ଆମେ ଓଡ଼ିଆ…ଆମ ଓଡ଼ିଶା…!!!

11088398_689476561161547_6594862476229924963_nଚାଲନ୍ତୁ…କଥା କଥାରେ କଥା ଆରମ୍ଭ କରିବା…!
ଡାଇଓଜିନିସ୍‌; ସେ ଥିଲେ ଜଣେ ସରଳ, ନିରୀହ ଆଉ ସତ୍ୟପ୍ରିୟ। ଗ୍ରୀକ୍‌ର ଏହି ମହାପୁରୁଷଙ୍କ ଜ୍ଞାନ ଥିଲା ଅତି ବିଚକ୍ଷଣ। ଜୀବନ ଦର୍ଶନର ଜ୍ଞାନ ବଣ୍ଟନ କରୁଥିଲେ ସେ ନିତିପ୍ରତି। ଏଣୁ ଡାଇଓଜିନିସ୍‌ଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଜ୍ଞାନ ଆହରଣ ନିମନ୍ତେ ବିଭିନ୍ନ ଅଞ୍ଚଳରୁ ଲୋକମାନେ ସଦାସର୍ବଦା ଆସୁଥିଲେ। ଡାଇଓଜିନିସ୍‌ଙ୍କ ବିଶ୍ୱାସ ଥିଲା ଯେ, ବଞ୍ଚିବା ନିମନ୍ତେ ମନୁଷ୍ୟର ଆବଶ୍ୟକତା ଅତି ସ୍ୱଳ୍ପ। ଡାଇଓଜିନିସ୍‌ଙ୍କ ନିଜର ବସବାସ କିଛି ନଥିଲା। ସେ ଗୋଟିଏ ବଡ଼ ପିମ୍ପାରେ ରହୁଥିଲେ ଆଉ ତାକୁ ଗଡ଼ାଇ ଏଣେତେଣେ ଯିବା ଆସିବା କରୁଥିଲେ। ଯେଉଁଠି ଇଚ୍ଛା ସେଇଠି ରାସ୍ତାକଡ଼େ ସେଇ ପିମ୍ପାକୁ ନେଇ ରହୁଥିଲେ। ସୂର୍ଯ୍ୟକିରଣରେ ବସି ଲୋକଙ୍କୁ ଜ୍ଞାନ ବାଣ୍ଟିବା ତାଙ୍କୁ ଆନନ୍ଦ ଦେଉଥିଲା।
ବିଶ୍ୱ ଇତିହାସର ଏକ ଚମତ୍କାର କ୍ଷଣ ଥିଲା ସେଦିନ; ଯେଉଁଦିନ ଆଲେକ୍‌ଜାଣ୍ଡର୍‌ ଦି ଗ୍ରେଟ୍‌ ଆଉ ଡାଇଓଜିନିସଙ୍କ ପ୍ରଥମ ମିଳନ ହୋଇଥିଲା। ସେଇ ମିଳନ ଅତି ସ୍ୱଳ୍ପ ସମୟ ଆଉ ଦୁଇପଦ କଥାରେ ସରି ଯାଇଥିଲା ହେଲେ ତାହା ଆଲେକ୍‌ଜାଣ୍ଡର୍‌ଙ୍କ ଜୀବନରେ ଗଭୀର ରେଖାପାତ କରିଥିଲା।
ସେଇଦିନ ସକାଳର ସୂର୍ଯ୍ୟକିରଣରେ ନିଜକୁ ପିମ୍ପା ନିକଟରେ ରଖି ବସିଥିଲେ ଡାଇଓଜିନିସ୍‌। ସୂର୍ଯ୍ୟକିରଣର ଉତ୍ତାପ ଆଉ ଆଲୁଅକୁ ଅତି ପ୍ରସନ୍ନଚିତ୍ତରେ ଭୋଗ କରୁଥିଲେ ସେ। ତାଙ୍କ ଦେହରେ ଯେତେବେଳେ ଛାଇ ପଡ଼ିଲା ସେ ମୁହଁ ଉଠାଇ ଦେଖିଲେ ଯେ ତାଙ୍କ ସାମ୍ନାରେ ବିଶ୍ୱବିଜୟୀ ମହାନ୍‌ ଆଲେକ୍‌ଜାଣ୍ଡର୍‌ ଠିଆ ହୋଇଛନ୍ତି। ଅନତି ଦୂରରେ ସୈନ୍ୟସାମନ୍ତ ଅଛନ୍ତି। ସେ ସହାସ୍ୟ ବଦନରେ ଆଲେକ୍‌ଜାଣ୍ଡର୍‌ଙ୍କ ଆଡ଼କୁ ଅନାଇଲେ।
ଆଲେକ୍‌ଜାଣ୍ଡର୍‌ ଆଉ ପାଦେ ଆଗକୁ ଯାଇ ଅତି ଭଦ୍ରୋଚିତ ସ୍ୱରରେ କହିଲେ,
