ଭାଷାକୁ ଭାଷା ସହ ଯୋଡିଲେ ଭାରତ ବିକଶିତ ହେବ

bhasaଭାରତକୁ ବିଶ୍ୱମୁଖୀ କରିବାପାଇଁ ଟେକ୍ନୋଲୋଜିର ଯେତିକି ଆବଶ୍ୟକ ରହିଛି, ସେତିକି ଅଛି ଟେକ୍ନୋଲୋଜିକୁ ଲୋକଙ୍କ ନିକଟରେ ପହଞ୍ଚାଇବା । ଏଥିପାଇଁ ଭାଷା ହେଉଛି ମୁଖ୍ୟ ମାଧ୍ୟମ । ଭାରତରେ ୨୨ଟି ଉନ୍ନତ ଭାଷା ରହିଛି, ମାତ୍ର ଏହି ଭାଷା ଏପର୍ଯ୍ୟନ୍ତ ଟେକ୍ନୋଲୋଜିର ଭାଷା ହୋଇପାରିନାହିଁ । ତେଣୁ ମେକ ଇନ ଇଣ୍ଡିଆକୁ ସଫଳ କରିବାକୁ ହେଲେ ଭାରତୀୟ ଭାଷା ଏହାର ଆଧାର ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ୨ୟ ଜାତୀୟ ଭାଷା ସମ୍ମିଳନୀର ଶେଷ ଦିବସରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ଭାଷା ବିଶେଷଜ୍ଞଗଣ ମତ ବ୍ୟକ୍ତ କରିଛନ୍ତି । ଆସାମ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାସ୍କର ଜ୍ୟୋତି ଶର୍ମା, ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରଫେସର ମନୋରଂଜନ ପ୍ରଧାନ, ପ୍ରଫେସର ସବିତା ପ୍ରଧାନ, ପ୍ରାଧ୍ୟାପକ, ଇନ୍ଦ୍ରମଣି ସାହୁ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଡଃ ବସନ୍ତ ପଣ୍ଡା, ଡଃ ଶକୁନ୍ତଳା ବଳିୟାର ସିଂହ, ଡଃ ସିପ୍ରା ମଲ୍ଲିକ, ଡଃ ସୁପ୍ରିୟା ମଲ୍ଲିକ, ଡଃ ବିଶ୍ୱନନ୍ଦନ ଦାସ, ଡଃ ରଜତ ମହାନ୍ତି, ଡଃ ନିବେଦିତା ମହାନ୍ତି, ଡଃ ରଶ୍ମିତା ତ୍ରିପାଠୀ, ଡଃ ମମତାରାଣୀ ବେହେରା, ଡଃ ଅରୁଣ କୁମାର ସାହୁ, ଡଃ ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡଃ ଦେବାଶିଷ ମହାପାତ୍ର, ଡଃ ଦେବାଶିଷ ମଣ୍ଡଳ ପ୍ରଫେସର ବାସୁଦେବ ସାହୁ, ଡଃ ସତ୍ୟଜିତ ଦାସ, ଗବେଷିକା ଶର୍ମିଷ୍ଠା ମହାପାତ୍ର,ଶିବପ୍ରସାଦ ସାହୁ ପ୍ରମୁଖ ବିଦ୍ୱାନ ଆଜିର ତିନୋଟି ଅଧିବେଶନରେ ମୋଟ ୩୪ଟି ଗବେଷଣାତ୍ମକ ସନ୍ଦର୍ଭ ପାଠ ଓଡିଆ ସମେତ ଅନ୍ୟ ଭାରତୀୟ ଭାଷାର ସ୍ଥିତି ଓ ବିକାଶ ପ୍ରକ୍ରିୟା ବିଷୟରେ ତର୍ଜମା କରିଥିଲେ ।
ସମ୍ମିଳନୀର ଉଦଯାପନ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର କହିଥିଲେ ଯେ, ବର୍ତ୍ତମାନ ସମାଜରେ ଓଡିଆ ଏକ କଥିତ ଭାଷା ହୋଇ ରହିଯାଇଛି । ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । କର୍ଣ୍ଣାଟକ ସରକାର ବର୍ତ୍ତମାନ +୨ ଶିକ୍ଷା ପର୍ଯ୍ୟନ୍ତ ମାତୃଭାଷାକୁ ବାଧ୍ୟତାମୁଳକ କରିଛନ୍ତି । ଜାତିର ସମ୍ମାନ ତଥା ସୁରକ୍ଷାପାଇଁ ଓଡିଶା ସରକାର ସ୍ନାତକ ଶିକ୍ଷା ପର୍ଯ୍ୟନ୍ତ ଓଡିଆ ଭାଷାକୁ ବାଧ୍ୟତାମୁଳକ କରିବା ଆବଶ୍ୟକ । ସେହିପରି ୧୯୫୪ ମସିହାର ଭାଷା ଆଇନକୁ ଆଇନ ବଳରେ ପ୍ରଚଳନ କରାଯାଇପାରିବ । ମୁଖ୍ୟବକ୍ତା ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଣ୍ଟିଆ ଓଡିଶା ସରକାରଙ୍କ ତରଫରୁ ଓଡିଆ ଭାଷାକୁ ନେଇ କୌଣସି ଖସଡା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନ ଥିବାବେଳେ ଗବେଷକ ଓ ଭାଷାବିତ୍ଙ୍କ ଉଦ୍ୟମରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ମଧ୍ୟ ଓଡିଆ ଭାଷାକୁ ସରକାରୀ ଭାଷା କରାଯାଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ଝାଡଖଣ୍ଡ ମନ୍ତ୍ରୀ ଡକ୍ଟର ଦିନେଶ ଷଡଙ୍ଗୀ ଯୋଗଦେଇ ଓଡିଆ ଭାଷା ବ୍ୟବହାର ଆବଶ୍ୟକତାକୁ ରାଜନୈତିକ ସ୍ତରରେ ପ୍ରଭାବିତ କରିବାପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ ।
ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ତଥା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ସମ୍ମିଳନୀର ଶେଷ ଅଧିବେଶନର ଆରମ୍ଭରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଉପାଧ୍ୟକ୍ଷ ଡକ୍ଟର ନଟବର ଶତପଥୀ ତିନି ଦିନର ବିବରଣୀ ପାଠ କରିଥିବାବେଳେ ଡକ୍ଟର ଓମ୍କାରନାଥ ମହାନ୍ତି ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରାକ୍ତନ ବିଧାୟିକା ତଥା ଅନୁଷ୍ଠାନର ଉପାଧ୍ୟକ୍ଷା ଡକ୍ଟର ସିପ୍ରା ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଉପାନ୍ତ ଅଞ୍ଚଳରେ ଓଡିଆଙ୍କ ସୁରକ୍ଷାପାଇଁ କାର୍ଯ୍ୟ କରୁଥିବା ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦ୍ୟାପନୀ ଉସôବର ଅଧ୍ୟକ୍ଷତା କରି ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଭାଷାପାଇଁ କାମ କରୁଥିବା ଅନୁଷ୍ଠାନ ଏକାଠି ହେବା ସହ ସରକାରଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ । ତେବେ ଭାଷା ସମ୍ମିଳନୀର ସଫଳତା ଏବଂ ଏହି କାର୍ଯ୍ୟପାଇଁ ସରକାରଙ୍କ ସହଯୋଗ ମିଳିବାଦ୍ୱାରା ସରକାର ଓ ବେସରକାରି ସଂସ୍ଥା ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଲୋକଙ୍କପାଇଁ ଏକ ସତର୍କ ଘଣ୍ଟି ବୋଲି କହିଥିଲେ । ଏହି ଅବସରରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଓଡିଆଭାଷାରେ ପ୍ରକାଶିତ ପ୍ରତିଯୋଗିତାମୂଳକ ପତ୍ରିକା ସିଭିଲ ସର୍ଭିସ ପଥିର ଉନ୍ମୋଚିତ ହୋଇଥିଲା ।

Share in top social networks!