ରଗ ଲିଷ୍ଟ ମଧ୍ୟରୁ ୧୭୦ ପ୍ରକାର ଔଷଧ ଉପଲବ୍ଧ ରହିଛି । ଆବଶ୍ୟକତା ଅନୁଯାୟୀ ପ୍ରାଥମିକ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ୨୯୭ , ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ୪୭୮ ଏବଂ ମେଡିକାଲ କଲେଜ ଓ ହସପିଟାଲ ଭଳି ସର୍ବୋଚ୍ଚ ଚିକିତ୍ସାଳୟ ଗୁଡିକୁ ୫୭୦ ପ୍ରକାର ଔଷଧ ଯୋଗାଇ ଦିଆଯିବ । ଏ ନେଇ ନିଗମ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇ ସାରିଲାଣି । ଏହି ଏକ ମାସ ମଧ୍ୟରେ ଔଷଧ ବିତରଣ କେନ୍ଦ୍ରଗୁଡିକରେ ପରିଲିଖିତ ହେଉଥିବା ସମସ୍ୟାଗୁଡିକୁ ସୁଧାରିବା ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରାଯାଇ ଔଷଧ ବିତରଣକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ଉଦ୍ୟମ ଜାରି ରହିଛି । ପ୍ରାୟ ପ୍ରତ୍ୟେକ ଦିନ ଏ ନେଇ ସମୀକ୍ଷା କରାଯାଉଛି । ମାନବ ସମ୍ବଳ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ୫୯୮ ଟି ଫାର୍ମାଶିଷ୍ଟ ପଦବି ମଞ୍ଜୁର କରିଛନ୍ତି ।
ଚଳିତ ମାସରେ ୨୭ ଟି ଉପଖଣ୍ଡ ଚିକିତ୍ସାଳୟରେ ବିନାମୂଲ୍ୟରେ ଔଷଧ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ । ସେହିପରି ଆସନ୍ତା ଜୁଲାଇ – ଅଗଷ୍ଟ ମାସରେ ସମସ୍ତ ୩୭୭ ଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଏହା କାର୍ଯ୍ୟକ୍ଷମ କରାଯିବ । ସବୁ ଔଷଧ ବିତରଣ କେନ୍ଦ୍ର ପାଇଁ କମ୍ପ୍ୟୁଟର , ସ୍କାନର ଏବଂ ପ୍ରିନ୍ଟର ଆଦି ନିମନ୍ତେ ଅର୍ଥ ପ୍ରଦାନ କରାଯାଇଛି ।
ନିଗମ ତରଫରୁ ଗୁଣାତ୍ମକ ଔଷଧ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଛି । କିଣା ଯିବାକୁ ଥିବା ଔଷଧ ସଂପୃକ୍ତ କମ୍ପାନୀମାନେ ଯେଗାଇ ଦେବା ପରେ ସେହି ସବୁ ଔଷଧ ଗୁଡିକର କୋଡିଂ ଏବଂ ଡିକୋଡିଂ କରାଯାଇ ଗୁଣବତା ପରୀକ୍ଷା ପାଇଁ ପଠାଯିବ । ପରୀକ୍ଷା ରିପୋର୍ଟ ମିଳିବା ପରେ ଯାଇ ତାହା ଔଷଧ ବିତରଣ କେନ୍ଦ୍ରକୁ ପଠାଯିବ ଏବଂ ଲୋକଙ୍କୁ ପ୍ରଦାନ କରାଯିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ “ନିରାମୟ” ଯୋଜନାର ସମୀକ୍ଷା କରି କହିଛନ୍ତି ଯେ ସରକାରୀ ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାର ଏକ ଐତିହାସିକ ଲକ୍ଷ୍ୟନେଇ ନିରାମୟ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ମାସକ ମଧ୍ୟରେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରା ଯାଇପାରିଛି । ଏହାକୁ ଅଧିକ ସଂପ୍ରସାରିତ ଓ ପରିବ୍ୟାପ୍ତ କରିବାକୁ ଇତି ମଧ୍ୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଆଗାମୀ ଦିନରେ ସାଧାରଣ ରୋଗୀମାନେ ଯେପରି ଅଧିକ ଭାବେ ଉପକୃତ ହେବେ ସେଥିପାଇଁ ୨୭ ଉପଖଣ୍ଡ ଚିକିତ୍ସାଳୟ ଓ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଯୋଜନାକୁ ବଢା ଯାଉଛି । ହସପିଟାଲଗୁଡିକରେ ଠିକ୍ ଭାବେ ରୋଗୀମାନେ ଔଷଧ ପାଇବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱ ଦେଇଛନ୍ତି ।

Share in top social networks!