ଓଡ଼ିଶାରେ ସୌଖୀନ ସମୁଦ୍ର ଯାତ୍ରା ପାଇଁ କ୍ରୁଜ୍-ଲାଇନର ସେବା ଆରମ୍ଭ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

dptourismପୁରୀ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ନବକଳେବର ପାଇଁ କେନ୍ଦ୍ର ସରକାର ସବୁ ଦିଗରୁ ଓଡ଼ିଶା ସରକାରଙ୍କୁ ସହାୟତା ଯୋଗାଇଦେବେ । ଏଥିରେ କୌଣସି ଅଭାବୁ ଓ ଅବହେଳା ହେବାକୁ ଦିଆଯିବନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟଠାରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଭାଗ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ନବକଳେବର ନୀତିକୁ ସୁରୁଖୁରୁରେ ସମାପନ କରିବା ପାଇଁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତଥା ଓଡ଼ିଶା ସରକାର ଯାହା ସବୁ ପ୍ରସ୍ତାବ ଦେବେ କେନ୍ଦ୍ରର ବିଭିନ୍ନ ଲାଇନ ମନ୍ତ୍ରଣାଳୟ ଓ ବିଭାଗ ସେ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ୧୯ବର୍ଷ ପରେ ନବକଳେବର ପଡୁଥିବାରୁ ଏହାକୁ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ବ୍ରାଣ୍ଡ ଇମେଜ୍ ସୃଷ୍ଟି କରିବା ଲାଗି ରାଜ୍ୟ ସଂସ୍କୃତି ବିଭାଗ ତୁରନ୍ତ ପ୍ରସ୍ତାବ ଦେବାକୁ ଶ୍ରୀ ପ୍ରଧାନ ବୈଠକରେ ଉପସ୍ଥିତ ଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ସେ କହିଲେ ଯେ ଏପ୍ରକାର ଆନ୍ତର୍ଜାତିକ ବ୍ରାଣ୍ଡିଂ ପାଇଁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଦିଲ୍ଲୀ ଆସି ସଂପୃକ୍ତ ମନ୍ତ୍ରଣାଳୟମାନଙ୍କ ସହ କଥାବାର୍ତା କରିବାକୁ ପଡିବ ଏବଂ ଏକ୍ଷେତ୍ରରେ ସେ ନିଜେ ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କୁ ଏଦିଗରେ ସମସ୍ତ ପ୍ରକାର ସହଯୋଗ କରିବେ । ମହାପ୍ରଭୁ ଜଗନ୍ନାଥଙ୍କର ଏହି ଅନନ୍ୟ ପରମ୍ପରାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ଲାଗି ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହ ଆଲୋଚନା କରିବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ ।
ବିଶ୍ୱ ସ୍ତରର ଏହି ଉତ୍ସବ ଯୋଗୁଁ ଓଡ଼ିଶାର ପର୍ଯ୍ୟଟନ ତଥା ତତ୍ସଂଲଗ୍ନ ଭିତିଭୂମିକୁ ବିକଶିତ କରାଯିବ । ଏହାଦ୍ୱାରା ଓଡ଼ିଶାର ଅର୍ଥବ୍ୟବସ୍ଥାର ବିକାଶ ହେବ ଏବଂ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରର ସୁଯୋଗ ସୃଷ୍ଟି ହେବ । ଏହି ପବିତ୍ର ଉତ୍ସବର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ରେଳ, ପର୍ଯ୍ୟଟନ, ସଂସ୍କୃତି, ସଡକ, ବିମାନ ପରିବହନ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଲାଇନ ବିଭାଗ ଗୁଡିକ ସହାୟତା ଯୋଗାଇଦେବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନବକଳେବରକୁ ଦୃଷ୍ଟିରେ ରଖି କେନ୍ଦ୍ରର ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିଭିନ୍ନ ସ୍କିମ ଜରିଆରେ ୧୪୦ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି । ରଘୁରାଜପୁର ଶୀଳ୍ପି ଐତିହ୍ୟ ଗ୍ରାମର ବିକାଶ ଲାଗି ୧୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ତଥା ଏହାର ପାରିପାଶ୍ୱିର୍କ ବିକାଶ ପାଇଁ ଆଇଓସି ଫାଉଣ୍ଡେସନ ପୂର୍ବରୁ କରିଥିବା ୩୬କୋଟି