ଅରୁଣ କୁମାର ପଣ୍ଡା ପାଇଲେ ନାରଦ ସମ୍ମାନ-୨୦୧୫

arunpandaaaସତ୍ୟନିଷ୍ଠା ଏବଂ ସାମାଜିକ ପ୍ରତିବଦ୍ଧତାକୁ ନେଇ ୧୯୭୫ ମସିହାରୁ ପ୍ରଥମେ ‘ହିନ୍ଦୁସ୍ତାନ ସମାଚାର’ସମ୍ବାଦ ସରବରାହ ସଂସ୍ଥା ଏବଂ ପରବର୍ତ୍ତୀ କାଳରେ ପ୍ରତିଷ୍ଠିତ ବୈଦିକ ଓଡିଆ ସମ୍ବାଦପତ୍ର ‘ସମାଜ’ରେ ବରିଷ୍ଠ ସହସମ୍ପାଦକ ଏବଂ ଭ୍ରାମ୍ୟମାଣ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିବା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭଲେଖକ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ନାରଦ ସମ୍ମାନ-୨୦୧୫ ପ୍ରଦାନ କରାଯାଇଛି ।
ଶ୍ରୀ ପଣ୍ଡା ଓଡିଶା ତଥା ରାଜ୍ୟ ବାହାରର ଅନେକ ଅଞ୍ଚଳ ପରିଦର୍ଶନ କରି ଲୋକଚଳଣି ଓ ଲୋକ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଅନୁଧ୍ୟାନ କରିବାର ସୁଯୋଗ ଲାଭ କରିଛନ୍ତି । ବିଶେଷକରି ବଣ୍ଡା,ଜୁଆଙ୍ଗ,କନ୍ଧ,ଲୋଧା,କୋୟା, ସାନ୍ତାଳ, ଭୂୟାଁ, ସଉରା ଆଦି ଗିରିଜନମାନଙ୍କ ଜୀବନଧାରା,ସେମାନଙ୍କ ଅଭାବ,ଅନାଟନ, ସମସ୍ୟା ସମ୍ପର୍କରେ ଜ୍ଞାନ ଲାଭକରି ସେସବୁକୁ ଅଗଣିତ ପାଠକଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ତାଙ୍କର ଶକ୍ତିଶାଳୀ ଲେଖନୀ ମାଧ୍ୟମରେ । ବିଂଶ ଶତାବ୍ଦୀର ସତୁରି ଦଶକରୁ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ; ଦୀର୍ଘ ଚାଳିଶ ବର୍ଷଧରି ଓଡିଶାର ସାମ୍ବାଦିକତା କ୍ଷେତ୍ରରେ ସେହି ଶିଖରକୁ ଛୁଇଁ ପାରିଛନ୍ତି । ସମାଜର ଉପେକ୍ଷିତ, ଅବହେଳିତ ଶ୍ରେଣୀର ଉନ୍ନତି କଳ୍ପେ ସତ୍ୟାନୁସନ୍ଧାନ ଭିତ୍ତିକ ସମ୍ବାଦ ପରିବେଷଣ, ପ୍ରବନ୍ଧ ଓ ଫିଚର ଲିଖନର ଆବେଗିକ ଶୈଳୀ,ସମାଜ ପ୍ରତି ଭାବାତ୍ମକ ଓ ବାଗାତ୍ମକ ଆବେଦନ,ଚମ୍ବଲଡାକୁ ପଞ୍ଚମ ସିଂହ,ପ୍ରାଜ୍ଞ ରାଷ୍ଟ୍ରନୀତିଜ୍ଞ ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ, ସ୍ୱାମୀ ଚିନ୍ମୟାନନ୍ଦ, ସ୍ୱାମୀ ଚିଦାନନ୍ଦ,ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ, ସାମ୍ୟବାଦୀ ପ୍ରବକ୍ତା ଇଏସ ନମ୍ବୁଦରିପଦ,ଅଭିନେତ୍ରୀ ଆଶା ପାରିଖ,ବୈଜୟନ୍ତିମାଳା, କଥକ ସମ୍ରାଟ ବିରଜୁ ମହାରାଜ, ଦକ୍ଷିଣ ଆଫ୍ରିକା ମୁକ୍ତିଯୋଦ୍ଧା ମୁସାମୁଲ୍ଲା, ପ୍ରଖ୍ୟାତ ସନ୍ତରଣକାରୀ ମିହିରସେନଙ୍କ ପରି ବହୁ ବିଶିଷ୍ଟ ଓ ବିତର୍କିତ ବ୍ୟକ୍ତିଙ୍କ ସହ ବିଷଦ ସାକ୍ଷାତକାର, ଯାବତୀୟ ପ୍ରତିକୂଳ ସ୍ଥିତି ମଧ୍ୟରେ ଭାରତୀୟ ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ଅବିଚଳିତ ନିଷ୍ଠା ତାଙ୍କୁ ଏକ ଯଶସ୍ୱୀ ପ୍ରତିଭାର ପରିଚିତ ପ୍ରଦାନ କରିଛି । ସତ୍ୟନିଷ୍ଠ, ଅକୁତୋଭୟ ନିର୍ଭୀକ ସାମ୍ବାଦିକ ସ୍ୱାଭାବ ପାଇଁ ସେ ଜରୁରୀ ପରିସ୍ଥିତି ବେଳେ କଳା ଶାସନ ବିରୋଧରେ ସଂଗ୍ରାମକରି ଦୀର୍ଘକାଳ ଧରି କାରାବରଣ କରିଛନ୍ତି । ସେ ଏକାଧାରରେ ଜଣେ ସଫଳ ସଂଗଠକ, ବାଗ୍ମୀ, ସାରସ୍ୱତ ସ୍ରଷ୍ଟା, ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସ୍ତମ୍ଭ ଲେଖକ ଓ ଏ ସମସ୍ତ ଉପରେ ନିଚ୍ଛକ ସ୍ନେହୀ ମଣିଷଟିଏ । ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱର ବର୍ଣ୍ଣବିଭା ବହୁ ଅନୁଷ୍ଠାନ ବିଜ୍ଞଜନ ତଥା ସାଧାରଣ ପାଠକଙ୍କୁ ମୁଗ୍ଧ କରିଛି ।
