ଆଠଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଜାତୀୟ ବଧିରତା ନିୟନ୍ତ୍ରଣ ଓ ନିରାକଣ କାର୍ଯ୍ୟକ୍ରମ

ରାଜ୍ୟର ଆଠଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ଜାତୀୟ ବଧିରତା ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ । ୨୦୦୭ ମସିହାରୁ ଦେଶର ୧୧ ଟି ରାଜ୍ୟର ୨୫ ଟି ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦ୍ୱାଦଶ ଯୋଜନା କାଳରେ ଦେଶର ୨୦ ଟି ରାଜ୍ୟର ୧୯୨ଟି ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି ।

ଏଥିରେ ଓଡିଶାର ୮ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି କଟକ , ଗଞ୍ଜାମ , କଳାହାଣ୍ଡି , କନ୍ଧମାଳ , ଖୋର୍ଦ୍ଧା , କୋରାପୁଟ , ମୟୁରଭଞ୍ଜ ଏବଂ ସମ୍ବଲପୁର । ୨୦୧୫-୧୬ ବର୍ଷରୁ ରାଜ୍ୟରେ ଆରମ୍ଭ କରାଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ଏନ୍.ସି.ଡି ଫ୍ଲେକ୍ସିପୁଲ୍ରେ ଜାତୀୟ ସ୍ୱାସ୍ଥ୍ୟମିଶନ ମାଧ୍ୟମରେ ୩ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆସନ୍ତା ୨୦୧୭ ମସିହା ମାର୍ଚ୍ଚ ମାସ ସୁଦ୍ଧା ଦେଶର ଆଉ ୨୦୦ ଜିଲ୍ଲାକୁ ସଂପ୍ରସାରିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଶ୍ରବଣଶକ୍ତି ହରାଇବା ବା ହ୍ରାସ ପାଇବା ମଣିଷର ଏକ ଅତି ସମ୍ବେଦନଶୀଳ ଶାରିରୀକ ଅଭାବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ଦେଶରେ ପ୍ରାୟ ୬ କୋଟି ୩୦ଲକ୍ଷ ଲୋକ ବଧିର । ଏହା ମୋଟ ଲୋକସଂଖ୍ୟାର ୬.୩ ପ୍ରତିଶତ । ଜାତୀୟ ନମୂନା ସର୍ବେକ୍ଷଣ ସଂଗଠନର ରିପୋଟ ର୍(୨୦୦୧) ଅନୁଯାୟୀ ପ୍ରତି ଏକଲକ୍ଷ ଲୋକଙ୍କ ମଧ୍ୟରେ ପ୍ରାୟ ୨୯୧ ଜଣ ସମ୍ପୂର୍ଣ୍ଣ ବଧିର କିମ୍ବା କମ୍ ଶ୍ରବଣଶକ୍ତି ଜନିତ ସମସ୍ୟାରେ ପିଡିତ । ଆମ ରାଜ୍ୟରେ ପ୍ରତି ଏକଲକ୍ଷ ଲୋକଙ୍କ ଭିତରେ ପ୍ରାୟ ୩୦୦ ଜଣ ବଧିର କିମ୍ବା ଶ୍ରବଣଶକ୍ତି କମ୍ଥିବା ଜନିତ ସମସ୍ୟାରେ ପିଡିତ ।

ଏମାନଙ୍କ ମଧ୍ୟରେ ଜନ୍ମରୁ ୧୪ ବର୍ଷ ବୟସ ମଧ୍ୟରେ ପିଲା ମାନଙ୍କ ସଂଖ୍ୟା ଅଧିକ । ରାଜ୍ୟର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରତି ବର୍ଷ ପ୍ରାୟ ୩.୮ ପ୍ରତିଶତ ନୂଆ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ମୋଟ ଲୋକଙ୍କ ମଧ୍ୟରୁ ୭୮ ପ୍ରତିଶତକୁ ରୋକାଯାଇ ପାରିବ । ସଚେତନତାର ଅଭାବ କାରଣରୁ କ୍ରମଶଃ ହ୍ରାସ ପାଉଥିବା ଶ୍ରବଣଶକ୍ତି ଗୁରୁତର ଆକାର ଧାରଣ କରିଥାଏ ବା ପୁରା ବଧିର ହୋଇଯିବାକୁ ପଡିଥାଏ । ପ୍ରାଥମିକ ସ୍ଥରରୁ ଚିକିତ୍ସା କରାଗଲେ ଏହାକୁ ରୋକାଯାଇ ପାରିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୌଣସି ରୋଗ କାରଣରୁ କିମ୍ବା ଦୁର୍ଘଟଣା ଜନିତ କ୍ଷତ କାରଣରୁ ଶ୍ରବଣ ଶକ୍ତି ହରାଇବାର ସମ୍ଭାବନାକୁ ପ୍ରତିରୋଧ କରିବା ,ପ୍ରାଥମିକ ସ୍ଥରରୁ ଚିହ୍ନଟ କରି ଚିକିତ୍ସା କରାଯିବା , ବଧିରତା ଜନିତ ସମସ୍ୟାରେ ଥିବା ସବୁ ବୟସର ଲୋକଙ୍କୁ ଡାକ୍ତରୀ ଚିକିତ୍ସା ପ୍ରଦାନ କରିବା , ଅନ୍ତର୍ବିଭାଗ ସହେଯାଗରେ ବଧିର ମାନଙ୍କ ଥଇଥାନ କାର୍ଯ୍ୟକ୍ରମକୁ ସୁଦୃଢ କରାଯିବା ସହ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ କାନର ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଠାରୁ ଆରମ୍ଭ କରି ଆବଶ୍ୟକ ଉପକରଣ ଏବଂ ତାଲିମ୍ ବ୍ୟବସ୍ଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରହଣ କରାଯିବ ।

ରାଜ୍ୟର ୮ଟି ଜିଲ୍ଲାରେ ଆରମ୍ଭ କରାଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲର ଇ.ଏନ୍.ଟି ବିଭାଗ ମୁଖ୍ୟ ପ୍ରଫେସର ଡାଃ ସୁବ୍ରତ ବେହେରାଙ୍କୁ ବୈଷୟୀକ ପରାମର୍ଶଦାତା ଏବଂ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିଦେ୍ର୍ଧଶକ ଡାଃ ପି.କେ.ବି ପଟ୍ଟନାୟକଙ୍କୁ ରାଜ୍ୟ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦେଇଥିବା ବେଳେ ଏହି ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ (ଜନସ୍ୱାସ୍ଥ)ଙ୍କୁ ଜିଲ୍ଲା ନୋଡାଲ ଅଫିସର ଭାବେ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଏହା ୮ ଟି ଜିଲ୍ଲାରେ ଆରମ୍ଭ କରାଯାଉଥିବା ବେଳେ ଆସନ୍ତା ବର୍ଷ ଅନ୍ୟ ଜିଲ୍ଲାମାନଙ୍କୁ ସଂପ୍ରସାରିତ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!