କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୫ : ୫୦ ଜାତୀୟ ଏବଂ ଆନ୍ତର୍ଜାତୀୟ ବକ୍ତାଙ୍କ ଉପସ୍ଥିତି ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଶୁଭଦିନ…

KLF-LOGO-01ସାହିତ୍ୟ, ସଂସ୍କୃତି ଓ ସୌନ୍ଦର୍ଯ୍ୟସମ୍ଭାରର ଅପରୂପା ଓଡ଼ିଶାର ପବିତ୍ର ଭୂମିରେ ଆରମ୍ଭ ହେବାକୁ ଯାଉଛି “କଳିଙ୍ଗ ସାହିତ୍ୟ ମହୋତ୍ସବ” । ସାହିତ୍ୟର ଏହି ନବକଳେବର ‘ରୁଟ୍ସ ଅଫ୍‌ ଓଡ଼ିଶା ଫାଉଣ୍ଡେସନ୍‌(ଆର୍‌.ଓ.ଓ.ଏଫ୍‌)’ର ଏକ ଉପହାର ଯାହା ସମସ୍ତ ସାହିତ୍ୟପ୍ରେମୀଙ୍କ ନିମନ୍ତେ ଅର୍ପିତ। ଏହି ମହୋତ୍ସବ ମେ ୧୭ରେ ଭୂବନେଶ୍ୱରର ମେ ଫେୟାର୍‌ ହୋଟେଲ୍‌ର ପରିସରରେ ଅନୁଷ୍ଠିତ ହେବ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଏହି ମହୋତ୍ସବକୁ କେବଳ ରାଜ୍ୟ ସ୍ତରୀୟ ନୁହଁ ବରଂଚ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ପ୍ରଖ୍ୟାତ ବକ୍ତାଙ୍କ ସମାଗମ ହେବ। ଆଲୋଚନା, ବିତର୍କ, ପଠନ, ସଙ୍ଗୀତ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଏହି ବର୍ଣ୍ଣାଢ୍ୟ ଉତ୍ସବ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ମାଇଲ ଖୁଣ୍ଟି ହୋଇ ରହିବ।
ଯେଉଁ ବିଶ୍ବବିଖ୍ୟାତ ବକ୍ତା କଳିଙ୍ଗ ସାହିତ୍ୟ ମହୋତ୍ସବରେ ଯୋଗଦାନ ଦେବେ; ସେମାନେ ହେଲେ:
ସାର୍‌ ୱିଲିୟମ୍‌ ମାର୍କ୍‌ ଟୁଲୀ, ଡା: ଚନ୍ଦ୍ର ଶେଖର କନ୍‌ୱର, ପ୍ରଫେସର୍‌ କେଦାର ନାଥ ସିଂହ, ଡା: ହରପ୍ରସାଦ ଦାସ, ଡା: ରମାକାନ୍ତ ରଥ, ଶ୍ରୀ ସତ୍ୟ ନାରାୟଣ ସାହୁ, ଡା: ପ୍ରତିଭା ରାୟ, ଡା: ଗୌରହରି ଦାସ, ଡା: ରଞ୍ଜନା କୁମାରୀ, ପି. ଲଳିତା କୁମାରୀ, ରୂପା ଗାଙ୍ଗୁଲୀ, ସୀମା ବିଶ୍ୱାସ, ପ୍ରଭୃତି। ସମ୍ପୂର୍ଣ୍ଣ ତାଲିକା ଦେଖିବାକୁ ହେଲେ http://kalingaliteraryfest.org/ ସମ୍ପ୍ରୟୋଗକୁ ଯାଇ ଦେଖନ୍ତୁ।

ଏହି ମହୋତ୍ସବର ଆବାହକ ମଣ୍ଡଳୀରେ ଅଛନ୍ତି:
ଧୀରେନ୍ଦ୍ର କର, ଡା: ବି.କେ.ଦାସ, ରଶ୍ମୀ ରଞ୍ଜନ ପରିଡ଼ା, ପ୍ରାଚୀ ନାୟକ, ପ୍ରଶାନ୍ତ ଭୂୟାଁ, ସୀତାଂଶୁ ମହାପାତ୍ର, ସୁଧୀର ଦାଶ, ପ୍ରଫେସର୍‌ କମଳାକାନ୍ତ ଦାଶ ଏବଂ ସହସ୍ରାଂଶୁ ମହାପାତ୍ର। ଏହି ପ୍ରକଳ୍ପ ମିଳିତ ଭାବେ ରୁଟ୍ସ ଅଫ୍‌ ଓଡ଼ିଶା ଫାଉଣ୍ଡେସନ୍‌ ଏବଂ ଓଡ଼ିଶା ମେଡ଼ିଆ ଇନ୍‌ଫୋ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ଼ ଆୟୋଜନ କରୁଛନ୍ତି।

