ରାଜ୍ୟର ଚାଷୀଙ୍କ ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି: ବିଜେପି କୃଷକ ମୋର୍ଚ୍ଚା

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିମାନଙ୍କ ଏକ ଜରୁରୀ ବୈଠକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ମୋର୍ଚ୍ଚାପାଇଁ ସହ ପ୍ରଭାରୀ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଛୋଟଲାଲ ମହନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ସର୍ବପ୍ରଥମେ ସଦସ୍ୟତା ଅଭିଯାନ ଉପରେ ସମୀକ୍ଷା କରାଯାଇଥିଲା ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ପାର୍ଟିରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ରାଜ୍ୟରେ ଚାଷୀଙ୍କ ସମସ୍ୟା ଉକôଟରୁ ଉକôଟତର ହେଉଥିବାବେଳେ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜି ବସି ଯାଇଥିବାରୁ ମୋର୍ଚ୍ଚା ଗଭୀର ଉଦବେଗ ପ୍ରକାଶ କରିଥିଲା । ଆଜି ରାଜ୍ୟର ଚାଷୀଙ୍କ ଦୁର୍ଦ୍ଧଶା ପାଇଁ ନବୀନ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ମିଥ୍ୟା ପ୍ରତିଶ୍ରୁତି ଓ ଫମ୍ପା ଆୱାଜ୍ କରି ଚାଷୀଙ୍କ ସମସ୍ୟାକୁ ବିଜେଡି ସରକାର ଚାପି ଦେବାର ଉଦ୍ୟମ ସବୁବେଳେ କରିଆସିଛି । ରାଜ୍ୟରେ ଧାନ ବିକ୍ରୀ ନାମରେ ଚାଷୀଙ୍କୁ ଶୋଷଣ କରାଯାଇଛି । ବିଭିନ୍ନ ସ୍ଥାନରେ ମଣ୍ଡି ଗୁଡିକ ଠିକ୍ ଭାବରେ ଚାଲି ପାରିଲା ନାହିଁ ଓ ପ୍ରତ୍ୟେକ ମଣ୍ଡିରେ ମିଲ୍ ମାଲିକ ମାନଙ୍କ ହସ୍ତକ୍ଷେପ ଓ ଧାନ ୫ ରୁ ୧୦ କେ.ଜି. କଟନୀ ନାମରେ ଚାଲିଲା । ମଣ୍ଡି ଗୁଡିକରେ ସର୍ବନିମ୍ନ ଭିତ୍ତିଭୂମି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଆଳୁ ଉପôାଦନରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଘୋଷଣା କରିଥିବା ସବସିଡି ଯୋଜନା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । କୃଷି ସମ୍ବଦ୍ଧିତ ଯେତେ ବିଭାଗ ଅଛି ଯଥା କୃଷି, ଉଦ୍ୟାନ, ପଶୁ ସମ୍ପଦ ଉଠା ଜଳସେଚନ , ଜଳସେଚନ, ସମବାୟ ଇତ୍ୟାଦି ବିଭାଗରେ ପିଆନଠାରୁ ଅଧିକାରୀ ପର୍ଯ୍ୟନ୍ତ ୫୦ ପ୍ରତିଶତ ପଦବୀ ଖାଲି ପଡିଛି । ଜଳସେଚିତ ଜମି କେନାଲ ମରାମତି ଓ ରକ୍ଷଣାବେକ୍ଷଣା ଅଭାବରେ ସଙ୍କୁଚିତ ହୋଇଛି । ୧୫ ବର୍ଷ ଶାସନ କାଳରେ ଗୋଟିଏ ମଧ୍ୟ ବୃହତ ଜଳସେଚନ ଯୋଜନା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଗଭୀର ନଳକୂପ ଯୋଜନା ରେ ଅନେକ ଚାଷୀଙ୍କ ଦରଖାସ୍ତ ପଡିରହିଛି ଓ ଯେଉଁ ଚାଷୀମାନଙ୍କ କୂପ ଖୋଳା ହୋଇଛି ସେଠି ବିଦୁ୍ୟତ ସଂଯୋଗ କରାଯାଇନାହିଁ । ଅନେକ ଶୀତଳଭଣ୍ଡାର ବନ୍ଦ ହୋଇଯାଇଥିବାବେଳେ ଗୋଟିଏ ମଧ୍ୟ ନୂତନ ଶୀତଳଭଣ୍ଡାର ସ୍ଥାପିତ ହୋଇନାହିଁ । ଚାଷୀଙ୍କୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡିକ କୃଷି ଋଣ ଦେବା କ୍ଷେତ୍ରରେ ଘୋର ଅବହେଳା କରୁଛନ୍ତି । ରାଜ୍ୟରେ ଦୁର୍ଦ୍ଧଶା ଗ୍ରସ୍ତ ଚାଷୀ ଶହ ଶହ ସଂଖ୍ୟାରେ ଆତ୍ମହତ୍ୟା କରିବାପାଇଁ ବାଧ୍ୟ ହୋଇଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ରାଜ୍ୟ ରେ ଚାଷୀଙ୍କ ଆଖିରୁ ଲୁହ ନୁହେଁ ରକ୍ତ ଝରୁଛି । କୃଷକ ମୋର୍ଚ୍ଚା ଗଭୀର ଉଦବେଗ ପ୍ରକାଶ କରିବା ସଂଗେସଂଗେ ଆଗାମୀ ଦିନରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ରାଜ୍ୟର ସରକାରଙ୍କ ଅବହେଳା ଓ ବିଫଳତା କୁ ନେଇ ଚାଷୀ ସଚେତନତା ସଂଗେ ଜୋରଦାର ଆନେ୍ଦାଳନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।
ଏହି ବୈଠକରେ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର, ସୁରଥ ବିଶ୍ୱାଳ, ମଙ୍ଗଳ ସାହୁ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ, ଶ୍ରୀ ହୃଷିକେଶ ଜେନା, ରାଜ୍ୟ ସଂପାଦକ ଶ୍ରୀ ଅଜୟ ପ୍ରଧାନ, ରବିନାରାୟଣ ମହାପାତ୍ର, ଶଙ୍କର୍ଷଣ ଜେନା, ଜାମିନୀ ରଂଜନ ଦାସ, ସୂର୍ଯ୍ୟନାରାୟଣ ଦାସ, ଦିବାକର ସାହୁ, ବିଜୟ ପଣ୍ଡା, ସଂଜୟ କାମ୍ପ, ରଶ୍ମୀ ରଂଜନ ସାହୁ, ଅକ୍ଷୟ ସାମଲ, କ୍ଷୀରୋଦ ଚନ୍ଦ୍ର ଦଳେଇ, ସଂଜୀବ କୁମାର ରଣା ପ୍ରମୁଖ ଯୋଗଦାନ କରିଥିଲେ ।

Share in top social networks!