“ଡାଇଓଜିନିସ୍‌, ତୁମ ପାଣ୍ଡିତ୍ୟ ଆଉ ବ୍ୟକ୍ତିତ୍ୱ ବିଷୟରେ ମୁଁ ଅନେକ କଥା ଶୁଣିଛି। କୁହ, ଯଦି ତୁମର କୌଣସି ଆବଶ୍ୟକତା ଥାଏ ତାହା ହେଲେ ମୁଁ ଅଚିରେ ପୂରଣ କରିବି। ଯାହା ଇଚ୍ଛା ମାଗିନିଅ।”
“ହଁ”, ଡାଇଓଜିନିସ୍‌ ସହାସ୍ୟ ବଦନରେ ଉତ୍ତର ଦେଲେ ଆଉ ପୁଣିଥରେ ନିଜକୁ ସମ୍ଭାଳି କହିଲେ,
“ଆପଣ ଯଦି କିଛି ମନେ ନକରନ୍ତି ତେବେ ଆପଣ ମୋ ଆଗରୁ ଟିକିଏ ଆଡ଼ ହୋଇଗଲେ ମୋ ଉପରେ ସୂର୍ଯ୍ୟ କିରଣ ପଡ଼ନ୍ତା। ଆପଣ ମୋତେ ସୂର୍ଯ୍ୟ କିରଣ ପାଇବାରୁ ବଞ୍ଚିତ କରୁଛନ୍ତି।”
ଆଲେକ୍‌ଜାଣ୍ଡର୍‌ ତାଜୁବ୍‌ ହେଲା ଆଉ କ୍ଷଣଟିଏ ରହିଗଲେ। ତାଙ୍କ ମନରେ କୌଣସି କ୍ରୋଧ ଜାତ ହେଲା ନାହିଁ ବରଂଚ ଏଇ ସିଧା ସଳଖ ଆଉ ନିର୍ଭୀକ ଉତ୍ତରର ସନ୍ତୁଷ୍ଟ ହେଲେ ସେ। ସେ ନିଜକୁ ସୂର୍ଯ୍ୟକିରଣ ଆଉ ଡାଇଓଜିନିସ୍‌ଙ୍କ ଠାରୁ ଦୂରେଇ ନେଲେ।
ସେଠାରୁ ସେ ଘୁଞ୍ଚିଯାଇ ନିଜର ସୈନ୍ୟ ଓ ପଦାଧିକାରୀଙ୍କ କହିଲେ,
“ସେ ଯାହା ହେଉନା କାହିଁକି ଡାଇଓଜିନିସ୍‌ଙ୍କ ନିର୍ଭୀକ ଉତ୍ତର ମୋତେ ଚମତ୍କୃତ କରିଛି। ଏଣୁ ଯଦି ମୁଁ ଆଲେକ୍‌ଜାଣ୍ଡାର୍‌ ହୋଇ ନଥାନ୍ତି ତେବେ ଡାଇଓଜିନିସ୍‌ ହେବାକୁ ପସନ୍ଦ କରିଥାନ୍ତି। ଏଇଭଳି ନିର୍ଭୀକ ହେବା ଏକ ଗର୍ବ ଓ ଗୌରବର ବିଷୟ।”
ସୁଧିପାଠକେ, ଗୁଣ ଚିହ୍ନେ ଗୁଣିଆ। ଏକ ବୀର ହିଁ ସାଧୁତା ଆଉ ମହତ କଥାକୁ ହୃଦୟଙ୍ଗମ କରିପାରେ। ଇତିହାସରେ ଏଇଭଳି ଅନେକ ଦୃଷ୍ଟାନ୍ତ ରହିଅଛି। ହୁଏତ ଆଉ କେହି ହୋଇଥିଲେ ତତକ୍ଷଣ ଡାଇଓଜିନିସ୍‌ଙ୍କ ଶିର ଛେଦନ କରି ଦେଇପାରିଥାନ୍ତା। ହେଲେ ଆଲେକ୍‌ଜାଣ୍ଡାର୍‌ ପ୍ରକୃତରେ ହୃଦୟଙ୍ଗମ କରିଥିଲେ ଏଇ ନିର୍ଭୀକତା। ଏଣୁ ସେ ଡାଇଓଜିନିସ୍‌ଙ୍କୁ ସମ୍ମାନ ଦେଇ ସେଠାରୁ ଫେରି ଆସିଥିଲେ।
ଏଇ କଥା ଏଇଠି ଲେଖିବାର ଉଦ୍ଦେଶ୍ୟ ହେଲା ନିର୍ଭୀକତା। ଆମେ ଆମର ଇତିହାସକୁ ଜାବୁଡ଼ି ଧରି ଏଇ ନିର୍ଭୀକତାର ଦ୍ୱାହି ଦେଉଛେ ହେଲେ ଓଡ଼ିଆ ହେବାର ଗୌରବ କେତେ ଜଣ ଅବା ଅନୁଭବ କରୁଅଛେ। ଆଜି ଅଧିକାଂଶ ଓଡ଼ିଆ ମନରେ ଗୋଟିଏ କଥା ଆଉ ପାଟିରେ ଆଉ ଗୋଟିଏ କଥା। ନିଜର ଅହଂ, ସ୍ୱାର୍ଥପରତା ଆଉ ସମସ୍ୟାର ଆଲୋଚନାକୁ ଜାବୁଡ଼ି ଧରି ବସିବା ଛଡ଼ା ଆଉ କିଛି କରିବା ବେକାର ବୋଲି ଭାବି ନେଇଛନ୍ତି। ସରକାରଙ୍କୁ ସମାଲୋଚନା, ବିଭିନ୍ନ ସ୍କାମ ଉପରେ ଆଲୋଚନା, ରାଜନୀତି ପ୍ରସଙ୍ଗ ଉପରେ ଗୁଲିଖଟି ଓଡ଼ିଶାର ବିଧାନସଭାଠୁ ଆରମ୍ଭ କରି ଗଳିକନ୍ଦି ଯାଏଁ ଆବୋରି ବସିଛି। ସ୍ପଷ୍ଟବାଦିତା ଆଉ ନିର୍ଭୀକତା ଦେଖିବାଟା ଯେପରି ସ୍ୱପ୍ନ ହୋଇଗଲାଣି।
ଏଇଥର ଓଡ଼ିଶାକୁ ଯାଇଥିଲା ବେଳେ ଅନେକଙ୍କ ସହ ମିଶିଛି। ଓଡ଼ିଶାର ଉନ୍ନତି କଳ୍ପେ ଆଲୋଚନା ଅଥବା ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ ଓ ବାସ ଉପରେ ଆଲୋଚନା କ୍ୱଚିତ୍‌ ବ୍ୟକ୍ତିଙ୍କ ସହ ହୋଇଛି। ସବୁଠି ଓଡ଼ିଶାର ଗରିବୀର ଆଲୋଚନା ଆଉ ଓଡ଼ିଶାର ସମସ୍ୟା ହିଁ ମୁଖ୍ୟ ଆଲୋଚନାର ବିଷୟ। ଦେଶ ବିଦେଶରେ ବସବାସ କରୁଥିବା ଶତକଡ଼ା ୯୫ ଭାଗ ଓଡ଼ିଆ ମଧ୍ୟ ଓଡ଼ିଶାର ମୁଖ୍ୟଧାରାରେ ନିଜକୁ ଅଙ୍ଗାଙ୍ଗୀ ଜଡ଼ିତ କରିବାକୁ ଆଗ୍ରହୀ ନୁହନ୍ତି। ସେମାନେ ପଶ୍ଚିମ ଜଗତର ସୁଖସ୍ୱାଛନ୍ଦ୍ୟକୁ ଆଦରି ନେଉଛନ୍ତି। ଶତକଡ଼ା ୩ଭାଗ ବିଦେଶରେ ରହି ମଧ୍ୟ ଓଡ଼ିଶାର ଉନ୍ନତି କଳ୍ପେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଯେଉଁ ଶତକଡ଼ା ୨ ଭାଗ ପୁଣି ଓଡ଼ିଶାକୁ ଫେରି ଓଡ଼ିଶା ମା’ର ସେବାରେ ଜୀବନ ନିୟୋଜିର କରିବାକୁ ଚାହୁଁଛନ୍ତି ସେମାନଙ୍କୁ କେତେବେଳେ ସରକାରୀ କଳ’ତ କେତେବେଳେ ଆମ ଓଡ଼ିଆ ଲୋକ ହିଁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଛନ୍ତି। କଥା କଥାରେ ସେମାନଙ୍କୁ ବିଦେଶୀ ବୋଲି ସମାଲୋଚନା କରାଯାଉଅଛି।
ଓଡ଼ିଆ ଭା‍ଷାର ଶାସ୍ତ୍ରୀୟତା ହେଉ ବା ଏପ୍ରିଲ୍‌ ପହିଲାରେ ଓଡ଼ିଶା ଦିବସ ପାଳନ କରିବା ହେଉ, ଏହା କେବଳ ସରକାରୀ କ୍ୟାଲେଣ୍ଡରରେ ଏକ ତାରିଖଟିଏ ହୋଇ ରହି ଯାଉଛି। ଉତ୍କଳ ଦିବସ କେବଳ ଏକ ଛୁଟିଦିନଟିଏ। ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ସବୁ ଆଗାମୀ ପୀଢ଼ିକୁ ନେବାକୁ ପଡ଼ିବ; ଏଇ ଦାୟିତ୍ୱ କେତେଜଣ ଅବା ଉଠାଉଛନ୍ତି!
