ଧାମରା ପୋର୍ଟର ଓଡିଶା ସରକାରଙ୍କୁ ୭୩.୪୮ କୋଟି ଟଙ୍କାର ରାଜସ୍ୱ ଅଂଶ ପ୍ରଦାନ

dhamraportଅଦାନୀ ପୋର୍ଟ୍ସ ଏଣ୍ଡ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଦ୍ୱାରା ଶତପ୍ରତିଶତ ଅଧିଗୃହିତ ଧାମରା ବନ୍ଦର ଆଜି ରାଜ୍ୟ ସରକାରଙ୍କୁ ବନ୍ଦର ରାଜସ୍ୱ ଅଂଶ ସ୍ୱରୂପ ୭୩.୪୮ କୋଟି ଟଙ୍କା ପ୍ରଦାନ କରିଛି ।
ଧାମରା ବନ୍ଦର କମ୍ପାନୀ ଲିମିଟେଡ୍ (ଡିପିସିଏଲ୍)ର ନିଦେ୍ର୍ଧଶକ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ରାଜ୍ୟ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉପରୋକ୍ତ ରାଜସ୍ୱ ଅଂଶ ପରିମାଣର ବ୍ୟାଙ୍କ୍ କାଗଜପତ୍ର ପ୍ରଦାନ କରିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଗୋକୁଳ ଚନ୍ଦ୍ର ପତି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର୍ ବାଲକ୍ରିଷ୍ଣନ୍ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀ ସଞ୍ଜୟ ରସ୍ତୋଗୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
ଡିପିସିଏଲ୍ ସୂତ୍ରରୁ ପ୍ରକାଶଯେ ୭୩.୪୮ କୋଟି ଟଙ୍କାର ଏହି ରାଜସ୍ୱ ଅଂଶ ବନ୍ଦର କାରବାର ଦିବସ ମେ ମାସ ୨୦୧୧ରୁ ସେପ୍ଟେମ୍ବର ମାସ ୨୦୧୪ ସମୟ ଅବଧିକୁ ଅନ୍ତର୍ଭୁକ୍ତ କରୁଛି । ୨୦୧୬ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କମ୍ପାନୀକୁ ଋଣ ପରିଶୋଧ ନିମନ୍ତେ ବିରତି ଅନୁମତି ପ୍ରଦାନ କରାଯାଇଥିଲା ମାତ୍ର ଏହି ସମୟ ଅବଧି ସମାପ୍ତି ପୂର୍ବରୁ କମ୍ପାନୀ ଏହାର ରାଜସ୍ୱ ଅଂଶ ପ୍ରଦାନ କରିବା ଆରମ୍ଭ କରିଛି ।
ରିହାତି ବୁଝାମଣା (କନ୍ସେସନ ଏଗ୍ରିମେଣ୍ଟ୍) ଅନୁଯାୟୀ ଧାମରା ବନ୍ଦର ଏହାର ସମ୍ପୂର୍ଣ୍ଣ ରାଜସ୍ୱ ଆୟର ୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାର ଥିଲା ଯାହାକି ୨୦୧୬-୧୭ ଆର୍ଥିକ ବର୍ଷ ବେଳକୁ ୮ ପ୍ରତିଶତ ହେବା ସହିତ କ୍ରମାନ୍ୱୟରେ ଏହା ୧୦ ପ୍ରତିଶତ ଏବଂ ୧୨ ପ୍ରତିଶତକୁ ବୃଦ୍ଧି ପାଇବ । ଅର୍ଥାତ ରାଜ୍ୟ ସରକାରଙ୍କର ବନ୍ଦରରୁ ରାଜସ୍ୱ ହାର ଆଗାମୀ ବର୍ଷମାନଙ୍କରେ ବୃଦ୍ଧି ପାଇବ ।
୨୦୧୧ ମସିହା ମେ ମାସରେ ଧାମରା ବନ୍ଦର ଏହାର ବାଣିଜି୍ୟକ କାରବାର ଆରମ୍ଭ କରିଥିଲା । ଡ୍ରାଏ ବଲ୍କ ପଣ୍ୟ କାରବାର ନିମନ୍ତେ ବନ୍ଦରରେ ବର୍ତ୍ତମାନ ୨ଟି ବର୍ଥ କାର୍ଯ୍ୟକ୍ଷମ । କେପ୍ ସାଇଜ୍ ଏବଂ ସୁପର କେପ୍ ସାଇଜ୍ ଭେସେଲ ଗୁଡିକର ସହଜ ବର୍ଥିଙ୍ଗ୍ ନିମନ୍ତେ ଏହାର ଚ୍ୟାନେଲ ୧୮ କି.ମି ଏବଂ ଗଭୀରତା ୧୭.୫ମିଟର ବିଶିଷ୍ଟ ଅଟେ । ବନ୍ଦର ନୂତନ ପୃଷ୍ଠପୋଷକ ଅଦାନୀ ଗ୍ରୁପ୍ ଆଗାମୀ ବର୍ଷମାନଙ୍କରେ ଏହାକୁ ସମ୍ପ୍ରସାରଣ କରି ଭାରତର ଏକ ପ୍ରମୁଖ ବନ୍ଦରରେ ରୂପାନ୍ତରିତ କରିବାକୁ ଆଗ୍ରହୀ ।

Share in top social networks!
Powered By Indic IME