ବିଜେପିର ଆର୍ନ୍ତଜାତୀୟ ମହିଳା ଦିବସ ପାଳନ

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଭୁବନେଶ୍ୱର ମହିଳା ମୋର୍ଚ୍ଚାର ସଭାନେତ୍ରୀ ମୀନାକ୍ଷୀ ପ୍ରିୟଦର୍ଶିନୀଙ୍କ ଅଧକ୍ଷତାରେ ଆଜି ଆର୍ନ୍ତଜାତିକ ମହିଳା ଦିବସ ପାଳନ କରାଯାଇଥିଲା । ଏହି ଉସôବରେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି, ଏକ୍ସଆଇଏମ୍ ଭୁବନେଶ୍ୱରର ପ୍ରଫେସର ସୁରେଶ୍ୱରୀ ପ୍ରସାଦ ଦାସ ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ରୂପେ ରାଜ୍ୟସଭାନେତ୍ରୀ ସୀମନ୍ତିନୀ ଜେନା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଏବଂ ଅନ୍ୟତମ ବକ୍ତାରୁପେ ପ୍ରଭାତୀ ପରିଡା, ଡ. ମୀନକେତନ ପାଢୀ, ରାଜ୍ୟ ଉପସଭାପତି ପୃଥୀରାଜ ହରିଚନ୍ଦନ, ଜଗନ୍ନାଥ ପ୍ରଧାନ, ଅନସୂୟା ସାହୁ, ଉନ୍ନତି ପରିଡା, ମୀନତି ବାରିକ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ତାଙ୍କ ଭାଷଣରେ ଓଡିଶାରେ ମାତୃ ମୃତୁ୍ୟ ଓ ଶିଶୁ ମୃତୁ୍ୟହାରର ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ମହିଳାମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ସଙ୍ଗେସଙ୍ଗେ ରାଜ୍ୟରେ ମହିଳାମାନଙ୍କ ଉପରେ କ୍ରମାଗତ ଭାବେ ଧର୍ଷଣ, ହତ୍ୟା ଓ ନିର୍ଯ୍ୟାତନା ବଢି ଚାଲିଥିବାରୁ ସରକାରଙ୍କ ଅପାରଗତାକୁ ନିନ୍ଦା କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ଦାସ ମହିଳାମାନଙ୍କ ସାମାଜିକ ସ୍ଥିତି ଓ ସାମଗ୍ରିକ ବିକାଶ ଦିଗରେ ତାଙ୍କର ଅବଦାନର ସମୀକ୍ଷା କରି ମହିଳାଙ୍କ ବିକାଶରେ ହିଁ ଦେଶର ଉନ୍ନତି ସମ୍ଭବ ବୋଲି କହିଥିଲେ ।

ସମ୍ମାନନୀୟ ଅତିଥି ଶ୍ରୀମତୀ ପାଢୀ କେନ୍ଦ୍ରସରକାଙ୍କର ମହିଳାମାନଙ୍କ ନିମନ୍ତେ ଉଦ୍ଧିଷ୍ଠ ବିଭିନ୍ନ ସ୍ୱତନ୍ତ୍ର ଯୋଜନାର ଅବତାରଣା କରିବା ସହିତ ସେମାନେ ଏହାର ସଦୁପଯୋଗ କରି ନିଜର ତଥା ଦେଶର ବିକାଶରେ ସହାୟକ ହେବାକୁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଶ୍ରୀମତୀ ପରିଡା ସୁକନ୍ୟା ସମୃଦ୍ଧି ଯୋଜନା ଓ ବେଟି ବଚାଓ ବେଟୀ ପଢାଓ ଯୋଜନା ଇତ୍ୟାଦିର ଉଲ୍ଲେଖ କରି ମହିଳାଙ୍କ ବିକାଶରେ ମୋଦୀଙ୍କର ଏହି ଯୋଜନା ସହାୟକ ହେବ ବୋଲି କହିଥିଲେ । ସମାରୋପ୍ୟ ଅଧିବେଶନରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସୀମନ୍ତିନୀ ଜେନା, ମହିଳା ବିକାଶ ନାମରେ ମହିଳାମାନଙ୍କ ସୁରକ୍ଷା ଦିଗରେ ନବୀନ ସରକାର କିପରି ଅପାରଗ ତାହା ଦର୍ଶାଇଥିଲେ ।

ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମାଜ କଲ୍ୟାଣ ବିଭାଗଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ୪ ଜଣ ନାବାଳିକା ମା’ ହେବାଟା ଏ ସରକାରରେ ମହିଳା ବିକାଶ ବୋଲି କହିଥିଲେ । ଯେଉଁ ବୟସରରେ ଝିଅମାନେ ହସିଖେଳି କଟାଇବା କଥା ସେହି ସମୟରେ ୪ ଜଣ ଝିଅ ଦୁଷ୍କର୍ମର ଶୀକାର ହୋଇ ମା’ ହୋଇଥିବାରୁ ଆଜି ଦିବସଟି ଓଡିଶା ପାଇଁ କଳାଦିବସ ବୋଲି କହିଥିଲେ । ସଭା ଶେଷରେ ଅନସୂୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉସôବ ପରିଚାଳନାରେ ଉନ୍ନତି ପରିଡା, ଶାନ୍ତିଲତା ସେଠୀ, ମୀନାକୁମାରୀ ସେଠୀ, ଲକ୍ଷ୍ମୀପ୍ରିୟା ମିଶ୍ର ଓ ରୂପାଲି ମଧୁସ୍ମିତା ପ୍ରମୁଖ ସହଯୋଗ କରିଥିଲେ । ଭୁବନେଶ୍ୱରର ଶତାଧିକ ମହିଳା ଏହି ଉସôବରେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME