ବିଜେଡିର ରକ୍ତଦାନ କାର୍ଯ୍ୟକ୍ରମ “ଜୀବନବିନ୍ଦୁର” ଶୁଭାରମ୍ଭ

jibanbinduବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ “ଜୀବନବିନ୍ଦୁର” ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ଶିବିର ଦ୍ୱାରା ରକ୍ତ ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କୁ ଦିଆଯିବ । ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଏହାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ଅବସରରେ ମନ୍ତ୍ରୀ ପରିଷଦର ବହୁ ସଦସ୍ୟ, ବିଧାୟକ, ସାଂସଦ ଓ ବିଜେଡି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ ଯେ, ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ ବିଭିନ୍ନ ସମୟରେ ରକ୍ତ ଆବଶ୍ୟକ କରିଥାନ୍ତି । ଏଥିପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ହେବା ଦରକାର । ରାଜ୍ୟରେ ବାର୍ଷିକ ପ୍ରାୟ ୪.୨ ଲକ୍ଷ ୟୁନିଟ ରକ୍ତର ଆବଶ୍ୟକତା ରହୁଛି । ଏହି ଆବଶ୍ୟକତା ପୂରଣ କରିବାକୁ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ସାରା ରାଜ୍ୟରେ କରାଯିବ । ବିଶେଷକରି ମାର୍ଚ୍ଚ ମାସରୁ ଜୁନ ମାସ ମଧ୍ୟରେ ପ୍ରାୟତଃ ରକ୍ତର ଉକ୍ରଟ ଅଭାବ ଦେଖାଦେଇଥାଏ । ତେଣୁ ଏହି ସମୟ ମଧ୍ୟରେ ବିଜେଡି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜନ କରି ଏହି ଆବଶ୍ୟକତାକୁ ପୂରଣ କରିବ । ସେ କହିଥିଲେ ଯେ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, କେନ୍ଦୁଝର, ସମ୍ବଲପୁର, ବାଲେଶ୍ୱର ଓ ବାରିପଦା ଭଳି ସହରରେ ରକ୍ତର ଆବଶ୍ୟକତା ଅଧିକ ହୋଇଥାଏ । ଏହି ସହରଗୁଡ଼ିକରେ ଉପଲବ୍ଧ ରକ୍ତ ଆବଶ୍ୟକତା ତୁଳନାରେ କମ ଥାଏ । ତେଣୁ ଏହିସବୁ ଜିଲ୍ଲାରେ ପ୍ରତ୍ୟେକ ମାସରେ ବିଜେଡି ଅନ୍ତତଃ ୨ଟି ରକ୍ତଦାନ ଶିବିର ଆୟୋଜନ କରିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ରକ୍ତଦାନ ଶିବିର ଆୟୋଜନ କରିବା ନିମନ୍ତେ ରାଜ୍ୟ ସରକାର ଏକ ନିଦେ୍ର୍ଧଶାବଳୀ ବା ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ରକ୍ତଭଣ୍ଡାରର ସଂରକ୍ଷଣ ସୁବିଧାକୁ ଦୃଷ୍ଟିରେ ରଖି ଏହିସବୁ ଶିବିରରେ ରକ୍ତଦାନ କରାଯିବ । ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ବିଜେଡିର ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିମାନ ରହିବ । ଏ କ୍ଷେତ୍ରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ସଂସ୍ଥା ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି ।
ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ପାଳନ ହେବାକୁ ଯାଉଥିବାବେଳେ ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାରୁ ଏହା ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ , ବିଜୁ ଜନତା ଦଳ ତାର ସାମାଜିକ ଦାୟୀତ୍ୱ ଓ କର୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ ଜୀବନ ପାଇଁ ବୁନ୍ଦାଏ ,ଏହି ଜୀବନବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବ । ସମାରୋହରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଦେବାଶିଷ ସାମନ୍ତରାୟ, ପି୍ରୟଦର୍ଶୀ ମିଶ୍ର, ବ୍ୟୋମକେଶ ରାୟ, ପ୍ରଭାତ ବିଶ୍ୱାଳ, ଆକାଶ ଦାସ ନାୟକ, ସମୀର ଦାସ, ବିଧାୟିକା ପ୍ରମିଳା ମଲ୍ଲିକ, ଜୀବନ ପ୍ରଦୀପ ଦାସ, ବିଜୟ ମହାନ୍ତି, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ମୁକ୍ତିକାନ୍ତ ମଣ୍ଡଳ, ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!