ଶାସ୍ତ୍ରୀୟ ଓଡିଆଭାଷା ଦିବସ ଓ ଆମେ

ଡକ୍ଟର ସୁବ୍ରତ କୁମାର ପୃଷ୍ଟି subrat prusty
କେନ୍ଦ୍ର ସରକାରଙ୍କ ରାଜପତ୍ର ବିଜ୍ଞପ୍ତି ଅନୁସାରେ ଏକ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ଭାଷା ଭାବରେ ଓଡିଆଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ମିଳିବାର ବର୍ଷେ ପୂରିଲା । ଅବଶ୍ୟ ଏଥିପାଇଁ ନିର୍ଦ୍ଧାରିତ ନିୟମ ଅନୁସାରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ପ୍ରସ୍ତୁତ ଭିତ୍ତିପତ୍ରକୁ କେନ୍ଦ୍ର ଭାଷା ବିଶେଷଜ୍ଞ କମିଟି ଗତ ୨୩ ଜୁଲାଇ୨୦୧୩ରେ ଉଚ୍ଛ୍ୱସିତ ପ୍ରଶଂସା କରିବା ସହିତ ଓଡିଆକୁ ଶାସ୍ତ୍ରୀୟଭାଷା ଭାବରେ ସ୍ୱୀକୃତି ପ୍ରଦାନପାଇଁ କେନ୍ଦ୍ରସରକାରଙ୍କୁ ସୁପାରିଶ କରିଥିଲେ ।

ସେହି ଆଧାରରେ ଭାରତର ଷଷ୍ଠ ଶାସ୍ତ୍ରୀୟଭାଷା ଭାବରେ ଓଡିଆ ପରିଚିତ ହେବାପରେ ରାଜ୍ୟସରକାର ଓଡିଶାବାସୀଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରତିବର୍ଷ ଆଜିର ଦିନକୁ ଶାସ୍ତ୍ରୀୟ ଓଡିଆଭାଷା ଦିବସ ରୂପରେ ପାଳନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ଆମ ମାତୃଭାଷାର ସମୃଦ୍ଧିପାଇଁ ବିଗତ ଏକବର୍ଷ ମଧ୍ୟରେ କିପ୍ରକାରର କାର୍ଯ୍ୟ କରାଯାଇଛି ଏବଂ ଆଗାମୀ ଦିନରେ କରାଯିବ, ସେ ବିଷୟରେ ସମୀକ୍ଷା କରିବାର ଆବଶ୍ୟକତା ଅଛି ।

