ସିବିଆଇ ଏସପିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ; ଶୁଭଙ୍କର ଡାଏରୀରେ ଥିବା ତଥ୍ୟ ଆଧାରରେ ତ୍ୱରିତ ତଦନ୍ତ ଓ ଦୃଢ଼ ଚାର୍ଜସିଟ୍ ପ୍ରସ୍ତୁତି ପାଇଁ ଦାବି

BJPLEADERSChit Fund ତଦନ୍ତ ଶିଥିଳ ହୋଇଯାଇଛି । ଦୁର୍ବଳ ଚାର୍ଜସିଟ୍ ପ୍ରସ୍ତୁତ ହୋଇଥିବାରୁ ଠକମାନେ ଖସିଯିବାରେ ସମର୍ଥ ହେଉଛନ୍ତି । ଫଳରେ ସିବିଆଇ ତଦନ୍ତ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ସିବିଆଇ ତଦନ୍ତ ତ୍ୱରାନ୍ୱିତ କରାଯିବା ସହ ଦୃଢ଼ ଚାର୍ଜସିଟ୍ ପ୍ରସ୍ତୁତ କରାଯାଉ । ସିବିଆଇ ଏସପିଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ଏହି ଦାବି ଉପସ୍ଥାପନ କରିଛି । ସେହିପରି ସିସୋର ଚିଟ୍ଫଣ୍ଡ ଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶୁଭଙ୍କର ନାୟକର ଡାଏରୀରେ ଅନେକ ଗୁମର କଥା ଥିବାବେଳେ ଏହାକୁ ଲୋକଲୋଚନକୁ ଅଣାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।
ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ମୁଖପାତ୍ର ସମୀର ମହାନ୍ତି, ସଜ୍ଜନ ଶର୍ମା, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଡକ୍ଟର ଯତୀନ ମହାନ୍ତି, ପ୍ରଭାତୀ ପରିଡ଼ା, ସୀମନ୍ତିନୀ ଜେନା, ଦିଲ୍ଲୀପ ମଲ୍ଲିକ, ସୁଦୀପ୍ତ ରାୟ, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ସିବିଆଇ ଏସପିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛିଯେ, ସୁପ୍ରିମ୍କୋର୍ଟଙ୍କ ଦିଗ୍ଦର୍ଶନରେ ଏସଆଇଟି ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତ କରୁଛନ୍ତି । ସିବିଆଇ ବହୁ ବଡ଼ ବଡ଼ ଚିଟ୍ଫଣ୍ଡ କମ୍ପାନୀ ଉପରେ ଚଢ଼ାଉ କରିଥିବାବେଳେ ଏହି ଠକେଇରେ ବିଧାୟକ ଓ ସାଂସଦମାନଙ୍କର ସଂପୃକ୍ତି ଥିବାନେଇ ପ୍ରମାଣ ମିଳିଛି । ଏମିତିକି ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସହଯୋଗୀଙ୍କୁ ଜେରା କରାଯାଇଥିବାବେଳେ ଚିଟ୍ଫଣ୍ଡ ଠକେଇ ସହ ସେ ସଂପୃକ୍ତ ଥିବା ଜଣାପଡ଼ିଛି । ତେବେ ଏବେ ସିବିଆଇ ତଦନ୍ତ ମନ୍ଥର ହୋଇଯାଇଥିବାରୁ ସିବିଆଇର ଦକ୍ଷତା ଓ ବିଶ୍ୱସନୀୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଅର୍ଥତତ୍ୱ ଓ ସିସୋର ଗ୍ରୁପ୍ ସଂକ୍ରାନ୍ତୀୟ ଚାର୍ଜସିଟ୍ ଦୁର୍ବଳ ଥିବାରୁ ଅଭିଯୁକ୍ତମାନେ ଖୁବ୍ ସହଜରେ ଖସିଯିବାରେ ସମର୍ଥ ହେଉଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି; ସିବିଆଇର ଚଢ଼ାଉ ବେଳେ ଶୁଭଙ୍କର ନାୟକଠାରୁ ଗୁରୁତ୍ୱପୂର୍ଣ୍ଣ ଡାଏରୀ ଓ ତଥ୍ୟ ଜବତ କରାଯାଇଥିଲା । ଚିଟ୍ଫଣ୍ଡ କମ୍ପାନୀ ମାଲିକ, ରାଜନେତା, ପ୍ରଶାସକ ଓ ମଧ୍ୟସ୍ଥିଙ୍କ ସହ କି ସମ୍ପର୍କ ରହିଛି ସେ ସମ୍ପର୍କିତ ତଥ୍ୟ ଉକ୍ତ ଡାଏରୀରେ ରହିଛି । ରାଜନେତା ଓ ପ୍ରଶାସକମାନେ କିଭଳି ଟଙ୍କା ନେଇ ରାଜ୍ୟ ସରକାର ଓ ସିସୋର ସହ ଚୁକ୍ତି ସମ୍ପାଦନ କରିଥିଲେ ତାହା ସେଥିରେ ଉଲ୍ଲେଖ ରହିଛି । ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ କାହିଁକି ତଦନ୍ତ ପରିସରକୁ ଅଣାଯାଇନାହିଁ ତାହା ଜାଣିବାର ଓଡ଼ିଶାବାସୀଙ୍କର ହକ୍ ରହିଛି । ଶୁଭଙ୍କର ଡାଏରୀରେ କ’ଣ ତଥ୍ୟ ରହିଛି ତାହା ସିବିଆଇ ଲୋକଲୋଚନକୁ ଆଣିବା ସହ ତଦନ୍ତ ତ୍ୱରାନ୍ୱିତ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।

Share in top social networks!