ସ୍ୱାର୍ଥପରତାକୁ ସ୍ୱାଭିମାନ, ଖୋଜିଲୋଡ଼ି ମାଗିଯାଚି ପାଇଥିବା ମୁହୂର୍ତ୍ତକୁ ସମ୍ମାନ ଆଉ ଗୁଲିଖଟିରେ ବିତାଉଥିବା ସମୟକୁ ଅଧ୍ୟୟନ ରୂପେ ଅଧିକାଂଶ ଓଡ଼ିଆ ଭାବି ନେଇ ବସିଛନ୍ତି। ଏମାନଙ୍କ ନିମନ୍ତେ ମହାପୁରୁଷଙ୍କ ବାଣୀ ସବୁ କେବଳ କବିତାଟିଏ ହୋଇ ରହି ଯାଇଅଛି।
ଉତ୍କଳ ଗୌରବଙ୍କ ସେଇ ଆହ୍ୱାନ…
“ତୁ ପରା ବୋଲାଉ ଉତ୍କଳ ସନ୍ତାନ ?
ତେବେ କିମ୍ବା ତୁହି ଭୀରୁ !
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ?”
କେବଳ ଏକ ପ୍ରଶ୍ନବାଚୀ ହୋଇ ରହି ଆସିଛି। ଏହାର ଉତ୍ତର ଦେବାକୁ ପଡ଼ିବ ସମଗ୍ର ଓଡ଼ିଆ ଜାତିକୁ। କେବଳ ଜଗନ୍ନାଥଙ୍କୁ ଢାଲ କରି ବସିଲେ ହେବନାହିଁ ଅଥବା ଅଶୋକଙ୍କ କାହାଣୀକୁ ନେଇ ଛାତି ଫୁଲାଇବାର କୌଣସି ବଡ଼ପଣ ନାହିଁ। ଅତୀତର ଇତିହାସ ଗୌରବମୟ ଏହା ସତ ହେଲେ ତାକୁ ଧରି ଗର୍ବ କରିବା ଅପେକ୍ଷା ବର୍ତ୍ତମାନକୁ ପ୍ରାଣପ୍ରାଚୁର୍ଯ୍ୟମୟ କରିବାରେ ହିଁ ଓଡ଼ିଶାର ସମୃଦ୍ଧି।
ଓଡ଼ିଶାର ଶିଶୁମାନଙ୍କ ଲାଳନ ପାଳନ, ଯୁବପୀଢ଼ିର ସମାବର୍ତ୍ତନ, ବୟସ୍କଙ୍କ ଉପଲବ୍ଧି, ବୃଦ୍ଧଙ୍କ ଅବବୋଧ, ପ୍ରଭୃତିର ଚିନ୍ତା କେତେଜଣ ବୁଦ୍ଧିଜୀବି କରୁଛନ୍ତି! ଓଡ଼ିଶାର ପ୍ରଗତିରେ ମହିଳାଙ୍କ ଯୋଗଦାନ, କୃଷକର ଶସ୍ୟ, ଶ୍ରମିକର କର୍ମ, ପ୍ରଭୃତିକୁ କେଉଁ ସରକାରୀ କଳ ପ୍ରୋତ୍ସାହନ ଦେଉଛନ୍ତି। ଆଜି ଓଡ଼ିଆ ସମସ୍ୟାର ରଥରେ ବସି ଅସହାୟତାର ରାସ୍ତାରେ ଆଗେଇ ଚାଲିଛି। ରଥି ସାରଥି ଉଭୟେ ସଂଶୟରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ସେଇ ବାଣୀ ଝଙ୍କୃତ ହୁଏ…
“ଉଠରେ ଉଠରେ ଉତ୍କଳ ସନ୍ତାନ…!!”