ଓଡିଆ କହିଲେ ୨ଟି ପରିଚୟକୁ ଇଙ୍ଗୀତ କରେ । ଗୋଟିଏ ହେଉଛି ଭାଷା ଓ ଅନ୍ୟଟି ହେଉଛି ଏହି ଭାଷା କହୁଥିବା ଏକ ଜାତି । ବିଡମ୍ବନାର ବିଷୟ,ଏହି ଭାଷା ଆଗ କି ଜାତି ଆଗ, ତାହା ନିର୍ଣ୍ଣୟ କରିବା ବର୍ତ୍ତମାନର ଓଡିଆ ବିଦ୍ୱାନଙ୍କପାଇଁ ହୋଇଯାଇଛି କାଠିକର ପାଠ । ଯଦିଓ ପ୍ରଚୁର ପ୍ରମାଣ ଆମ ପାଖରେ ରହିଛି ଓ ଏହାକୁ ଆଧାର କରି ଓଡିଆ ଏକ ପ୍ରାଚୀନ ଜାତି ଓ ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି, ତଥାପି ଆମ ଶିକ୍ଷା ବ୍ୟବସ୍ଥାରେ ଏହାକୁ ସାରଳା ମହାଭାରତ ଅନୁସାରେ ୫୦୦ ବର୍ଷ କିମ୍ବା ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଅନୁସାରେ୧୫୦୦ବର୍ଷ ତଳର କୁହାଯାଉଛି । ଏହି କାଳ ନିର୍ଣ୍ଣୟ ବେଳେ କଳିଙ୍ଗର ସମୃଦ୍ଧ ଇତିହାସକୁ ଗୁରୁତ୍ୱର ସହ ବିଶ୍ଳେଷଣ କରାଯାଉନାହିଁ । ଓଡିଆଜାତିର ଇତିହାସ ବୁଦ୍ଧଙ୍କ ସମୟରୁ ଗଣାଯାଉଥିବାବେଳେ ଓଡିଆ ସାହିତ୍ୟ ବୁଦ୍ଧଙ୍କ୨୦୦୦ ବର୍ଷ ପରେ ସୃଷ୍ଟି ବୋଲି କହିବା ଆମ ଶିକ୍ଷାବ୍ୟବସ୍ଥା ଓ ଗବେଷଣାରେ ଥିବା ତ୍ରୁଟିକୁ ଦର୍ଶାଇଥାଏ । ଭାଷାର ଶାସ୍ତ୍ରୀୟତା ପରେ ଏବେ ଏସବୁ ତ୍ରୁଟିର ସଂଶୋଧନ ପ୍ରାଥମିକତା ଭିତ୍ତିରେ କରିବା ଆବଶ୍ୟକ ରହିଛି । ଦୁଃଖର କଥା, କେତେକ ସାହିତି୍ୟକ ଆଧୁନିକ ସାହିତ୍ୟକୁ ଶାସ୍ତ୍ରୀୟ ସାହିତ୍ୟର ମର୍ଯ୍ୟାଦା ଦେବାପାଇଁ ଉଦ୍ୟମ ଆରମ୍ଭ କଲେଣି । ଅତୀତରେ ଏହି ପ୍ରକାରର ହୀନ ଉଦ୍ୟମ ଯୋଗୁଁ ଓଡିଆଭାଷା ଯେମିତି ବିଶ୍ୱବିଦ୍ୟାଳୟରେ ସବୁ ପ୍ରକାରର ଶିକ୍ଷା ଓ ଗବେଷଣାଠାରୁ ଦୁରେଇ କେବଳ ଆଧୁନିକ ଗପ, କବିତା, ନାଟକ ମଧ୍ୟରେ ସୀମିତ ହୋଇ ରହିଗଲା, ସେହିଭଳି ଶାସ୍ତ୍ରୀୟ ଓଡିଆ
ସାହିତ୍ୟ ପ୍ରାଚୀନଠାରୁ ଦୂରେଇଯାଇ ଡିଗ୍ରୀ ଲାଳସାରେ କେବଳ ଆଧୁନିକ ସାହିତ୍ୟ ମଧ୍ୟରେ ସୀମିତ ହୋଇ ରହିଯିବ । କେତେକ ମୁଷ୍ଟିମେୟ ଯଶଲିପ୍ସୁ ପ୍ରତିଷ୍ଠିତ ଲେଖକଙ୍କ ଏଭଳି ହୀନ ଉଦ୍ୟମ ପୁଣି ଥରେ ଓଡିଆ ସାହିତ୍ୟକୁ ଓଡିଆଙ୍କଠାରୁ ଦୂରେଇ ଦେବାଭଳି ସ୍ଥିତି ସୃଷ୍ଟି କରିଛି । ଆଧୁନିକକୁ ଶାସ୍ତ୍ରୀୟ ରୂପ ଦେବା ବଦଳରେ ଶାସ୍ତ୍ରୀୟ ଓଡିଆର ମୂଳ ସମ୍ପତ୍ତି ଭାବରେ ଓଡିଶାରୁ ଆବିଷ୍ଟୃତ ପ୍ରାୟ ୫୦ହଜାର ତାଳପତ୍ର ପୋଥି ସଂରକ୍ଷଣ କରିବା ଆବଶ୍ୟକ । ଅଯତ୍ନ ଭାବରେ ବିଭିନ୍ନ ଗୋଦାମ ଘରେ ନଷ୍ଟ ହେଉଥିବା ଏହି ମହାର୍ଘ ସାହିତ୍ୟର ପାଠ ଓ ପୁସ୍ତକ ରୂପ ଦେବା ବର୍ତ୍ତମାନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ।

ଏଥି ସହିତ ଓଡିଶାରୁ ଏପର୍ଯ୍ୟନ୍ତ ନିଜସ୍ୱ ଉଦ୍ୟମରେ ୫୫ଟି ଗୁମ୍ଫା ଆବିଷ୍ଟାର କରାଯାଇ ପ୍ରାଗୈତିହାସିକ ଚିତ୍ର ଓ ଲିପି ଲୋକଲୋଚନକୁ ଆସିଛି । ଆହୁରି ବହୁ ଗୁମ୍ଫା ରହିଛି । ତେଣୁ ସେଗୁଡିକର ଆବିଷ୍ଟାର ଓ ଅଧ୍ୟୟନ କରିବା ଆବଶ୍ୟକ ରହିଛି । ଶାସ୍ତ୍ରୀୟତାର ଆଉ ଗୋଟିଏ ସୁଯୋଗ ହେଉଛି ବିଭିନ୍ନ ରାଜ୍ୟରେ ଥିବା କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଓଡିଆ ବିଷୟରେ ଗବେଷଣାତ୍ମକ ଚେୟାର ପ୍ରତିଷ୍ଠା କରାଇବା ।

ଏହାଦ୍ୱାରା ଓଡିଆଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ବ୍ୟାପକ ଗବେଷଣା ହେବା ସହିତ ସେହି ରାଜ୍ୟ ସହ
ଓଡିଶାର ଥିବା ସାମାଜିକ, ସାଂସ୍କୃତିକ ଇତିହାସର ପୁର୍ନମୂଲ୍ୟାୟନ କରାଯାଇପାରିବ । ଫଳରେ ଓଡିଶା ପ୍ରତି ଥିବା ଭୁଲ ଧାରଣା ଦୂର ହୋଇପାରିବ । ଏଥି ସହିତ ସ୍ୱତନ୍ତ୍ର ଅନୁଦାନ ମାଧ୍ୟମରେ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ । ତେବେ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲାନାହିଁ । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ବାରମ୍ବାର ଉଦ୍ୟମ ଫଳରେ କେନ୍ଦ୍ରିୟ ଶାସ୍ତ୍ରୀୟ ତାମିଲ ସଂସ୍ଥା ଢାଞ୍ଚାରେ କେନ୍ଦ୍ରିୟ ଶାସ୍ତ୍ରୀୟ ଓଡିଆ ସଂସ୍ଥା ପ୍ରତିଷ୍ଠାପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ଏଥିସହିତ ଓଡିଆ ମାଧ୍ୟମର ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରିବାପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ରାଜ୍ୟ ସରକାର କରିଥିବା ଘୋଷଣା ଆଜି ବି ଅନିଶ୍ଚିତତା ମଧ୍ୟରେ ରହିଛି । ଫଳରେ ଭାଷାପାଇଁ କେନ୍ଦ୍ରିୟ ଅନୁଦାନ ପ୍ରଥମରୁ ହିଁ ଓଡିଆ ହରେଇଛି ।

