ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର : କନକବର୍ଦ୍ଧନ

kvsinghdeoକଥାକଥାକେ ରାଜ୍ୟ ସରକାର କେନ୍ଦ୍ରୀୟ ଅବହେଳାର କଥା ଉଠାଉଛନ୍ତି । ହେଲେ କେନ୍ଦ୍ର ଦେଉଥିବା ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି । ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର ଦେଉଥିବା ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଖୋଦ୍ କାଗ୍ ତାଙ୍କ ରିପୋର୍ଟରେ ଏହା ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ କହିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ପରିଲକ୍ଷିତ ହେଉଛି । ପଛୁଆ ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ମନଇଚ୍ଛା କଲେଜକୁ ଅନୁଦାନ ଓ ସ୍ୱୀକୃତି ପ୍ରଦାନ କରାଯାଉଛି । ବିନା ଅନୁମତିରେ ବର୍ଷ ବର୍ଷ ଧରି ମଧ୍ୟ କଲେଜ୍ ଚାଲୁଛି । ନିଯୁକ୍ତି, ପଦୋନ୍ନତି ଓ ବଦଳି କ୍ଷେତ୍ରରେ ନିୟମକାନୁନର ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ଗୋଟିଏ କଲେଜ୍ରେ ବିଭିନ୍ନ ପ୍ରକାର ଅଧ୍ୟାପକ ରହୁଥିବାବେଳେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କଲେଜ ଡେଭଲପମେଂଟ କାଉନସିଲ୍ ନାହିଁ । ରାଜ୍ୟର କଲେଜମାନଙ୍କରେ ୪୦% ପଦବୀ ଫାଙ୍କା ପଡ଼ିଥିବାବେଳେ ଆବଶ୍ୟକୀୟ ଭିତିଭୂମି ମଧ୍ୟ ନାହିଁ ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ସମେତ ମୁଖପାତ୍ର ସଜ୍ଜନ ଶର୍ମା ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ । ଶ୍ରୀ ସିଂହଦେଓ କହିଲେଯେ, ରାଜ୍ୟରେ ହାରାହାରି ୬୪୩୮୪ ଜନସଂଖ୍ୟାରେ ଗୋଟିଏ ଡିଗ୍ରୀ କଲେଜ୍ ରହିଥିବାବେଳେ ନୂଆପଡ଼ାରେ ୧୦୧୦୮୨ ଓ ନବରଙ୍ଗପୁରରେ ୬୦୯୩୮୧ ଜନସଂଖ୍ୟାରେ ଗୋଟିଏ କଲେଜ୍ ରହିଛି । ସେହିପରି ରାଜ୍ୟରେ ହାରାହାରି ୩୨୩୧୭ ଜନସଂଖ୍ୟାରେ ଏକ ଜୁନିୟର କଲେଜ୍ ରହିଥିବାବେଳେ ରାୟଗଡ଼ାରେ ୬୦୧୨୨ ଓ ନବରଙ୍ଗପୁରରେ ୧୭୪୧୦୯ ଜନସଂଖ୍ୟାରେ ଗୋଟିଏ ଜୁନିୟର କଲେଜ୍ ରହିଛି । ଏଥିରୁ ରାଜ୍ୟ ସରକାର ପଛୁଆ ଜିଲାରେ ଉଚ୍ଚଶିକ୍ଷା ବିକାଶ କ୍ଷେତ୍ରରେ କିଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ ବୋଲି ସେ କହିଛନ୍ତି ।
ସେହିପରି ୨୦୦୮-୧୪ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ୭୦୮୮.୯୨ କୋଟିର ଅନୁଦାନ ପାଇଥିବାବେଳେ ୬୬୭୫.୨୫ କୋଟି ଟଙ୍କା ଖର୍ଚ୍ଚ କରିପାରିଥିଲା । ତେବେ ମୋଟ୍ ୪୧୩ କୋଟି ୬୭ ଲକ୍ଷ ଟଙ୍କାର ସଂଚୟ ମଧ୍ୟରୁ ବିଭାଗ ୩୬.୮୯ କୋଟି ଟଙ୍କା ସରେଣ୍ଡର କରିନାହିଁ । ଯାହାର କାରଣ ସମ୍ପର୍କରେ ବିଭାଗ ପକ୍ଷରୁ ଉତର ମିଳୁନାହିଁ । ପଛୁଆ ଅଂଚଳରେ ୮ଟି ଡିଗ୍ରୀ କଲେଜ୍ ଖୋଲିବା ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇ ନପାରିବାରୁ ୨୧.୩୬ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇବାକୁ ପଡ଼ିଥିବାବେଳେ ରାଜ୍ୟ ଅଂଶ ବାବଦରେ ୧୬.୨୦ କୋଟି ଟଙ୍କା ସରେଣ୍ଡର କରିବାକୁ ପଡ଼ିଛି । କଲେଜ ଖୋଲିବା ପାଇଁ ଅନୁମତି ଦେବା କ୍ଷେତ୍ରରେ ବି ରାଜ୍ୟ ସରକାରଙ୍କର ଠୋସ୍ ନୀତି ନାହିଁ । ଏମିତିକି ଶିକ୍ଷା ବର୍ଷ ଶେଷ ହେବା ପରେ ରେକୋଗନାଇଜେସନ୍ ପ୍ରଦାନ କରାଯାଇଥିବା କାଗ୍ ଟିପ୍ପଣୀ ଦେଇଛନ୍ତି ବୋଲି ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ।
ଅଧ୍ୟାପକଙ୍କୁ ଦରମା କ୍ଷେତ୍ରରେ ମଧ୍ୟ ବିଭିନ୍ନ ବର୍ଗ ରହିଛି । କେତେକ ଅଧ୍ୟାପକଙ୍କୁ ମାସକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦରମା ମିଳୁଥିବାବେଳେ ଆଉ କାହାକୁ ୫ ହଜାର ଟଙ୍କା ମିଳୁଛି । ସେହିପରି ବିନା ପିଏଚଡ଼ି ଡିଗ୍ରୀରେ ବରିଷ୍ଠ ଅଧ୍ୟାପକମାନଙ୍କୁ ରିଡ଼ର ପଦବୀକୁ ପଦୋନ୍ନତି ଦିଆଯାଇଛି । ଏହାଛଡ଼ା ଯୋଗ୍ୟତା ନଥିଲେ ବି ୪୧୬ ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍ରେ ଦରମା ପ୍ରଦାନ କରାଯାଇଛି । ୨୦୦୮-୧୪ ମଧ୍ୟରେ ସେମାନଙ୍କୁ ୧୮୪.୬୬ କୋଟି ଟଙ୍କା ଦିଆଯାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସିଂହଦେଓ ଦାବି କରିଛନ୍ତି ।

Share in top social networks!