କ୍ୟାପିଟାଲ ହସପିଟାଲରେ କର୍କଟ ରୋଗ ଚିହ୍ନଟ ଓ ପରାମର୍ଶ ଶାଖା ଉଦ୍ଘାଟିତ

cancerଆଜିଠାରୁ କ୍ୟାପିଟାଲ ହସପିଟାଲରେ କର୍କଟ ରୋଗ ଚିହ୍ନଟ ଏବଂ ପରାମର୍ଶ ଶାଖା କାର୍ଯ୍ୟକ୍ଷମ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଶାଖାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତିି । ଏଠାରେ ପ୍ରାଥମିକ ସ୍ଥରରୁ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପରାମର୍ଶ ଦିଆଯିବ । ପ୍ରାଥମିକ ସ୍ତରରେ କର୍କଟ ଚିହ୍ନଟ ହେଲେ ଆରୋଗ୍ୟ ସାଧ୍ୟ ଏବଂ ବିଶେଷ ଖର୍ଚାନ୍ତ ହେବାକୁ ପଡେନି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କର୍କଟ , ମଧୂମେହ , ରକ୍ତଚାପ ଏବଂ ହୃଦ୍ରୋଗ ଭଳି ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ଜାତୀୟ କାର୍ଯ୍ୟକ୍ରମ(ଏନ୍.ପି.ସି.ଡି.ସି.ଏସ୍)ରେ କ୍ୟାପିଟାଲ ହସପିଟାଲରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରକାଶ ଥାଉକି ୨୦୧୨-୧୩ ବର୍ଷରୁ ରାଜ୍ୟର ୫ ଟି ଜିଲ୍ଲା ,କୋରାପୁଟ , ମାଲକାନଗିରି , ନବରଙ୍ଗପୁର ,ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲାର ମୁଖ୍ୟଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍କଟ ରୋଗ ଚିହ୍ନଟ ଏବଂ ପରାମର୍ଶ ପ୍ରଦାନ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଏ ପର୍ଯ୍ୟନ୍ତ ୨୧୭ ଜଣ ଲୋକ କର୍କଟ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇ ସେମାନଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ରେଫର କରାଯାଇଛି । ଫଳରେ ଲୋକମାନେ ରୋଗ ଚିହ୍ନଟ ପାଇଁ ଏଣେ ତେଣେ ନବୁଲିବା ଏବଂ ଅଯୋଥା ଖର୍ଚାନ୍ତ ହେବାରୁ ରକ୍ଷା ପାଇ ପାରିଛନ୍ତି । ବର୍ତମାନ କ୍ୟାପିଟାଲ ହସପିଟାଲରେ ଏହି ସୁବିଧା ଉପଲବ୍ଧ ହେଉଥିବା ବେଳେ ୨୦୧୫-୧୬ ବର୍ଷରେ ପୁରୀ , କେନ୍ଦ୍ରାପଡା , ଅନୁଗୋଳ , ମୟୁରଭଞ୍ଜ , କଳାହାଣ୍ଡି , ଖୋର୍ଦ୍ଧା , କଟକ , ସୁନ୍ଦରଗଡ , ଗଞ୍ଜାମ ଏବଂ ରାୟଗଡା ଭଳି ୧୦ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ଏଥି ପାଇଁ ଏଠାକାର ୪ଜଣ ଡାକ୍ତର , ୨ଜଣ ଷ୍ଟାଫ୍ନର୍ସ ଏବଂ ୨ଜଣ ଟେକ୍ନିସିଆନଙ୍କୁ ସ୍ୱତନ୍ତ୍ର ଭାବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ତାଲିମ୍ ପ୍ରଦାନ କରାଯାଇଛି । କ୍ୟାପିଟାଲ ହସପିଟାଲ ବର୍ହି ବିଭାଗକୁ ପ୍ରତି ଦିନ ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ରୋଗୀ ଚିକିତ୍ସା ପାଇଁ ଆସିଥାଆନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଯେଉଁମାନଙ୍କୁ ସନେ୍ଦହ କରାଯିବ ସେମାନଙ୍କୁ ଏହି ଶାଖାରେ ଅଧିକ ପରୀକ୍ଷା କରାଯାଇ ରୋଗ ନିରୂପଣ କରାଯିବ ଏବଂ ଆବଶ୍ୟକ ପରାମର୍ଶ ଦିଆଯିବ ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଚିକିତ୍ସା ନିମନ୍ତେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ରେଫର କରାଯିବ । ଖୁବ୍ଶୀଘ୍ର ଏଠାରେ ଦିନ ସମୟରେ କେମୋଥେରାପି ସୁବିଧା ଉପଲବ୍ଧ ହେବ ।
ଏଠାରେ ଉଲ୍ଲେଖ କରାଯାଇପାରେ କି ରାଜ୍ୟରେ ମୁଖଗହ୍ୱର , ବ୍ରେଷ୍ଟ ଏବଂ ସେରଭିକ୍ସ ଭଳି କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ପ୍ରାୟ ୩ ରୁ ୪ ଲକ୍ଷ କର୍କଟ ରୋଗୀ ଥିବା ବେଳେ ପ୍ରତି ବର୍ଷ ୫୦ ରୁ ୬୦ ହଜାର ନୂତନ ରୋଗୀ ଚିହ୍ନଟ ହେଉଛନ୍ତି ଏବଂ ପାଖାପାଖି ୧୦ ରୁ ୧୫ ହଜାର ମୃତ୍ୟୁବରଣ କରୁଛନ୍ତି । ସାଧାରଣ ଭାବେ କର୍କଟ ଆକ୍ରାନ୍ତ ମାନେ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ଯାଇ ଚିହ୍ନଟ ହେବା ବେଳକୁ ସେମାନଙ୍କୁ ରୋଗ ପ୍ରାୟତଃ ସମ୍ପୂର୍ଣ୍ଣ ଗ୍ରାସ କରିସାରିଥାଏ । ଫଳରେ ଚିକିତ୍ସା ବ୍ୟୟବହୁଳ ହେବା ସାଙ୍ଗକୁ ଆରୋଗ୍ୟ ସମ୍ଭାବନା ବହୁତକମ୍ ଥାଏ । ବର୍ତମାନ ଜିଲ୍ଲା ମାନଙ୍କରେ ପ୍ରାଥମିକ ସ୍ତରରୁ ଚିହ୍ନଟ କରାଯାଇ ଆବଶ୍ୟକ ପାରମର୍ଶ ଆଦି ବ୍ୟବସ୍ଥା ଦ୍ୱାରା କର୍କଟ ଶିର୍ଶ କେନ୍ଦ୍ର ଏ.ଏଚ୍.ଆର୍.ସି.ସି ରେ ରୋଗୀଙ୍କ ଭିଡ ହ୍ରାସ ପାଇାବା ସହ ଚିକିତ୍ସା ବ୍ୟବସ୍ଥାରେ ମଧ୍ୟ ସୁଧାର ଆସି ପାରିବ ଏବଂ କର୍କଟ ଜନିତ ମୃତ୍ୟୁହାର କମ୍ ହୋଇ ପାରିବ ବୋଲି ଜାତୀୟ ଅଣସଂକ୍ରମକ ରୋଗ ନିୟନ୍ତ୍ରଣ ରାଜ୍ୟ ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।
ଆଜିର ଉଦ୍ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା , କ୍ୟାପିଟାଲ ହସପିଟାଲ ନିଦେ୍ର୍ଧଶକ ଡାଃ ବିଶ୍ୱ ଭୂଷଣ ପଟ୍ଟନାୟକ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ସି.ଆର୍.ନାୟକ , ପରିବାର କଲ୍ୟାଣ ନିଦେ୍ର୍ଧଶିକା ଡାଃ ନିର୍ମଳା ଦେଇ , ଅଣ-ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରାଜ୍ୟ ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକ ଏବଂ କ୍ୟାପିଟାଲ ହସପିଟାଲ ଅଧୀକ୍ଷକ ଡାଃ ବିନୋଦ ମିଶ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!