ହେଲେ ଉଠୁଛି କିଏ ! ଶୋଇଛି କିଏ ! ସମସ୍ତେ ସନ୍ଦିହାନ। କିଏ ନଖ ଘଷୁଛି’ତ କିଏ, ନାକରେ ଆଙ୍ଗୁଠି ମାରି ହସୁଛି। ଚୁଗୁଲୀ, ପରସୂୟାଭାବ, ଈର୍ଷ୍ୟା, ପ୍ରଭୃତିରେ ସମସ୍ତେ ଜଳିବାରେ ଲାଗିଛନ୍ତି। ସାମୂହିକ ଭାବେ ସମସ୍ୟାର ସମାଧାନ ଖୋଜିବାର ଆଗ୍ରହ କାହିଁ..! ସ୍ୱର୍ଗକୁ ଯିବାକୁ ସମସ୍ତେ ଆଗ୍ରହୀ ହେଲେ ମରୁଛି କିଏ ??
ଅଙ୍ଗେ ନିଭେଇଥିବା କଥା କହୁଛି; ୨୦୧୨ ରୁ ଆଜି ଯାଏଁ ଆନ୍ତର୍ଜାଲୀୟ ମାଧ୍ୟମରେ ପ୍ରାୟତଃ ଅନେକ ଓଡ଼ିଆଙ୍କ ସହ ଅତି ଭଦ୍ରୋଚିତ ଉପାୟରେ ସସମ୍ମାନ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରି ଆସୁଛି। କଥାରେ, କାମରେ, ଭାବରେ ଯେତେ ପାରିଛି ସୌହାର୍ଦ୍ଦ୍ୟ ଦେଇ ଆସିଛି ହେଲେ ପାଇଛି କଣ ! ଯେଉଁମାନେ ଆଗରେ ବନ୍ଧୁ ଭଳି ବ୍ୟବହାର କରୁଛନ୍ତି; ପଛରେ ଚୁଗୁଲୀ କରନ୍ତି। ମିଛସତରେ ଲଗାଯୋଟା କରି କୁହନ୍ତି ଅନ୍ୟଙ୍କୁ। ଏଇୟା କହିଲେ କୁଳକୁ ଲାଜ ନକହିଲେ କୁଳ ଭାସି ଯାଉଛି। ଭଲ କଥା, ସୁନ୍ଦର ଭାବ, ପ୍ରଭୃତିର ମୂଲ୍ୟ କିଛି ନାହିଁ ଆଜି। ସମସ୍ତେ ପଦପଦବୀ, ମୁହଁ ଆଉ ପ୍ରଚାର ସର୍ବସ୍ୱ ବ୍ୟକ୍ତିଙ୍କୁ ହିଁ ବୁଝୁଛନ୍ତି। ବ୍ରହ୍ମା ବିଳିବିଳେଇଲେ ବେଦ। ଏଣୁ ଏଇ ନିର୍ବୋଧଙ୍କ ହାଟରେ ବ୍ରହ୍ମଜ୍ଞାନର ଅର୍ଥ କଣ !
