ସରକାରି କାର୍ଯ୍ୟ ଓଡିଆରେ କରିବାପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ; ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସମସ୍ତ ବୈଷୟିକ ଜ୍ଞାନ ପ୍ରଦାନ କରିବ

ଓଡିଶାରେ ଏଣିକି ସବୁକାମ ଓଡିଆରେ ହେବ । ସରକାରି ଚିଠି, ନିଦେ୍ର୍ଧଶାବଳୀ ଆଦି ସବୁକିଛି ଓଡିଆରେ କରିବାପାଇଁ ଜନସାଧାରଣଙ୍କଦ୍ୱାରା ହେଉଥିବା ଦୀର୍ଘ ଦିନର ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଗୋକୁଳଚନ୍ଦ୍ର ପତିଙ୍କ ପରାମର୍ଶକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାପରେ ପ୍ରାଥମିକ ସ୍ତରରେ ସାଧାରଣ ପ୍ରଶାସନ ବିଭାଗ ଅଧିନରେ କାର୍ଯ୍ୟରତ ସିଏମଜିଆଇ ସଂସ୍ଥା ସହିତ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

ଏହି ବୁଝାମଣାପତ୍ର ଅନୁସାରେ ଉଭୟ ସଂସ୍ଥା ଓଡିଆରେ କାର୍ଯ୍ୟ କରିବାପାଇଁ ଅତ୍ୟାବଶ୍ୟକୀୟ କ୍ଷେତ୍ର ଚିହ୍ନଟ କରିବେ । ଏହାର ରୂପରେଖ ଓଡିଆରେ କିପରି ହେବ, ସେ ବିଷୟରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଭାଷାବିଶେଷଜ୍ଞ ଓ ଅନ୍ୟ ବୈଷୟିକ ବିଶେଷଜ୍ଞଗଣ ଆବଶ୍ୟକୀୟ ପରାମର୍ଶ ପ୍ରଦାନ କରିବେ । ତାହା ସରକାରଙ୍କଦ୍ୱାରା ଗୃହୀତ ହେବାପରେ ଏହା କାର୍ଯ୍ୟକାରି କରାଯିବ । ଏହି ବୈ÷ଷୟିକ ପରାମର୍ଶ ବିନା ମୂଲ୍ୟରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଯୋଗାଇଦେବ, ମାତ୍ର ଏହାର କାର୍ଯ୍ୟକାରିତାପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସରକାର ଯୋଗାଇ ଦେବେ । ବର୍ତ୍ତମାନପାଇଁ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସରକାରି ଚିଠି, ଗେଜେଟ, ଗେଜେଟିଅର, ବିଭିନ୍ନ ଯୋଜନା ଆଦିର ଓଡିଆ ଅନୁବାଦ କରାଯିବ । ଏଥି ସହିତ ଚିଠିପତ୍ର ଓ ଅନ୍ୟାନ୍ୟ କାର୍ଯ୍ୟାବଳୀ ଓଡିଆରେ ପରିଚାଳନା କରିବାପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଏବଂ ସରକାରୀ କାର୍ଯ୍ୟରେ ବ୍ୟବହୃତ ସମସ୍ତ କମ୍ପୁ୍ୟଟରରେ ଓଡିଆ ୟୁନିକୋର୍ଡ ସଫ୍ଟୱେୟାର ସଂଯୁକ୍ତ କରିବା ସହିତ କମ୍ପୁ୍ୟଟର ପରିଚାଳକଙ୍କୁ ଏହାର ସରଳ ବ୍ୟବହାରପାଇଁ ପ୍ରଶିକ୍ଷଣ ଦେବ ।

ପରବର୍ତ୍ତୀ କାଳରେ ସରକାରଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ଉକ୍ତ ଚୁକ୍ତିପତ୍ରରେ ଉଲ୍ଲେଖ ରହିଛି । ଏହି ଚୁକ୍ତିପତ୍ରରେ ସରକାରଙ୍କ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାନ୍ତି ଏବଂ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟସଚିବ ଡଃ ସୁବ୍ରତ କୁମାର ପୃଷ୍ଟି ସ୍ୱାକ୍ଷର କରିଥିବାବେଳେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ନୀତିନ ଚନ୍ଦ୍ର ଓ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ନନ୍ଦକିଶୋର ସେଠୀ ଏବଂ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଅଧ୍ୟକ୍ଷ ତଥା ବିଶିଷ୍ଟ ଭାଷାବିତ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍ଥାର ପରାମର୍ଶଦାତା ତଥା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଡଃ ଓଂକାରନାଥ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!