ଓଡିଆଙ୍କପାଇଁ ଗୌରବର ବିଷୟ ଯେ, ମାନବ ସଭ୍ୟତାକୁ ଧାନଚାଷ ଶିଖାଇବା ଯେମିତି ଏହି ମାଟିର କୋରାପୁଟରୁ ଆରମ୍ଭ ହୋଇଥିଲା, ସେହିଭଳି ଭାରତର ସର୍ବପ୍ରାଚୀନ ଲିପି ଓ ସାହିତ୍ୟ ରୂପ ମଧ୍ୟ ଏହି ଓଡିଶାରୁ ମିଳିଛି । ଭାରତୀୟ ଲିପିର ପ୍ରାଚୀନ ରୂପ ପ୍ରାକ ବ୍ରାହ୍ମୀଲିପି ନୂଆପଡାର ଯୋଗିମଠ ପାହାଡଗୁମ୍ଫାରେ ଅଙ୍କିତ ଚିତ୍ରଲିପି ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଏହି ଗୌରବର ଅଧିକାରୀ । ଏହାର ଭାଷା ଓ ଶୈଳୀକୁ ପ୍ରମାଣ ଭାବରେ ଉପସ୍ଥାପନ କରିବା ଫଳରେ ଓଡିଆଭାଷା ଓ ସାହିତ୍ୟ ୨୦୦୦ବର୍ଷ ତଳର ମୌଳିକ ସାହିତ୍ୟ ବୋଲି ଗ୍ରହଣୀୟ ହେଲା । ଅନ୍ୟପକ୍ଷରେ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦି ପ୍ରମାଣ କରେ ପ୍ରାଚୀନ ଓଡିଆ ସାହିତି୍ୟକମାନେ କେବଳ ଭାଷା ବା ଶବ୍ଦଗୁମ୍ଫନରେ ଦକ୍ଷ ନ ଥିଲେ, ବରଂ ଏମାନଙ୍କର ଭୁଗୋଳ, ଖଗୋଳ, ଇତିହାସ, ବିଜ୍ଞାନ, ସମାଜ ବିଜ୍ଞାନ, ଅର୍ଥନୀତି, କୃଷି, ପଶୁ ପାଳନ ଓ ଚିକିତ୍ସାଶାସ୍ତ୍ର ବିଷୟରେ ଯଥେଷ୍ଟ ଜ୍ଞାନ ଥିଲା । କାବ୍ୟ ଶୈଳୀରେ କାହାଣୀ ମାଧ୍ୟମରେ ଏହି ଗୂଢ ବିଷୟଗୁଡିକ ଏଭଳି ସରଳ ଭାବରେ ସଂଯୋଜନା କରାଯାଉଥିଲା ଯେ, ଏହା ଧର୍ମ ନୁହେଁ, ବରଂ ଶିକ୍ଷାଶାସ୍ତ୍ର ଭାବରେ ଗୃହୀତ ହେବାରୁ ପିଲାଟି ବେଳରୁ ବିଦ୍ୟାଶିକ୍ଷା ସହିତ ନିତିଦିନିଆ ଜୀବନର ଆବଶ୍ୟକତାକୁ ପୂରଣ କରିବା ଭଳି ଜ୍ଞାନର ଅଧିକାରୀ ହେଉଥିଲା । ଏହି ବ୍ୟବସ୍ଥା ୧୮୬୬ ପର୍ଯ୍ୟନ୍ତ ଠିକଠାକ ଚାଲିଥିଲା । ମାତ୍ର ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଏକ ନୂଆ ସମୀକରଣକୁ ଜନ୍ମଦେଲା, ଯାହାର ପ୍ରଥମ ଚୋଟ ଶିକ୍ଷା ଉପରେ ପଡିଲା । ଓଡିଆମାନଙ୍କୁ ବଙ୍ଗାଳୀ, ତେଲେଙ୍ଗା ଓ ହିନ୍ଦିଭାଷାୀ କିରାଣୀଗଣ ଶାସନ କରୁଥିବାରୁ ସେମାନଙ୍କ ସ୍ଥାନ
ଦଖଲପାଇଁ ଇଂରାଜୀ ଶିକ୍ଷାପଦ୍ଧତିକୁ ଆପଣେଇ ନିଆଗଲା । ଏହି ପଦ୍ଧତି ଚାକିରି ଅଭିମୁଖି ଥିଲା ।

ଯେପର୍ଯ୍ୟନ୍ତ ଚାକିରି ମାନସିକତା ଓଡିଆଙ୍କର ନ ଥିଲା, ସେ ପର୍ଯ୍ୟନ୍ତ ଅର୍ଥନୈତିକ ଗତିରୋଧ ନ ଥିଲା । ମାତ୍ର ୧୯୪୭ ପରେ ଚାକିରୀ ସର୍ବସ୍ୱ ଅର୍ଥନୀତି ଓ ୧୯୯୦ ପରେ ଉଦାରିକରଣ ଆର୍ଥôକ ନୀତିର ଆଗମନଦ୍ୱାରା ଚାକିରି ପାଇବାପାଇଁ ବିଦେଶୀଭାଷା ପଢିବା ମାନସିକତା ଏଭଳି ଭାବରେ ବୃଦ୍ଧିପାଇଲା ଯେ, ଏହି ଭାଷାର କାୟା ବିସ୍ତାରରେ ସମୃଦ୍ଧ ଓ ପ୍ରାଚୀନ ଜାତି ଓଡିଆ ତାର ଅସ୍ତିତ୍ୱ ହରାଇ ବସିଲାଣି । ଏଥିରୁ ମୁକାଳିବାକୁ ହେଲେ ଶିକ୍ଷା, ପ୍ରଶାସନ, ନ୍ୟାୟ ଓ ଚିକିତ୍ସାର ଭାଷା ଓଡିଆ ହେବା ଜରୁରୀ ।

