ମେ ୮ରୁ ୧୦ ପର୍ଯ୍ୟନ୍ତ ବିଜେପିର ତିନିଦିନିଆ ଉଚ୍ଚସ୍ତରୀୟ ବୈଠକ

11205023_826930304057217_3531161751065932601_nଆସନ୍ତା ମେ ୮ ତାରିଖରୁ ମେ ୧୦ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଏହି ତିନିଦିନ ଧରି ଦଳର ସାଂଗଠନିକ ସ୍ଥିତି, ସଭ୍ୟ ସଂଗ୍ରହ ପରବର୍ତୀ ଅନୁମୋଦନ ପ୍ରକ୍ରିୟା, କର୍ମଶାଳା ଓ ସମୀକ୍ଷା ସହ ରାଜନୈତିକ ପ୍ରସ୍ତାବ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଷ୍ଟ୍ରୀୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଶିବପ୍ରକାଶଜୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡକ୍ଟର ମହେଶ ଶର୍ମା ପ୍ରମୁଖ ଉପସ୍ଥିତ ରହିବେ ।
ମେ’ ୮ ସଂଧ୍ୟା ସାଢ଼େ ୭ଟାରେ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ଦଳର ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଓ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ଦଳର ସମସ୍ତ ପଦାଧିକାରୀ ଉପସ୍ଥିତ ରହି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିବେ ।
ସେହିପରି ମେ’ ୯ରେ ମହା ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହେବ । ବିଜେପିର ସଭ୍ୟ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଥିବାବେଳେ ମହାସଂପର୍କ ଅଭିଯାନ ମାଧ୍ୟମରେ ସଭ୍ୟଙ୍କୁ ଅନୁମୋଦନ କରାଯିବ । ଏହି ଅବସରରେ ଦଳର ବିଚାରାଧାରା, ପରମ୍ପରା, ମୂଲ୍ୟବୋଧ, ଦଳର ଇତିହାସ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ବିଜେପି ସରକାରଙ୍କ ସଫଳତା ସଂପର୍କରେ ମଧ୍ୟ ଅବଗତ କରାଯିବ । ଦଳର ସଭ୍ୟମାନଙ୍କୁ ସକ୍ରିୟ କାର୍ଯ୍ୟକର୍ତା ଭାବେ ରୂପାନ୍ତରିତ କରାଯିବ ।
ମେ’ ୯ ତାରିଖ ଦିନ ୨ଟା ୩୦ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବ । ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ପଦାଧିକାରୀ ଓ ସଭ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏହି ବୈଠକ ମେ’ ୧୦ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ବୈଠକରେ ରାଜନୈତିକ ଓ ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବା ସହ ରାଜନୈତିକ ପ୍ରସ୍ତାବ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Share in top social networks!