ଏହି ମହୋତ୍ସବର ଚେୟାର୍‌ମେନ୍‌ ଧୀରେନ୍ଦ୍ର କର ଉତ୍ସବ ସମ୍ପର୍କରେ କହିଥିଲେ ଯେ:
ଓଡ଼ିଶା ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ଏହା ଆମର ଏକ ପ୍ରଚେଷ୍ଟା। ଅଦମ୍ୟ ଉତ୍ସାହ ଆଉ ମହତ ଚିନ୍ତନ ସହ ଓଡ଼ିଶା ସାହିତ୍ୟର ଉପସ୍ଥିତି ସମସ୍ତଙ୍କ ଆଗରେ ବାଢ଼ିବାର ଏହା ଏକ ବାର୍ତ୍ତା। ସାର୍‌ ମାର୍କ ଟୁଲୀ, ଡା: ଚନ୍ଦ୍ର ଶେଖର କନ୍‌ୱର୍‌, ପ୍ରଫେସର୍‌ କେଦାର ନାଥ ସିଂହ, ଡା: ପ୍ରତିଭା ରାୟ; କଳିଙ୍ଗ ସାହିତ୍ୟ ମହୋତ୍ସବ ମଞ୍ଚରେ ଆଜିକାର ସାହିତ୍ୟ ଜଗତର ଏଇ ଚାରି ସାହିତ୍ୟ ମହାରଥିଙ୍କ ଉପସ୍ଥିତି ହିଁ ଆମର ସାମର୍ଥ୍ୟ ଆଉ ଦୃଢ଼ ସଙ୍କଳ୍ପର ପରିଚୟ।

କଳିଙ୍ଗ ସାହିତ୍ୟ ମହୋତ୍ସବର ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା ଏକ ସାକ୍ଷାତକାରରେ କହିଛନ୍ତି ଯେ:
ସମସ୍ତଙ୍କ ସହଯୋଗ ଆଉ ସମର୍ଥନ ଆମକୁ ଆଚମ୍ବିତ କରିଛି। ଆମେ ଯେ ଆମର ଲକ୍ଷ୍ୟ ପଥରେ ଆଗେଇ ଚାଲିଛୁ ଏହା ବକ୍ତାଙ୍କ ତାଲିକା ଦେଖିଲେ ଜଣାପଡ଼େ। ଜୟପୁର ଲିଟେରେଚର ଫେଷ୍ଟିଭାଲ୍‌ ଭଳି ଏହା ଆମ ଓଡ଼ିଶା ସାହିତ୍ୟ ଜଗତର ଏକ ପ୍ରକୃଷ୍ଟ ମଞ୍ଚ ହୋଇ ପାରିବ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରର ସାହିତ୍ୟିକଙ୍କ ଉପସ୍ଥିତି ଆମ ସାହିତ୍ୟକୁ ଏକ ନୂତନ ପରିଚୟ ଦେବାର ସମର୍ଥ ହେବ।

ରୁଟ୍ସ ଅଫ୍‌ ଓଡ଼ିଶା ଫାଉଣ୍ଡେସନ୍‌ ଏକ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଯାହା ଓଡ଼ିଶାବାସୀ ତଥା ଓଡ଼ିଆଭାଷୀଙ୍କ କଳା, ସଂସ୍କୃତି, ସାହିତ୍ୟ,ପ୍ରଭୃତିକୁ ବିଶ୍ୱବାସୀଙ୍କ ନିକଟରେ ରଖିବାର ଏକ ଦୃଢ଼ ନିଷ୍ଠା ରଖି ଆସିଛି। ଗତବର୍ଷ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଅଧିଗମ ଅବସରରେ ପ୍ରଥମ କଳିଙ୍ଗ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଐକାନ୍ତିକ ପ୍ରଚେଷ୍ଟା ତଥା ସମଗ୍ରବିଶ୍ୱରେ ଥିବା ଓଡ଼ିଆଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବାର ଏହି ସାଂସ୍କୃତିକ ପ୍ରୟାସକୁ ସମସ୍ତ ବୁଦ୍ଧିଜୀବି ତଥା ଓଡ଼ିଶାବାସୀ ଉଚ୍ଚ ପ୍ରଶଂସା କରିଥିଲେ।

କଳିଙ୍ଗ ସାହିତ୍ୟ ମହୋତ୍ସବ ସମସ୍ତଙ୍କ ପାଇଁ ମୁକ୍ତ ଅଟେ। ଅନ୍‌ଲାଇନ୍‌ ରେଜିଷ୍ଟ୍ର୍ସନ ଜରିଆରେ (http://kalingaliteraryfest.org/ ) ନିଜକୁ ଏହି ମହୋତ୍ସବରେ ସାମିଲ୍‌ କରିବାକୁ ଆବାହକମଣ୍ଡଳୀ ତରଫରୁ ଅଭିମନ୍ତ୍ରଣ କରାଯାଇଛି।

Share in top social networks!