ବିଜେପି ସଭ୍ୟ ସଂଖ୍ୟା ଦେଶରେ ୧୦ କୋଟି, ଓଡ଼ିଶାରେ ୩୦ ଲକ୍ଷ ଟପିଲା

ଦେଶରେ ବିଜେପି ସଭ୍ୟ ସଂଖ୍ୟା ୧୦ କୋଟି ଟପିଥିବାବେଳେ ଓଡ଼ିଶାରେ ଏହା ୩୦ ଲକ୍ଷ ଟପିସାରିଛି । ସେହିପରି ଏସଏମଏସ ମାଧ୍ୟମରେ ଦେଶରେ ପ୍ରାୟ ୩ରୁ ୪ କୋଟି ସଦସ୍ୟ ହୋଇଥିବାବେଳେ ରାଜ୍ୟରେ ଏହା ୫ ଲକ୍ଷ ଟପିବ ବୋଲି ଆଶା କରାଯାଇଛି । ଅପ୍ରେଲ ଶେଷ ସୁଦ୍ଧା ଓଡ଼ିଶାରେ ବିଜେପି ସଭ୍ୟ ସଂଖ୍ୟା ୪୦ ଲକ୍ଷ ଟାର୍ଗେଟ୍ ହାସଲ କରିପାରିବ ।
bjpodisha
ଏହି ଅବସରରେ ଆଜି ଦଳୀୟ କାର୍ଯ୍ୟାଳୟଠାରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନର ଟାର୍ଗେଟ୍ ପୂରଣ ହୋଇଥିବାରୁ ଉତ୍ସବର ଆୟୋଜନ କରାଯାଇଥିଲା । ଦଳର ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବରିଷ୍ଠ ବିଜେପି ନେତା ତଥା ଦଳର ଉପସଭାପତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଜ୍ଜନ ଶର୍ମା, ଦିଲ୍ଲୀପ ମହାନ୍ତି, ଅମୀୟ ଦାସ, ଲେଖାଶ୍ରୀ ସାମନ୍ତସିଂହାର, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଯୁବମୋର୍ଚ୍ଚାର ବହୁ କାର୍ଯ୍ୟକର୍ତା, ଦଳର ସମର୍ଥକ ଓ ପ୍ରଶଂସକମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉପସଭାପତି ଶ୍ରୀ ଷଡ଼ଙ୍ଗୀ କହିଲେଯେ, ଓଡ଼ିଶାରେ ପୂର୍ବରୁ ୩ ଲକ୍ଷ ସଭ୍ୟ ଥିବାବେଳେ ଏବେ ତାହା ୩୦ ଲକ୍ଷ ଟପିସାରିଛି । ମେମ୍ବରସିପ୍ ନମ୍ବର ମିଳିନଥିବା (ଏସଏମଏସ ମାଧ୍ୟମରେ ହୋଇଥିବା) ସଭ୍ୟ ସଂଖ୍ୟା ମଧ୍ୟ ପ୍ରାୟ ୫ ଲକ୍ଷ ହେବ । ଅର୍ଥାତ୍ ଇତିମଧ୍ୟରେ ଓଡ଼ିଶାରେ ସଭ୍ୟ ସଂଖ୍ୟା ୩୫ ଲକ୍ଷରେ ପହଁଚିଥିବାବେଳେ ଅପ୍ରେଲ ସୁଦ୍ଧା ତାହା ୪୦ ଲକ୍ଷ ଟାର୍ଗେଟ୍ ହାସଲ କରିପାରିବ । ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ସରିବା ପରେ ସଭ୍ୟ ଭେରିଫିକେସନ୍ ବା ସତ୍ୟାପନ ପ୍ରକ୍ରିୟା ହେବ । ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କ ପାଖରେ କାର୍ଯ୍ୟକର୍ତାମାନେ ପହଁଚିବା ସହ ସେମାନଙ୍କୁ ଦଳର ଆଭିମୁଖ୍ୟ, ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ଅବଗତ କରାଇବେ । ଏହି ସତ୍ୟାପନ ପ୍ରକ୍ରିୟା ଅବସରରେ ଯଦି କୌଣସି ସଭ୍ୟ ବିଜେପିରେ ଅନ୍ତର୍ଭୁକ୍ତ ନହେବାକୁ ଚାହାନ୍ତି ବା ଭୁଲ୍ରେ ମିସ୍ କଲ୍ କରିଛନ୍ତି ବୋଲି କୁହନ୍ତି ତେବେ ସେମାନଙ୍କୁ ସଭ୍ୟ ତାଲିକାରୁ ବାଦ୍ ଦିଆଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ସଭ୍ୟ ସଂଗ୍ରହ ଓ ସତ୍ୟାପନ ପ୍ରକ୍ରିୟା ପରେ ଦଳ ଆଗାମୀ ଦିନରେ କିଭଳି ଆହୁରି ସଂଗଠିତ ହୋଇପାରିବ ସେନେଇ ଦଳ ରଣନୀତି କରିବ ବୋଲି ସେ ସୂଚନା ଦେଇଥିଲେ ।

Share in top social networks!