ଓଡିଶାରେ “ଭାରତ ଓ ଭାରତୀୟ ମହାସାଗର” ଶିର୍ଷକ ଆର୍ନ୍ତଜାତିକ ସମ୍ମିଳନୀ ଉପଲକ୍ଷେ: ଆମ ସୁରକ୍ଷା ଓ ଆମ ପଡୋଶୀ

10430370_659648734163294_380697126371321127_nମୁମ୍ବାଇ ଉପରେ ୨୬/୪ ଆକ୍ରମଣ ଏବଂ ଏହି ଆକ୍ରମଣରେ ଆତଙ୍କବାଦୀମାନେ ସାମୁଦ୍ରିକ ପଥକୁ ବ୍ୟବହାର କରିଥିବାରୁ ଭାରତ ସରକାର ୨୦୦୯ ରୁ ଆରମ୍ଭ କରି ୨୦୧୧ ରେ ଏଥିପାଇଁ ୬୦୦ କୋଟି ଟଙ୍କା ବିନିଯୋଗ ପୂର୍ବକ ଉପକୂଳ ସତର୍କତା ସୂଚକ ରାଡାର ସିଷ୍ଟମ୍ ବା ସିଏସ୍ଆରସି କାର୍ଯ୍ୟକାରୀ କରିଛନ୍ତି । ଭାରତ ସମେତ ଶ୍ରୀଲଙ୍କା, ମରିସସ୍, ସିଚେଲସ୍, ମାଳଡିଭସ୍ ଓ ମାଲେ ପ୍ରଭୃତି ଦେଶରେ ଏହି ରାଡାର ସ୍ଥାପନ ପୂର୍ବକ ଏହି ଦେଶଗୁଡିକର ଉପକୂଳ ସମେତ ଭାରତ ମହାସାଗର ରେ ଆତଙ୍କବାଦୀ ବା ଅନ୍ୟାନ୍ୟ ସନ୍ଦିଗ୍ଧ ଗୋଷ୍ଠୀମାନଙ୍କର ଚଳାଚଳ ପତି ଦୃଷ୍ଟି ରଖିବାକୁ ଯୋଜନା କରାଯାଇଛି । ଭାରତ ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ମହାସାଗର ଉପରେ ତାର ନିୟନ୍ତ୍ରଣ ରଖିବା ସହିତ ନିଜର ନିରାପତ୍ତାକୁ ମଧ୍ୟ ସୁରକ୍ଷିତ କରି ପାରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମହାସାଗର ଓ ଏହି ମହାସାଗରୀୟ ଦେଶ ଗୁଡିକ ଉପରେ ଚୀନ୍ ତାର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇସାରିଥିବାରୁ ଭାରତ ପ୍ରଧାନମନ୍ତ୍ରୀ ନିକଟରେ ସିଚେଲସ୍, ମରିସସ୍ ଓ ଶ୍ରୀଲଙ୍କା ଗସ୍ତକରି ଆମ ନିରାପତ୍ତା ବ୍ୟବସ୍ଥାକୁ ଦୃଢୀଭୂତ କରିବାକୁ ଚାହୁଁଛନ୍ତି । ବିଶେଷ ଭାବେ, ସିଚେଲସ୍ ଓ ମରିସସ୍ର ନିରାପତ୍ତା ସମ୍ବଦ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏହି ଗସ୍ତବେଳେ ରାଜିନାମା ହୋଇଛି । ମରିସସର ୭୦ ପ୍ରତିଶତ ଅଧିବାସୀ ଭାରତ ମୂଳ ହୋଇଥିବା ବେଳେ ସିଚେଲସରେ ମଧ୍ୟ ଆଶାନୁରୂପ ଭାରତ ମୂଳଲୋକ ବସବାସ କରିଆସୁଛନ୍ତି । ମରିସସର ଜାତୀୟ ନିରାପତ୍ତା ଉପଦେଷ୍ଟା ରୂପେ ଭାରତୀୟ ଅଧିକାରୀ କାର୍ଯ୍ୟ କରୁଥିବାବେଳେ ସିଚେଲସ୍ ନିରାପତ୍ତା ଉପଦେଷ୍ଟା ଦାୟିତ୍ୱରେ ଜଣେ ଭାରତୀୟ ନୌବାହିନୀ ଅଧିକାରୀ ଅବସ୍ଥାପିତ ହୋଇଛନ୍ତି । ଭବିଷ୍ୟତରେ ଭାରତୀୟ ମହାସାଗରୀୟ ନିରାପତ୍ତା ଉପରେ ଦୃଷ୍ଟି ରଖିବାପାଇଁ ମରିସସ୍ ଓ ସିଚେଲସ୍ କୁ ସ୍ୱତନ୍ତ୍ର ଏୟାର କ୍ରାଫଟ୍ ଯୋଗଇ ଦେବା ଲାଗି ମୋଦି ତାଙ୍କ ଗସ୍ତ କାଳରେ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତ କରି ଶ୍ରୀଲଙ୍କାର ଏକତା, ଅଖଣ୍ଡତାକୁ ସୁରକ୍ଷିତ ରଖିବାସହ ତାମିଲ୍ମାନଙ୍କର ଅଧିକାର ଉପରେ ଗୁରୁତ୍ୱ ଦେଇ ଭାରତ ମହାସାଗରୀୟ ଦେଶମାନଙ୍କୁ ଏକାଠି କରି ରଖି ସମସ୍ତଙ୍କ ସୁରକ୍ଷା ପାଇଁ ଏକ ନେଟୱାର୍କ ପ୍ରସ୍ତୁତ କରିବାପାଇଁ ଚାହୁଁଛନ୍ତି । ଭାରତ ଶ୍ରୀଲଙ୍କା ଓ ମରିସସକୁ ନେଇ ତ୍ରୀପାକ୍ଷୀୟ ନୌସେନା ଓ ସାମରିକ କୌଶଳ ତାଲିମ୍ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ତାଙ୍କ ଦେଶ ବେଜିଙ୍ଗ ଆଡକୁ ଢଳୁଥିବାଭଳି ବୈଦେଶିକ ନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବାରୁ ଭାରତ ପ୍ରତି ଏହା ଅଧିକ ଅନୁକୂଳ ବାତାବରଣ ସୃଷ୍ଟି କରିଛି ।
ଏବେ ଭାରତ ସିଚେଲସ ଓ ମରିସସକୁ ନେଇ ଏକ ତ୍ରିପାକ୍ଷୀୟ ସମରାଭ୍ୟାସ ହେବାକୁ ଯାଉଛି । ଭାରତ ଏହି ମହାସାଗରୀୟ ରାଷ୍ଟ୍ରମାନଙ୍କୁ ନେଇ ଏକ ନୌଶକ୍ତି ରୂପେ ଗଢିବାକୁ ଚାହେଁ । ଏଥିପାଇଁ ଭାରତୀୟ ନୌସେନା ତରଫରୁ ଉପଲବଧ୍ ସମସ୍ତ ପ୍ରକାର ତଥ୍ୟ ସବୁ ରାଷ୍ଟ୍ରମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏଥି ସହିତ ମରିସସ୍ର ଉତ୍ତର ଆଗଲେଗା ଦୀପରେ ଥିବା ବିମାନ ବନ୍ଦରର ଉନ୍ନତି କରଣ କରାଯିବା ସହିତ ଏଠାରେ ଥିବା କ୍ଷୁଦ୍ର ପୋତାଶ୍ରୟର ମଧ୍ୟ ଆଧୁନୀକରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସିଚେଲସ୍ର ମୋଜାମ୍ବିକ୍ ପ୍ରଣାଳୀର ଉତ୍ତର ଭାଗରେ ଥିବା ମାନବ ବିହୀନ ଆସମ୍ପସନ୍ ଦ୍ୱିପରେ ସୁଏଜ୍ କେନାଲ ଦେଇ ଉତ୍ତର ମହାସାଗର ଓ ପ୍ରଶାନ୍ତ ମହାସାଗରର ମୁଖ୍ୟ ଜଳପଥରୂପେ ବିବେଚିତ ଏହି ଅଞ୍ଚଳରେ ଭାରତୀୟ ନୌସେନା ନିଜର ଘାଟି ପ୍ରତିଷ୍ଠା କରିବ । ଡିଓଗାର୍ସିଆଠାରେ ନୌଘାଟୀ ପ୍ରତିଷ୍ଠା ପୂର୍ବରୁ ଆମେରିକା ମଧ୍ୟ ଏହି ଦୀପରେ ନିଜର ସାମରିକ ସ୍ଥିତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସେତେବେଳେ ତାହା ସମ୍ଭବ ହୋଇନଥିଲା । ଏବେ ଭାରତ ଭାରତ ମହାସାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜର ସାମରିକ ଉପସ୍ଥିତି ଜାହିର କରି ନିଜର ତଥା ଏହି ସବୁ ରାଷ୍ଟ୍ରମାନଙ୍କର ସୁରକ୍ଷା ପାଇଁ ଏହିସବୁ ଅଞ୍ଚଳରେ ବିଭିନ୍ନ ପ୍ରକାର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବାକୁ ଆରମ୍ଭ କରିଛି । ଏହି ପଦ ଆମର ଆକ୍ରମଣାତ୍ମକ ବୈଦେଶିକ ନୀତିର ଏକ ଅଂଶବିଶେଷ ହୋଇଛି ।
ଚୀନ୍ ଏସିଆର ବୃହତ୍ ଶକ୍ତିଭାବେ ନିଜକୁ ପ୍ରତିଷ୍ଠାକରି ବର୍ତ୍ତମାନ ବହୁ ସାର୍ବଭୌମ ରାଷ୍ଟ୍ରମାନଙ୍କ ପ୍ରତି ବିପଦର କାରଣ ହୋଇଛି । ପାକିସ୍ତାନ ଦୀର୍ଘ ବର୍ଷଧରି ଚୀନ୍ ସହାୟତାରେ ନିଜର ସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମକୁ ସଂପଦ ରୂପେ ଦେବାକୁ ସକ୍ଷମ ହୋଇ ପାରିଛି । ଯାହାକି ଭାରତ ପ୍ରତି ଏକ ଆହ୍ୱାନ ତଥା ବିପଦର କାରଣ ହୋଇଛି । ଶ୍ରୀଲଙ୍କା ମଧ୍ୟ ପୂର୍ବତନ ରାଷ୍ଟ୍ରପତି ରାଜପକ୍ଷେଙ୍କ ଭୁଲ ବୈଦେଶିକ ନୀତି ଯୋଗୁ ଚୀନ୍ ଉପରେ ସାମରିକ ଦୃଷ୍ଟି ଥିବାରୁ ବିଭିନ୍ନ କାର୍ଯ୍ୟ ହେବାକୁ ଆରମ୍ଭ କରିଛି । ତେଣୁ ମୋଦି ଶ୍ରୀଲଙ୍କାକୁ ଚୀନ୍ର ଜାଲରୁ ମୁକ୍ତ କରି ଭାରତର ଏକ ବନ୍ଧୁ ରାଷ୍ଟ୍ରଭାବେ ପୁର୍ନପ୍ରତିଷ୍ଠା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି । ସେହିଭଳି ଚୀନ୍ ମଧ୍ୟ ସୁଦୂର ଆଫ୍ରିକାର ରାଷ୍ଟ୍ର ନାମ୍ବିଆର ୱାଲଭିସ୍ ଉପସାଗରରେ ଏକ ସାମରିକ ଘାଟୀର ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇ ସାରିଛି । ତେଣୁ ଭାରତ ଏହିସବୁ ଅଞ୍ଚଳର ନିରାପତ୍ତା ଯୋଗାଣକାରୀ ରାଷ୍ଟ୍ରଭାବେ କାର୍ଯ୍ୟ କରିବାକୁ ଚାହୁଁଛି ।