ସାମ୍ବାଦିକତାର ଆଦିପିତା ଦେବର୍ଷି ନାରଦଙ୍କ ପବିତ୍ର ଜନ୍ମତିଥିରେ ଏହି ପରି ଜଣେ ନିର୍ଭୀକ, ନିରଳସ ସାମ୍ବାଦିକଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ପକ୍ଷରୁ ‘ନାରଦ ସମ୍ମାନ’ ରେ ବିଭୂଷିତ କରାଯାଇଛି । ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବ ୬ ମେ ୨୦୧୫ରିଖ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣ,ଓଡିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଶ୍ରୀ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଏବଂ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ‘ନାରଦ ସମ୍ମାନ-୨୦୧୫’ ପ୍ରଦାନ କରିଛନ୍ତି ।
ମୁଖ୍ୟବକ୍ତା ଶ୍ରୀ ମୋହିନୀ ମୋହନ ମିଶ୍ର କହିଲେ ଯେ,ବର୍ତ୍ତମାନ ବୈଷୟିକ ପରିସ୍ଥିତି ରେ ଯେତେବେଳେ ମଣିଷ ଏବଂ ପୁରା ସୃଷ୍ଟି ଚକ୍ର ଏକ ବିଷମ ପରିସ୍ଥିତିରେ ପଡିବାକୁ ଯାଉଛି ସେତେବେଳେ ନାରଦଙ୍କ ଭଳି ସାମ୍ବାଦିକମାନଙ୍କର ଆବଶ୍ୟକତା ବହୁତ ବଢି ଯାଇଛି । ଏପରିସ୍ଥିତିରେ ବି ଓଡିଶା ଭଳି ଏକ ସଂସ୍କୃତି ସମ୍ପର୍ଣ୍ଣ ରାଜ୍ୟରେ ସହନ ଶୀଳତାର ସମ୍ବାଦ ପରିବେଷଣ ଆଗାମୀ ଦିନରେ ସାରା ଦୁନିଆକୁ ଦିଗ୍ଦର୍ଶନ ଦେବାର ସମ୍ଭବନା ଅଛି । ତେଣୁ ଏ ମାଟିର ସାମ୍ବାଦିକମାନେ ଏ ପ୍ରକାର ଏକ ଗୁରୁ ଦାୟିତ୍ୱ ଗ୍ରହଣ କରିବାକୁ ସେ ଆହ୍ୱାନ କରିଥିଲେ ।
ଦୁନିଆରେ ସମସ୍ତ ଚେଷ୍ଟା ସତ୍ତ୍ୱେ ଯେଉଁଭଳି ନରହତ୍ୟାକାରୀ ଆତଙ୍କବାଦୀମାନଙ୍କର ବଚସ୍ୱ ବଢି ଚାଲିଛି ବୋଲି ସମ୍ବାଦ ପରିବେଷଣ ହୋଇ ଚାଲିଛି, ଏ ବିଷୟରେ ସାମ୍ବାଦିକମାନେ ନିଜର ଭୂମିକାକୁ ସ୍ପଷ୍ଟ କରିବା ପାଇଁ ସେ ଆହ୍ୱାନ କରିଥିଲେ । କେବଳ ଆତଙ୍କବାଦ ନୁହଁ, ପୃଥିବୀର ପରିବେଷକୁ ଧ୍ୱଂସ ଆଡକୁ ନେଇ ଚାଲୁଥିବା ଜୀବନ ପଦ୍ଧତିର ବିକଳ୍ପ ଦିଗରେ ଇଙ୍ଗିତ କରିବାର ପ୍ରୟାସ ବି ସାମ୍ବାଦିକମାନେ କରି ପାରିବେ । କାରଣ ଆଜିର ସମୟରେ ଲାଗୁଛି ଯେପରି ସବୁର ନିୟନ୍ତ୍ରଣ ଯେମିତି ସାମ୍ବାଦିକମାନଙ୍କ କଲମ ମୁନରେ ରହି ଯାଇଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ଶ୍ରୀ ନିରଞ୍ଜନ ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସୁମନ୍ତ କୁମାର ପଣ୍ଡା ପରିଚୟ ପ୍ରଦାନ, ଜ୍ଞାନେନ୍ଦ୍ର ନାୟକ ମାନପତ୍ର ପାଠ କରିଥିଲେ । ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଦେଶାତ୍ମକ ବୋଧକ ସଂଗୀତ ଓ ବନେ୍ଦମାତରଂ ଗାନ କରିଥିବା ବେଳେ ସଂଗଠନର ସହ-ସଂପାଦକ ସବ୍ୟସାଚୀ ବେହେରା, କୋଷାଧ୍ୟକ୍ଷ ଚିନ୍ମୟ ବୋଡେ, ଇଂ ଫକୀର ସାହୁ,ଗଙ୍ଗାଧର ସାହୁ ଓ ହରିହର ଶତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Share in top social networks!