ଟଙ୍କାର ଅଟକଳ ଏବେ ୪୦କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିଲାଗି ମଧ୍ୟ ବ୍ୟବସ୍ଥା କରାଯିବ । ତାଛଡା କୋଣାର୍କ, ଧଉଳି, ଖଣ୍ଡଗିରି ଐତିହ୍ୟସ୍ଥଳୀ ନିକଟରେ ଶବ୍ଦାଲୋକ ସଂଗୀତ ମୂର୍ଚ୍ଛନା କାର୍ଯ୍ୟକ୍ରମ ପାଇଁ ୧୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ଅଧିକ ୮ କୋଟି ଟଙ୍କାର ରଖିଥିବା ପ୍ରସ୍ତାବକୁ ମଧ୍ୟ ସହୃଦୟତାର ସହ ବିଚାର କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କେତେକ ସକରାତ୍ମକ ପ୍ରସ୍ତାବ ଉପସ୍ଥାପିତ କରିଥିଲେ । ସେ କହିଲେ ଯେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ପର୍ଯ୍ୟଟନ ପାଇଁ ଉନ୍ମୁକ୍ତ କରାଯିବା ଆବଶ୍ୟକ । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଜାହାଜରେ ଜଳଯାତ୍ରା ସ୍ୱାଚ୍ଛନ୍ଦ୍ୟ ପାଇବା ପାଇଁ ଆଗ୍ରହ ଦେଖାଇଥାନ୍ତି । ରାଜ୍ୟର ବେଳାଭୂମି ସମୁଦ୍ର କୂଳେ କୂଳେ କ୍ରୁଜ୍-ଲାଇନର ଜାହାଜ ସେବା ଆରମ୍ଭ କରାଗଲେ ଅନେକ ପର୍ଯ୍ୟଟକ ଏହାର ଫାଇଦା ନେବେ ଏବଂ ଓଡ଼ିଶାର ପର୍ଯ୍ୟଟନକୁ ଅଧିକ ବଳ ଓ ରାଜସ୍ୱ ମିଳିପାରିବ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ ।
ରାଜ୍ୟର ପତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର କାର୍ଯ୍ୟ ଉପରେ ସମ୍ୟକ୍ ଆଲୋକପାତ କରି ଶ୍ରୀ ପ୍ରଧାନ କହିଥିଲେ ଯେ ଏ.ଏସ.ଆଇକୁ ଅଧିକ ସୁଦୃଢ କରାଯିବା ଆବଶ୍ୟକ । ରାଜ୍ୟର ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣବେଳେ ଆବଶ୍ୟକ ପଡୁଥିବା ସ୍ୱତନ୍ତ୍ର ପଥର ଯୋଗାଇଦେବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ତ୍ୱରିତ ଯୋଗାଇଦେବା ଲାଗି ସେ ପ୍ରସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ ଓଡ଼ିଶା ମଧ୍ୟରେ ରହିଥିବା ଛୋଟ ଛୋଟ ବିମାନ ଅବତରଣ କେନ୍ଦ୍ର ଗୁଡିକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ସବୁ ନିକଟବର୍ତୀ ଶିଳ୍ପଉଦ୍ୟୋଗ ସହ ଆଲୋଚନା କରି ସେ ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।
ବିହାରର ମଧୁବଣୀ ଚିତ୍ରକଳା ଭଳି ଓଡ଼ିଶାର ପଟ୍ଟଚିତ୍ର ଏବଂ ଅନ୍ୟାନ୍ୟ ସମୃଦ୍ଧ ଚିତ୍ରକଳାକୁ ବ୍ରାଣ୍ଡିଂ କରିବା ଲାଗି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ ସେ ଦିଗରେ ମଧ୍ୟ କେନ୍ଦ୍ର ଓଡ଼ିଶାକୁ ସହଯୋଗର ହାତ ବଢାଇବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାରେ ପାରମ୍ପରିକ ଶିଳ୍ପ ଓ ଶିଳ୍ପକଳାର ଅଭାବ ନଥିଲେ ମଧ୍ୟ କାଳକ୍ରମେ ସେସବୁ ଲୋପ ପାଇବାକୁ ବସୁଛି ତେବେ ପାରମ୍ପରିକ ଶିଳ୍ପୀ ଓ କଳାକାରମାନଙ୍କୁ ସେ ଦିଗରେ ତାଲିମ ଦେଇ ସେମାନଙ୍କର ଦକ୍ଷତା ବିକାଶ କରାଯାଇପାରିବ । କେବଳ ସେତିିକି ନୁହେଁ ପାରମ୍ପରିକ କଳାକୁ ନିଜର ପେଶା କରିବା ଲାଗି ଚାହୁଁଥିବା ଲୋକଙ୍କୁ ମଧ୍ୟ ସାମର୍ଥ୍ୟ କୌଶଳ ପ୍ରଦାନ କରାଯିବା ଆବଶ୍ୟକ । ଏଥିଲାଗି ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ ବିଭାଗ ପ୍ରତିଷ୍ଠା କରାଗଲେ ଓଡ଼ିଶାର ଶିଳ୍ପୀ ଓ କାରିଗରମାନେ ଉପକୃତ ହୁଅନ୍ତେ ଏବଂ ରୋଜଗାରର ନୂଆ ନୂଆ ପନ୍ଥା ସୃଷ୍ଟି ହୋଇପାରନ୍ତା ବୋଲି ଶ୍ରୀ ପ୍ରଧାନ ପ୍ରସ୍ତାବ ରଖିଥିଲେ । (ପି.ଆଇ.ବି)

Share in top social networks!