ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟାଟା ଷ୍ଟିଲ ଅନୁଦାନପ୍ରାପ୍ତ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲଟି ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ

tataଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ଟାଟା ଷ୍ଟିଲ ଅନୁଦାନପ୍ରାପ୍ତ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲଟି ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ହସ୍ପିଟାଲ ଗଞ୍ଜାମ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ ଆଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବ ।

ବ୍ରହ୍ମପୁର ସହରରୁ ୧୭କିଲୋମିଟର ଦୂରରେ ଅବସ୍ଥିତ ସମରଝୋଳ ଗ୍ରାମର ୪.୫ ଏକର ଜମିରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଏହି ଚକ୍ଷୁ ଚିକିତ୍ସାଳୟ ବିଶ୍ୱସ୍ତରୀୟ ଉପକରଣ ଓ ଉଚ୍ଚକୋଟୀର ସର୍ଜନଙ୍କ ମାଧ୍ୟମରେ ଯେ କୌଣସି କର୍ପୋରେଟ୍ ହସ୍ପିଟାଲ ଭଳି ଉନ୍ନତମାନର ସେବା ଯୋଗାଇଦେବ ।

ଏହି ଅବସରରେ ଛତ୍ରପୁର ବିଧାୟକ ଡଃ ପ୍ରିୟାଂଶୁ ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଟାଟା ଷ୍ଟିଲର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପ ଓ ଏସ୍ଇଜେଡ୍ ମୁଖ୍ୟ ଶ୍ରୀ ସୁଶାନ୍ତ ମିଶ୍ର ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ଓ ସଚିବ ଶ୍ରୀ ଏସ୍. ବିଶ୍ୱନାଥନ୍ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଅଧିକାରୀଙ୍କୁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ୬.୭ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହାପୂର୍ବରୁ ଜାନୁଆରୀ ମାସରେ ଭୁବନେଶ୍ୱରଠାରେ ଟାଟା ଷ୍ଟିଲ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମଧ୍ୟରେ ଏକ ଗ୍ରାଣ୍ଟ ଏଗ୍ରିମେଣ୍ଟ ସ୍ୱାକ୍ଷରିତ ହୋଇଥିଲା । ଏଗ୍ରିମେଣ୍ଟ ଅନୁସାରେ ଟାଟା ଷ୍ଟିଲ ଏହି ଚିକିତ୍ସାଳୟର ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ପାଇଁ ୪୨.୩ କୋଟି ଟଙ୍କା ପ୍ରଦାନ କରିବ । ସେହି ସମୟରେ କାର୍ଯ୍ୟରାମ୍ଭ ପାଇଁ ଅଗ୍ରୀମ ରାଶି ଭାବେ ଶଙ୍କର ଚିକିତ୍ସାଳୟ ଅଧିକାରୀଙ୍କୁ ୩କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

ଗତ ଦୁଇ ଦଶକ ଧରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଉକôର୍ଷ ହାସଲ କରିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ବ୍ୟାପକ ନେତ୍ର ସୁରକ୍ଷା, ତଦନ୍ତ ଏବଂ ବାହ୍ୟ ରୋଗୀଙ୍କ ଉପଚାର, ସ୍ୱଳ୍ପ ଦୃଷ୍ଟି କ୍ଲିନିକ୍, କଣ୍ଟାକ୍ଟ ଲେନ୍ସ କ୍ଲିନିକ୍, ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍, ଡେ କେୟାର କ୍ଲିନିକ୍, ମାଇକ୍ରୋ ଫେକୋ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଓ ଗ୍ଲୁକୋମା ସେବା ଭଳି ଅନେକ ଅତ୍ୟାଧୁନିକ ସୁବିଧାମାନ ଉପଲବ୍ଧ ହେବ ।

ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଗୋପାଳପୁର ଓ କଳିଙ୍ଗନଗରଠାରେ ଯଥାକ୍ରମେ ୫୦୦ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ ସ୍ଥାପନ କରାଯାଉଛି । ଯୋଡ଼ା ଓ ସୁକିନ୍ଦାରେ ଅବସ୍ଥିତ ନିଜର ହସ୍ପିଟାଲ, ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ କମ୍ପାନୀ ପ୍ରତିବର୍ଷ ଓଡ଼ିଶାର ୪ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି ।

Share in top social networks!