ଅତୀତରେ ଭାରତ ପଶ୍ଚିମପଟେ ମେସୋପୋଟାମିଆ, ରୋମ୍, ଇଜିପ୍ଟି ଓ ଗ୍ରିସ୍ ଏହି ନୌବାଣିଜ୍ୟ କରୁଥିବାର ପ୍ରମାଣ ରହିଛି । ଆଲେକ୍ଜାଣ୍ଡାର ସ୍ଥଳପଥରେ ଭାରତକୁ ଆସିଥିଲେ ମଧ୍ୟ ଭାରତୀୟ ମାନଙ୍କ ସହିତ ଆଫ୍ରିକୀୟ ରାଜ୍ୟମାନଙ୍କ ନୌବାଣିଜ୍ୟ ସମ୍ପର୍କ ସେତେବେଳକୁ ଥିବାର ପ୍ରମାଣ ମିଳିଛି । ବିଭିନ୍ନ ଆଫ୍ରିକୀୟ ରାଷ୍ଟ୍ର ବ୍ୟତୀତ ୭ମ/୮ମ ଶତାବ୍ଦୀ ବେଳକୁ ବିଭିନ୍ନ ଆରବୀୟ ରାଜ୍ୟମାନଙ୍କ ସହିତ ଭାରତର ନୌବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠା ହୋଇଛି । ସେହିଭଳି ପୂର୍ବ ଉପକୂଳରେ ଶ୍ରୀଲଙ୍କା, ଜାଭା, ବର୍ଣ୍ଣିଓ, ସୁମାତ୍ରା ପ୍ରଭୃତି ଦେଶ ସହିତ କଳିଙ୍ଗର ସାଧବ ମାନଙ୍କର ନୌବାଣିଜ୍ୟ ସର୍ବଜନ ବିଦିତ । ଚୋଳ ରାଜତ୍ୱ କାଳରେ ଉଭୟ ଚୀନ୍ ଓ ଆଫ୍ରିକୀୟ ରାଜ୍ୟ ମାନଙ୍କ ସହିତ ଭାରତର ନୌବାଣିଜ୍ୟ କାରବାର ଚାଲିଥିଲା ବୋଲି ଐତିହାସିକ ପ୍ରମାଣ ରହିଛି । ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ସୁଦୂର ଦକ୍ଷିଣ ଆମେରିକାରେ ମୟ ସଭ୍ୟତା ପ୍ରତିଷ୍ଠା ରେ କଳିଙ୍ଗବାସୀଙ୍କର ସମ୍ପୃକ୍ତି ରହିଛି ବୋଲି କହିଛନ୍ତି ।
ହୁଏନସାଂ ମଧ୍ୟ ତାଙ୍କ ବିବରଣୀରେ କଳିଙ୍ଗର ନୌ ବାଣିଜ୍ୟ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ମେଘାସ୍ଥିନିସ୍, ମାର୍କୋପୋଲ୍ ଓ ମା ହୁଆନ୍ ପ୍ରଭୃତିଙ୍କ ବିବରଣୀରେ ମଧ୍ୟ ଏକଥା ଉଲ୍ଲେଖ ହୋଇଛି । ଇଂରେଜ ଶାସନ କାଳରେ ନୌବାଣିଜ୍ୟ ସହିତ ସାମରିକ ବିଭାଗକୁ ଯୋଡି ଦିଆଯାଇଛି । ଜଳଦସୁ୍ୟ ତଥା ଅନ୍ୟାନ୍ୟ ଇଉରୋପୀୟ ଉପନିବେଶବାଦୀ ରାଷ୍ଟ୍ରମାନଙ୍କ କବଳରୁ ନିଜ ନାଗରିକ ତଥା ନୌବାଣିଜ୍ୟରେ ବ୍ୟବହୃତ ଜାହାଜ ଗୁଡିକର ସୁରକ୍ଷା ପାଇଁ ସେମାନେ ପଦକ୍ଷେପ ନେଇଛନ୍ତି । ୧୮୩୦ ରେ ଭାରତୀୟ ନୌସେନାର ପ୍ରତିଷ୍ଠା ହୋଇଛି ଓ ୧୮୬୩ ବେଳକୁ ବ୍ରିଟିଶର ରୟାଲ୍ ନାଭି ଭାରତୀୟ ନୌସେନାକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଭିତରେ ରଖି, ତେଣୁ ଭାରତ ବର୍ତ୍ତମାନ ନିଜର ନିରାପତ୍ତାକୁ ଦୃଷ୍ଟିରେ ରଖି ସତର୍କଭାବେ ଭାରତ ମହାସାଗରରେ ନିଜର ସୁରକ୍ଷା ବିସ୍ତାର କରିବାକୁୁ ଚେଷ୍ଟା କରୁଛି ।
