ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ, ଦୋଷୀ ମନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ହେଉ କାର୍ଯାନୁଷ୍ଠାନ

sajjansharmaବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏସସିଏସଟି ମନ୍ତ୍ରୀ ଲାଲବିହାରୀ ହିମିରିକା ସେବାଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସରେ ଘଟିଥିବା ପୀଡ଼ିତା ଓ କୁମାରୀ ମାତୃତ୍ୱଙ୍କ ନାମ ପ୍ରଘଟ କରିଛନ୍ତି । ଯାହାକି ଆଇନ୍ର ଖୋଲା ଉଲ୍ଲଂଘନ । ଏହା ମାତୃଜାତି ପ୍ରତି ଅପମାନ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଏଭଳି ଅକ୍ଷମଣୀୟ ଅପରାଧ କରିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟବାସୀଙ୍କ ଆଗରେ କ୍ଷମାପ୍ରାର୍ଥନା କରିବା ସହ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନା ଓ ସମ୍ପାଦିକା ଗୀତା ଦାସ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହାର ତୀବ୍ର ନିନ୍ଦା କରିଛନ୍ତି । ଏନେଇ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତିଯେ, ମାନ୍ୟବର ସୁପ୍ରିମ୍କୋର୍ଟ ୨୦୦୩ ପ୍ରଥମେ ଓ ୨୦୦୬ ମସିହାରେ ଜଷ୍ଟିସ୍ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଜଣିଆ ବେଞ୍ଚ ଦୁଷ୍କର୍ମ ପୀଡ଼ିତାଙ୍କ ନାମ ପ୍ରକାଶ ନକରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଆଇପିସିର ଧାରା ୨୨୮ (କ) ଅନୁଯାୟୀ ପୀଡ଼ିତାଙ୍କ ନାମ ପ୍ରକାଶ କରାଯିବା ଉଚିତ୍ ନୁହେଁ । ଏହା ଧର୍ତ୍ତବ୍ୟ ଅପରାଧ । କିନ୍ତୁ ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏସସି ଏସଟି ମନ୍ତ୍ରୀ ଶ୍ରୀ ହିମିରିକା କୁମାରୀ ମାତୃତ୍ୱ ଓ ପୀଡ଼ିତାଙ୍କ ନାମ ପ୍ରକାଶ କରିଛନ୍ତି । ଯାହାକି ଉକ୍ତ ପୀଡ଼ିତା ଓ ପରିବାରବର୍ଗଙ୍କ ସହ ସମସ୍ତ ମାତୃଜାତି ପାଇଁ ଅପମାନ କହିଲେ ଅତୁ୍ୟକ୍ତି ହେବନାହିଁ । ଗୋଟିଏ ପଟେ ସରକାର ସେମାନଙ୍କୁ ସେବାଶ୍ରମ ଓ ଛାତ୍ରାବାସରେ ସୁରକ୍ଷା ଦେବାରେ ବିଫଳ ହୋଇଥିବାବେଳେ ସେମାନଙ୍କ ନାମ ପ୍ରକାଶ କରି ସମସ୍ତଙ୍କ ଆଗରେ ଲା‚ôତ କରିଛନ୍ତି । ଏସସି ଏସଟି ବିଭାଗ ଦ୍ୱାରା ପରିଚାଳିତ ସେବାଶ୍ରମ ଓ ଛାତ୍ରାବାସଗୁଡ଼ିକରେ ଯୌନ ନିର୍ଯାତନା ବଢ଼ି ଚାଲିଥିବାବେଳେ କୁମାରୀ ମାତୃତ୍ୱ ଭଳି ସମ୍ବେଦନଶୀଳ ଓ ସଂଗୀନ ଘଟଣାମାନ ଦେଖିବାକୁ ମିଳୁଛି । ତେବେ ଗତକାଲି ଏସସିଏସଟି ମନ୍ତ୍ରୀ ଯେଉଁ ଭୁଲ୍ କରିଛନ୍ତି ତାହା ଆଇନ୍ ଅନୁଯାୟୀ ଦଣ୍ଡନୀୟ । ପୀଡ଼ିତାଙ୍କ ନାମ ପ୍ରଘଟ କଲେ ଦୁଇବର୍ଷ ଜେଲ୍ ଦଣ୍ଡ ଓ ଜରିମାନାର ପ୍ରାବଧାନ ରହିଛି । ଏହି ପରିପ୍ରେକ୍ଷୀରେ ସରକାରର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ନିକଟରେ କ୍ଷମା ଭିକ୍ଷା କରିବା ଦରକାର । ସେହିପରି ଏଭଳି ତ୍ରୁଟି କରିଥିବା ମନ୍ତ୍ରୀ ଓ ସଚିବଙ୍କ ସହ ଦୋଷୀ ଅନ୍ୟ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଶର୍ମା ଦାବି କରିଥିଲେ । ସରକାର ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ ନକଲେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଇନ୍ର ଆଶ୍ରୟ ନିଆଯିବା ସହ ବିକ୍ଷୋଭ କରାଯିବ ବୋଲି ଶ୍ରୀ ଶର୍ମା ଚେତାବନୀ ଦେଇଛନ୍ତି ।
ଏହି ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନୀ ଜେନା କହିଛନ୍ତିଯେ, ରାଜ୍ୟର ଅନେକ ସେବାଶ୍ରମ ବିଦ୍ୟାଳୟ ଓ ଛାତ୍ରାବାସରେ ଅନେକ ଯୌନ ନିର୍ଯାତନା ଓ କୁମାରୀ ମାତୃତ୍ୱ ଭଳି ଘଟଣା ଦେଖିବାକୁ ମିଳୁଛି । ଗଣମାଧ୍ୟମରେ ଚର୍ଚ୍ଚା ହେଲେ ସରକାର କେତେକ ଘଟଣାକୁ ସ୍ୱୀକାର କରିବା ସହ କେତେକ ଘଟଣାରେ ସ୍ୱୀକାର ମଧ୍ୟ କରୁନାହାନ୍ତି । ଅନେକ ଘଟଣା ଛାତ୍ରାବାସର ଚାରି କାନ୍ଥ ମଧ୍ୟରେ ମଧ୍ୟ ଚାପି ହୋଇଯାଉଛି । ତେବେ ଏସସିଏସଟି ମନ୍ତ୍ରୀ ପୀଡ଼ିତାଙ୍କ ନାମ ପ୍ରକାଶ କରି ଅକ୍ଷମଣୀୟ ଅପରାଧ କରିଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବା ଦରକାର ବୋଲି ଶ୍ରୀମତୀ ଜେନା ଦାବି କରିଛନ୍ତି । ସେହିପରି ଏନେଇ ମହିଳା ମୋର୍ଚ୍ଚା ପକ୍ଷରୁ ମାନବାଧିକାର କମିଶନ, ଏସସିଏସଟି କମିଶନ ଓ ମହିଳା କମିଶନଙ୍କ ନିକଟରେ ଫେରାଦ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Share in top social networks!