ମୋଦି ସରକାରଙ୍କୁ ସମାଲୋଚନା କରିବାର ନୈତିକ ଅଧିକାର କଂଗ୍ରେସର ନାହିଁ : ସୀତାରମଣ

nirmalasitaramanନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଗୋଟିଏ ବର୍ଷ ପୂରଣ ଅବସରରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ମୁଖପାତ୍ର ସଜ୍ଜନ ଶର୍ମା, ସମୀର ମହାନ୍ତି, ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ରୁଦ୍ର ନାରାୟଣ ପାଣି, ସୁରମା ପାଢ଼ୀ, ସୁରେନ୍ଦ୍ର ଲାଠ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମିଡ଼ିଆ ସେଲର କର୍ମଶାଳା ମଧ୍ୟ ହୋଇଥିଲା ।
ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ନିର୍ମଳା ସୀତାରମଣ କହିଲେଯେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ଏନଡ଼ିଏ ସରକାରର ପ୍ରଥମ ବର୍ଷ ପୂରଣ ହେବାକୁ ଯାଉଛି । ଏହି ବର୍ଷକ ମଧ୍ୟରେ ଆମେ ଏକ ଉତ୍ତରଦାୟୀ ସରକାର ଭାବେ କାର୍ଯ୍ୟ କରିଛୁ । ଗତ ବର୍ଷକରେ ଆମେ ଯେଉଁ ସଫଳତା ହାସଲ କରିଛୁ ତାହା ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ବଜାୟ ରଖିବୁ । ଉପା ସରକାର ଅମଳରେ ପ୍ରତିଦିନ ଗୋଟିଏ ଲେଖାଏଁ ଦୁର୍ନୀତି କଥା ଶୁଣିବାକୁ ପଡ଼ୁଥିଲା । କିନ୍ତୁ ଗଲା ବର୍ଷକ ମଧ୍ୟରେ ମୋଦି ସରକାରଙ୍କ ନାମରେ ଗୋଟିଏ ହେଲେ ଦୁର୍ନୀତି ଅଭିଯୋଗ ଆସିନାହିଁ । ବରଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଆମେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ସରକାର ଭାବେ କାର୍ଯ୍ୟ କରିବୁ ।
ସେହିପରି ଉପା ସରକାର ମନଇଚ୍ଛା ୧୨୨ଟି କୋଇଲା ବ୍ଲକ ପ୍ରଦାନ କରିଥିଲେ । କିନ୍ତୁ ଏବର ଏନଡ଼ିଏ ସରକାର ଏହି ସବୁ କୋଇଲା ବ୍ଲକକୁ ପ୍ରତିଯୋଗିତା ମୂଳକ ନିଲାମ ମାଧ୍ୟମରେ ପ୍ରଦାନ କରିଛନ୍ତି । ଇତିମଧ୍ୟରେ ମାତ୍ର ୨୧ଟି କୋଇଲା ବ୍ଲକ୍ ନିଲାମ ହୋଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷକୁ ୨ଲକ୍ଷ କୋଟି ଟଙ୍କା ଆସିପାରିବ । ଉପା-୨ ଓ ଏନଡ଼ିଏ-୨ ସରକାର ମଧ୍ୟରେ ଏହାହିଁ ଫରକ ବୋଲି ସୀତାରମଣ କହିଛନ୍ତି ।
କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଅଭିଯୋଗ କରୁଛନ୍ତି ଏନଡ଼ିଏ ସରକାର ହେଉଛି ସୁଟ୍ ବୁଟ୍ ସରକାର । ହେଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଯେଉଁ ୧୪ କୋଟି ଲୋକ ଆକାଉଣ୍ଟ ଖୋଲିଛନ୍ତି ସେମାନେ କ’ଣ ଧନୀ କି ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କର ସମସ୍ତ ଜନହିତକାରୀ ଯୋଜନାର ସୁଫଳ ଏବେ ହିତାଧିକାରୀମାନେ ସିଧାସଳଖ ଭାବେ ଆକାଉଣ୍ଟରେ ପାଇପାରିବେ । ତେଣୁ କଂଗ୍ରେସ ଗଠନ ମୂଳକ ବିରୋଧୀ ଦଳର ଭୂମିକା ଗ୍ରହଣ କରିବା ଦରକାର । ତାହା ନକରି ଯଦି ଦେଶକୁ ଆଗକୁ ନେବାପାଇଁ ପ୍ରୟାସ କରୁଥିବା ମୋଦି ସରକାରଙ୍କ ଆଗରେ ସ୍ପିଡ଼ବ୍ରେକର ଭଳି କାର୍ଯ୍ୟ କରେ କାଲି ଜନତା ହିଁ ତାଙ୍କୁ ଜବାବ ମାଗିବ ବୋଲି ସେ କହିଛନ୍ତି ।