ଓଡିଆ ଶାସ୍ତ୍ରୀୟଭାଷାର ଗୌରବ ପାଇବାପରେ ଏବେ ଭାଷାକୁ ସମୃଦ୍ଧ କରିବା ଦାୟିତ୍ୱ ବଢିଯାଇଛି । ମାତ୍ର ଆମେ ସମୃଦ୍ଧି ବଦଳରେ ସୁରକ୍ଷାପାଇଁ ଚିନ୍ତିତ । ଏହା ହିଁ ସୂଚାଇଦିଏ ଆମ ଭାଷାର ବର୍ତ୍ତମାନ ସ୍ଥିତି । ଆଜି ଭାଷା ସୁରକ୍ଷାପାଇଁ ଯେଉଁମାନେ ଚିନ୍ତିତ, ସେମାନେ କେବଳ ଓଡିଆ ଭାଷା ବ୍ୟବହାରର ବାହାର ରୂପ ଦେଖି ଏହାର ପ୍ରତିକାରପାଇଁ ଦାବି କରୁଛନ୍ତି । ଭିତରକଥାକୁ ବୁଝିବାପାଇଁ କେହି ଆଗ୍ରହୀ ନୁହଁନ୍ତି । ଏମାନଙ୍କର ଗୋଟିଏ ଦାବି ସରକାରୀ କାମ ଓଡିଆରେ ହେଉ । କିନ୍ତୁ ଏହି କାମ କରିବାପାଇଁ ନିଯୁକ୍ତ କର୍ମଚାରୀ ଯଦି ଓଡିଆରେ ପଢି ନ ଥିବ କିମ୍ବା ଓଡିଆ ମାଧ୍ୟମରେ ନିଯୁକ୍ତି ପରୀକ୍ଷା ଦେଇ ନ ଥିବ, ତେବେ ଓଡିଆରେ ନଥି ଲେଖିବାପାଇଁ ତାହାର ଭାଷା ଦକ୍ଷତା କେଉଁଠାରୁ ଆସିବ? ଓଡିଆରେ ସରକାରି କାମ କରିବାପାଇଁ ପ୍ରଶାସନିକ ଭାଷାକୋଷ କିମ୍ବା ଅନ୍ୟ କୌଣସି ଅଭିଧାନ ଯଥେଷ୍ଟ ନୁହେଁ । ଏଥିପାଇଁ ବ୍ୟବହାରିକ ଜ୍ଞାନର ଯଥେଷ୍ଟ ଆବଶ୍ୟକ ରହିଛି । ସେଇଥିପାଇଁ ଯେକୌଣସି କାର୍ଯ୍ୟପାଇଁ କର୍ମଚାରୀ ନିଯୁକ୍ତିବେଳେ ଭାଷା ଦକ୍ଷତା ବିଭିନ୍ନ ବିଷୟକ ପରୀକ୍ଷା ମାଧ୍ୟମରେ ମପାଯାଏ । ଏହା ସବୁ ରାଜ୍ୟ ଏବଂ ଦେଶରେ ନିଜଭାଷାରେ ହେଉଛି । ଓଡିଶାରେ ମଧ୍ୟ ନିଯୁକ୍ତି ସମୟରେ ଭାଷାର ଦକ୍ଷତା ଉପରେ ପରୀକ୍ଷା ହେଉଛି । ମାତ୍ର ଏହି ପରୀକ୍ଷା ଇଂରାଜୀ ଭାଷା ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେଉଛି, ଓଡିଆକୁ ନୁହେଁ । ତେଣୁ ଓଡିଆ ମାଧ୍ୟମରେ ଶିକ୍ଷା ଓ ନିଯୁକ୍ତି ପରୀକ୍ଷା ଆୟୋଜନ ନ କରିବା ପର୍ଯ୍ୟନ୍ତ ଓଡିଆରେ ସରକାରୀ କାମ ହେବା ସମ୍ଭବ ନୁହେଁ ।