ଓଡ଼ିଆଙ୍କୁ ପ୍ରଥମେ ନିଜକୁ ନିର୍ଭୀକ ଆଉ ସ୍ପଷ୍ଟବାଦିତା କରିବାକୁ ପଡ଼ିବ। ହାଁ…ଜୀ….ହାଁ…ଜୀ କହି ଚାଟୁକାର ହେବା ବନ୍ଦ କରିବାକୁ ପଡ଼ିବ। ପ୍ରକୃତ ସମୟରେ ଉପଯୁକ୍ତ ବିଚାର ଓ ବିବେଚନା କରି ବ୍ୟକ୍ତିଗତ ନୁହଁ ବରଂଚ ରାଷ୍ଟ୍ରଗତ ଚେତନାରେ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ।
ବିଭିନ୍ନ ସମୟରେ ଅନେକ ମୋତେ ଅନେକ ପ୍ରଶ୍ନ କରି ଆସିଛନ୍ତି। ଏଇ ପ୍ରଶ୍ନବାଣରେ ମୁଁ ଭୀତତ୍ରସ୍ତ ନୁହଁ। ହେଲେ ସେଇ ପ୍ରଶ୍ନ ମୋତେ ବିସ୍ମିତ କରିଛି। ନିଜର କର୍ତ୍ତବ୍ୟକୁ ତିଳେହେଲେ ବୁଝି ପାରୁନଥିବା ନିର୍ବୋଧ ମୋତେ ଯେତେବେଳେ ମୋ କର୍ତ୍ତବ୍ୟର ହିସାବ ମାଗିଛନ୍ତି ସେତେବେଳେ ମୁଁ ବୁଝି ପାରିଛି ମୋ ଓଡ଼ିଆ ଭାଇ ଓ ଭଉଣୀଙ୍କ ଗତି କୁଆଡ଼େ। ଓଡ଼ିଶାର ଭବିଷ୍ୟତ କୁହାଯାଉଥିବା ଏଇ ପୀଢ଼ି ଅଥବା ଦାୟିତ୍ୱବାନ ପଦପଦବୀରେ ରହିଥିବା ଏଇ ପ୍ରଜାତିଙ୍କ ବିଷୟରେ ଭାବିଲେ ମୁଁ ଆଶ୍ଚର୍ଯ୍ୟ ହୁଏ। ନିଜ ଆଡ଼େ ମୁହାଁଇଥିବା ତିନି ଆଙ୍ଗୁଠିକୁ ଅଣଦେଖା କରି ଅନ୍ୟକୁ ଗୋଟିଏ ଆଙ୍ଗୁଠି ଦେଖାଇ ବସିଥିବା ଏଇ ବିଚିତ୍ର ପ୍ରାଣୀଙ୍କୁ ନେଇ ଏ ଜାତି ଯେ ଭବିଷ୍ୟତରେ ଗର୍ବ କରିପାରିବ ଏହା ଭାବିଲେ ମୋତେ ଦୁଃଖ ହୁଏ। ସମସ୍ତଙ୍କୁ ସଦାବେଳେ ବୁଝେଇ ଆସିଛି ଯେ ହାତୀ ବଣରେ ଥିଲେ ବି ରାଜାର।
ପ୍ରତ୍ୟେକ ଓଡ଼ିଆଙ୍କୁ ନିଜର ସମ୍ବଳ ଆଉ ସାମର୍ଥ୍ୟ ନେଇ କିଛି କରିବାକୁ ହେବ। ଓଡ଼ିଶା ବିକାଶର ସେତୁ ଗଢ଼ିବାକୁ ହେଲେ କେତେବେଳେ ଗୁଣ୍ଡୁଚିମୂଷା ହେବାକୁ ପଡ଼ିବତ କେତେବେଳେ ବାନରସେନା। ଏକତା ଆମ୍ଭର ଅସ୍ତ୍ର ହେବ, ସଂସ୍କୃତି ହେବ ଆମ୍ଭର ଶସ୍ତ୍ର, ବିଶ୍ୱାସ ହେବ ଆମ୍ଭର ସହଯାତ୍ରୀ ଆଉ ଦୃଢବ୍ରତୀ ହୋଇ ଆମ୍ଭେ ଗଢ଼ିବା ଏକ ସ୍ୱର୍ଣ୍ଣିମ ଓଡ଼ିଶା।ପ୍ରତ୍ୟେକ ଓଡ଼ିଶାବାସୀ ପୂର୍ଣ୍ଣାଙ୍ଗ ଜୀବନଧାରା, ଶାଶ୍ୱତ ଅନୁଚିନ୍ତନ ତଥା ଐଶ୍ୱରୀୟ ଚେତନାରେ ଉଦ୍‌ବୃଦ୍ଧ ହୋଇ ନିଜକୁ ଓଡ଼ିଶାର ସେବାରେ ନିୟୋଜିତ କରିଲେ ଆମ୍ଭର ରାଜ୍ୟ ନିଶ୍ଚୟ ଚିରନ୍ତନ ଏକ ଗୌରବମୟ ରାଜ୍ୟରେ ଯେ ପରିଗଣିତ ହେବ ଏଥିରେ ଦ୍ୱିରୁକ୍ତି ନାହିଁ ।
-ପ୍ରଭୂ

ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
ପ୍ରଶାନ୍ତ କୁମାର ଭୂୟାଁ,
ଭାଙ୍କୁଭର୍‌, ବ୍ରିଟିଶ୍‌ କଲମ୍ବିଆ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ

Share in top social networks!