ମୁଦ୍ରାସ୍ଫୀତି ଓ ଦରଦାମ୍ ବୃଦ୍ଧିକୁ ମଧ୍ୟ ମୋଦି ସରକାର ନିୟନ୍ତ୍ରଣ କରିପାରିଛନ୍ତି । ଏହି ବର୍ଷକ ମଧ୍ୟରେ ୧୧ ଥର ପେଟ୍ରୋଲ ଓ ଡିଜେଲ୍ ଦାମ୍ ହ୍ରାସ ପାଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଦୁଇଟି ବୀମା ଓ ଅଟଳ ପେନସନ୍ ଯୋଜନାରେ ସାଢ଼େ ୭ କୋଟି ଲୋକ ସାମିଲ୍ ହୋଇସାରିଛନ୍ତି । ମାତ୍ର ୧୨ଟଙ୍କାରେ ବୀମା ସୁବିଧା ମିଳିଲେ ବି କଂଗ୍ରେସ ଏହାକୁ ବିରୋଧ କରୁଛି । କଂଗ୍ରେସର ମାନସିକତା ନକରାତ୍ମକ ବୋଲି ସେ କହିଛନ୍ତି ।
ସେହିପରି ପୂର୍ବରୁ ୫୦% ଫସଲ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ମିଳୁଥିବାବେଳେ ଏବେ ତାହା ୩୦%କୁ ହ୍ରାସ ପାଇଛି । ଖାଲି ସେତିକିନୁହେଁ ଶସ୍ୟର ରଂଗ କମିଗଲେ କେନ୍ଦ୍ର ସରକାର ନିଜେ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ ୩୦ ଦିନ ମଧ୍ୟରେ ଚାଷୀଙ୍କୁ କ୍ଷତିପୂରଣ ସହାୟତା ରାଶି ମିଳିପାରିବ । ଆଳୁ ଚାଷୀ କିଭଳି ଭଲ ମୂଲ୍ୟ ପାଇବେ ସେଥିପାଇଁ ରପ୍ତାନୀ ଉପରୁ କଟକଣା ହଟାଇ ନିଆଯାଇଥିବାବେଳେ ଆଖୁ ଚାଷୀଙ୍କ ସ୍ୱାର୍ଥ ପାଇଁ ଆମଦାନୀ ଉପରେ ରୋକ ଲାଗିଛି । ଗରିବ ଚାଷୀଙ୍କ ଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିକାଶ ପ୍ରକ୍ରିୟାରେ ଯୋଡ଼ୁଛି କେନ୍ଦ୍ର ସରକାର ।
ମୋଦି ସରକାରଙ୍କୁ ସମାଲୋଚନା କରିବାର ନୈତିକ ଅଧିକାର କଂଗ୍ରେସର ନାହିଁ ବୋଲି ସେ ଟିପ୍ପଣୀ ଦେଇଛନ୍ତି । ଜମି ଅଧିଗ୍ରହଣ ବିଲ୍କୁ ନେଇ କଂଗ୍ରେସ ହୋହାଲ୍ଲା କରୁଥିବାବେଳେ ଏହାର କେଉଁ ଧାରା ଚାଷୀ ବିରୋଧୀ ତାହା ପଚାରିଲେ ଉତ୍ତର ମିଳୁନାହିଁ । ଦେଶକୁ ଆଗକୁ ନେବାପାଇଁ କଂଗ୍ରେସ ପ୍ରତିବନ୍ଧକ ସୃଷ୍ଟି ନକରି ସହଯୋଗ କରିବା ଦରକାର ବୋଲି ସେ କହିଛନ୍ତି ।
ସବୁ ଗାଁକୁ ଯାଇ ମୋଦି ସରକାରଙ୍କ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ସୀତାରମଣ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ମୋଦି ସରକାର ଯାହା ପ୍ରତିଜ୍ଞା କରିଛନ୍ତି ତାହା ପାଳନ କରୁଛନ୍ତି ଓ ଆଗାମୀ ୪ ବର୍ଷରେ ସବୁ ପ୍ରତିଶ୍ରୁତି ପୂରଣ ହେବବୋଲି ସେ କହିଛନ୍ତି । ସହଯୋଗିତା ଭିତ୍ତିକ ସଂଘୀୟ ଢ଼ାଞ୍ଚାକୁ ସରକାର ଗୁରୁତ୍ୱ ଦେଉଥିବାବେଳେ ସବୁ ରାଜ୍ୟକୁ ସାଙ୍ଗରେ ନେଇ ଆମେ କାମ କରୁଛୁ । ମେକ୍ ଇନ୍ ଇଣ୍ଡିଆ ଭଳି ଯୋଜନାର ସୁଫଳ ଆମକୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି । ଦେଶର ଜିଡ଼ିପି ଅଭିବୃଦ୍ଧି ଏବେ ଚାଇନାଠୁ ମଧ୍ୟ ଆଗରେ ରହିଛି । ଓଡ଼ିଶାକୁ କେନ୍ଦ୍ର ସରକାର ଆଦୌ ଅବହେଳା କରୁନାହିଁ । ବିଜେଡ଼ି ପକ୍ଷରୁ ଏଭଳି ଅଭିଯୋଗ ଆସୁଥିବାରୁ ସେ ତାହାର ସମାଲୋଚନା କରିବା ସହ କଂଗ୍ରେସ ବାଟ ଆପଣାଅନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡ଼ିଶା ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ଅନୁଦାନ ବାବଦରେ ୧୧୨୬୭୭ କୋଟି ଟଙ୍କା ପାଇବ । ସେହିପରି କୋଇଲା ଇ-ନିଲାମରୁ ମଧ୍ୟ ୨୦ ବର୍ଷ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କା ପାଇପାରିବ । ରେଳ ବଜେଟ୍ରେ ଓଡ଼ିଶାକୁ ସବୁଠାରୁ ଅଧିକ ୨୫୧୪ କୋଟି ଟଙ୍କା ମିଳିଥିବାବେଳେ ବହୁ ବଡ଼ ବଡ଼ ଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Share in top social networks!