ଏକ ଗଣତାନ୍ତିକ ଶାସନ ବ୍ୟବସ୍ଥାର ମୂଳଭିତ୍ତି ଶାସିତର ଭାଷାକୁ ସମ୍ମାନ ଦେବା । ଶାସିତର ଭାଷାରେ ଶିକ୍ଷା, ଗବେଷଣା, ଚିକିତ୍ସା, ନ୍ୟାୟ, ପ୍ରଶାସନ ଆଦି କାର୍ଯ୍ୟ କରିବା ଫଳରେ ଏକ କଲ୍ୟାଣକାରି ପ୍ରଶାସନିକ ବ୍ୟବସ୍ଥା ପ୍ରଚଳନ ସହ ଶାସକ ଓ ଶାସିତଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପିତ ହୁଏ । ଫଳରେ ଉକ୍ତ ଜାତି ବିକାଶର ଚରମ ସୀମାରେ ପହଞ୍ଚେ । ଯାହାର ଦୃଷ୍ଟାନ୍ତ ବିଶ୍ୱର ଶକ୍ତିଶାଳୀ ଜି-୮ ଦେଶ । କେରଳ, ତାମିଲନାଡୁ, ଗୁଜୁରାଟ ଭଳି ଭାରତର ବିକଶିତ ରାଜ୍ୟ ମଧ୍ୟ ଏହି ଶ୍ରେଣୀର । ମାତ୍ର ଓଡିଶା ହେଉଛି ଭାରତର ଏକମାତ୍ର ରାଜ୍ୟ, ଯେଉଁଠି ଶାସିତର ଭାଷା ଶାସନରେ ଚଳେନାହିଁ କିମ୍ବା ଶାସନର ଭାଷା ଶାସିତ ବୁଝେନାହିଁ । ଫଳରେ ଶାସକ ଓ ଶାସିତଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇ ଗରିବୀ ଓ ଅଶିକ୍ଷା ବଢିବାରେ ଲାଗିଛି ।

ଓଡିଆଭାଷା ଓ ଜାତିର ଦୁର୍ଭାଗ୍ୟ ଯେ, ଓଡ଼ିଶାର ଶାସକଗଣ ରାଜ୍ୟଭାଷା ବଦଳରେ ବିଶ୍ୱଭାଷା ଆଳରେ ପୁଣି ସେହି ଇଂରାଜୀକୁ ଶିକ୍ଷା ଓ ପ୍ରଶାସନର ଭାଷା ଭାବରେ ପ୍ରଚଳନ କରୁଥିବାରୁ ଓଡ଼ିଶା ଆଜି ପ୍ରଗତି ବଦଳରେ ଦରିଦ୍ରତମ ରାଜ୍ୟ ଭାବରେ ପରିଣତ ହୋଇଛି । ଉଚ୍ଚଶିକ୍ଷାର ପ୍ରମାଣପତ୍ର ଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରୁ ନ ଥିବାରୁ ସାଧାରଣ ଓଡ଼ିଆ ଯୁବକ କେବଳ ଶିକ୍ଷିତ ବେକାରୀ ଶ୍ରେଣୀରେ ଗଣାଯାଉଛନ୍ତି । ମାତୃଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ଗ୍ରହଣ ନ କରିବା ଫଳରେ ଓଡ଼ିଶାର ଭାଷା, ସଂସ୍କୃତି ଏବଂ ଇତିହାସ ଆଜି ହୋଇ ପଡିଛି ଅନାଲୋଚିତ । କେନ୍ଦ୍ରିୟ ନୀତି ଅନୁସାରେ ଜଣେ ବିଦ୍ୟାର୍ଥୀ ଓଡିଆରେ ଓଇଝ ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ସଫଳ ହୋଇ ବିଭିନ୍ନ ରାଜ୍ୟରେ ପ୍ରଶାସନିକ ଅଧିକାରୀ ରୂପେ ନିଯୁକ୍ତି ପାଉଥିବାବେଳେ, ରେଳବାଇ ଏବଂ ସଂଘ କର୍ମଚାରୀ ଚୟନ ଆୟୋଗ ଭଳି ଅନ୍ୟ ସର୍ବଭାରତୀୟ ପରୀକ୍ଷା ଓଡିଆରେ ଲେଖି ସଫଳ ହେଉଥିବାବେଳେ ଏମାନଙ୍କୁ ଓଡିଶାର ପ୍ରଶାସନିକ /ଶିକ୍ଷା / ନ୍ୟାୟିକ ଅଧିକାରୀ ଭାବରେ ନିଯୁକ୍ତିପାଇଁ ଅନୁଷ୍ଠିତ ପରୀକ୍ଷା ଓଡିଆରେ ଦେବା ସୁଯୋଗରୁ ବଞ୍ଚିତ କରାଯାଉଛି ।