ସୁଖର କଥା- “ରିସର୍ଚ ଆଣ୍ଡ୍ ଇନଫରମେସନ୍ ସିଷ୍ଟମ୍ ଫର ଡେଭଲପ୍ କଣ୍ଟ୍ରିଜ୍” ଏବଂ “ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ଆଣ୍ଡ୍ କଲଚାରଲ୍ ଷ୍ଟଡିଜ୍” ର ମିଳିତ ସହଯୋଗରେ “ଇଣ୍ଡିଆ ଆଣ୍ଡ ଦି ଇଣ୍ଡିଆନ ଓସେନ୍” ଶୀର୍ଷକ ଏକ ଆନ୍ତର୍ଜାତୀୟ ସମ୍ମିଳନୀ, ମାର୍ଚ୍ଚ ୨୦ ରୁ ୨୨ ଭିତରେ ଭୁବନେଶ୍ୱରର ମେ ଫେୟାର ହୋଟେଲ ପରିସରରେ ଅନୁଷ୍ଠିତ ହେଉଛି । ଅତୀତରେ କଳିଙ୍ଗ ନୌବାଣିଜ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାବେଳେ ଓଡିଶାରେ ଏହି ଆର୍ନ୍ତଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବା ଓଡିଆବାସୀଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ । ପାରାଦୀପକୁ ସ୍ମାର୍ଟ ସିଟି ଭାବରେ ଘେଷଣା କରାଯିବା ପରେ ଏମିତ ଏକ ସମ୍ମିଳନୀ ଏଠାରେ ଆୟୋଜିତ ହେବା ବିଶେଷ ଗୁରୁତ୍ୱ ବହନ କରୁଛି । ମୋଦି ସରକାର ଓଡିଶାକୁ କେତେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ତାହି ଏଥିରୁ ପ୍ରମାଣ ମିଳୁଛି । ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ବାଣିଜ୍ୟମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି,ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡ. ମହେଶ ଚନ୍ଦ୍ର ଶର୍ମା ଭାରତର ପେଟ୍ରୋଲିଅମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବହୁ ଆର୍ନ୍ତଜାତିକ ପ୍ରତିନିଧି ଓ ଦେଶ ତଥା ଓଡିଶାର ପ୍ରାଜ୍ଞ ଓ ବରିଷ୍ଠ ପ୍ରଫେସର୍ ମାନେ ଯୋଗ ଦେଉଛନ୍ତି । ଆମେ ଏହି ଆର୍ନ୍ତଜାତୀୟ ସମ୍ମିଳନୀର ସଫଳତା କାମନା କରୁଛୁ ।

Share in top social networks!