ଫଳରେ ପ୍ରତିବର୍ଷ ଓଡିଆମାଧ୍ୟମର ୯୭ଭାଗ (୬ଲକ୍ଷ ୫୦ ହଜାର) ବିଦ୍ୟାର୍ଥୀଙ୍କ ବଦଳରେ ଇଂରାଜୀ ମାଧ୍ୟମର ମାତ୍ର ୩ଭାଗ(୧୭ହଜାର) ବିଦ୍ୟାର୍ଥୀଙ୍କ ନିଯୁକ୍ତିପାଇଁ ସାମ୍ବିଧାନିକ ନିୟମ ଉଲଙ୍ଘନ କରି ସମସ୍ତ ସୁବିଧା ପ୍ରଦାନ କରୁଛି । ଶାସ୍ତ୍ରୀୟତା ପରେ ଓଡିଆଙ୍କ ଭାଷାପାଇଁ ମମତା ବହୁଗୁଣରେ ବଢିଯାଇଛି । ଖବରକାଗଜ, ପତ୍ରପତ୍ରିକାରୁ ଜଣାପଡୁଛି ଆମ ସମାଜଚିନ୍ତକଙ୍କ ହୃଦୟର ବ୍ୟଥା ଓ ବେଦନା । ତେବେ ଏଥିରେ ଭାଷାର କୌଣସି ବିକାଶ ହେବନାହିଁ । ବିକାଶ ଘଟିବ ସେତିକିବେଳେ, ଯେତେବେଳେ ଓଡିଆରେ ଶିକ୍ଷା, ଗବେଷଣା ଓ କାର୍ଯ୍ୟ ପ୍ରଚଳିତ ହେବ । ଏତକ ହୋଇଗଲେ ଆପେଆପେ ନିଯୁକ୍ତିର ବାଟ ଫିଟିବ । ଓଡିଆ ମାଧ୍ୟମରେ ପଢି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ
ନିଯୁକ୍ତ କିରାଣି କିମ୍ବା ଅଧିକାରିକୁ ଓଡିଆରେ ସରକାରି କାମ କରିବାକୁ ଆଉ ଅସୁବିଧା ହେବନାହିଁ । ଓଡିଆଭାଷାରେ ହୋଇଥିବା ଶିକ୍ଷା ଓ ଗବେଷଣା ଓଡିଆଙ୍କ ବିକାଶପାଇଁ କାମରେ ଲାଗିବ । ନଚେତ ଭାଷାପାଇଁ ଆମେ କାନ୍ଦୁଥିବା ସିନା ଭାଷା ଆମଠାରୁ ଆମରି ଆଖି ଆଗରେ ଲୋପ ପାଇଯିବାର କରୁଣ ଦୃଶ୍ୟକୁ ଆମେ କେବଳ ଜଳକାଙ୍କ ଭଳି ଚାହିଁ ରହିଥିବା । ସମସ୍ତେ ଅନୁଭବ କରୁଥିବା ଓଡିଆଜାତି ଓ ଭାଷାର ପତନକୁ ଶାସ୍ତ୍ରୀୟ ଓଡିଆଭାଷା ଦିବସ ଅଟକାଇବାରେ ସଫଳ ହେବନାହିଁ ।

ସଦସ୍ୟ ସଚିବ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା
ଦୂରଭାଷା- ୯୦୯୦୪୬୫୭୫୮, ,Email: subratodia@gmail.com

Share in top social networks!