ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର

dharmendra1ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ରେଳ ବଜେଟ୍ରୁ ନେଇ ସାଧାରଣ ବଜେଟ୍ ଓ ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଓଡ଼ିଶା ବହୁ ଲାଭବାନ ହେବ । କେନ୍ଦ୍ର ସରକାର କୋଇଲା ଓ ଖଣି ନିଲାମ ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହାଦ୍ୱାରା ମଧ୍ୟ ରାଜ୍ୟ ଲାଭବାନ ହୋଇପାରିବ । ତେବେ ରାଜ୍ୟ ସରକାର ଅନେକ ସମୟରେ ଦାବିକୁ ନେଇ ରାଜନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଦାବି ଜଣାଇବା ପୂର୍ବରୁ ପ୍ରଥମେ ତାହାକୁ ଗଣମାଧ୍ୟମକୁ ଦିଆଯାଉଛି । ସଂଘୀୟ ବ୍ୟବସ୍ଥା ଦୃଷ୍ଟିରୁ ଏହା ଠିକ୍ ନୁହେଁ । ମୁଖ୍ୟମନ୍ତ୍ରୀ ଏଭଳି ଅଭ୍ୟାସ ଛାଡ଼ି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରିବା ଦରକାର ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ଭୃଗୁ ବକ୍ସିପାତ୍ର, ମୁଖପାତ୍ର ସମୀର ମହାନ୍ତି ଓ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।
କେନ୍ଦ୍ର ପେଟ୍ରୋଲିୟମ୍ ଓ ରସାୟନମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେଯେ, ମୋଦି ସରକାର ତାଙ୍କର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ରେ ଦେଶର ସବୁ ରାଜ୍ୟର ଆବଶ୍ୟକତାକୁ ଆଖିଆଗରେ ରଖି ବଜେଟ୍ ପ୍ରସ୍ତୁତ କରିଛନ୍ତି । ୨୦୧୫-୧୬ ଆର୍ଥିକ ବର୍ଷ ହେଉଛି ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ପ୍ରଥମ ବର୍ଷ । ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶ୍କୁ ଗ୍ରହଣ କରି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଅଧିକ ଆର୍ଥିକ କ୍ଷମତା ଓ ଅନୁଦାନ ପ୍ରଦାନ କରିଛନ୍ତି । ଫଳରେ ରାଜ୍ୟର ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାରମାନେ ନିଜ ନିଜର ଯୋଜନା ପ୍ରସ୍ତୁତ କରିପାରିବେ । କୋଇଲା ଓ ଅନ୍ୟ ଖଣି ଲିଜ୍ ନିଲାମ ମାଧ୍ୟମରେ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଆଉ ସବୁଠାରୁ ବଡ଼ କଥା ହେଉଛି, ନିଲାମର ଶତ ପ୍ରତିଶତ ଲାଭାଂଶ ଅର୍ଥ ସିଧାସଳଖ ରାଜ୍ୟ ସରକାରମାନଙ୍କୁ ମିଳିବ । ଏହାଦ୍ୱାରା ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ବେଶ୍ ଲାଭବାନ ହୋଇପାରିବେ । କେନ୍ଦ୍ରୀୟ ଟିକସ ଅଂଶରେ ରାଜ୍ୟର ଭାଗ ପୂର୍ବରୁ ୩୨% ଥିବାବେଳେ ଏବେ ତାହା ୪୨%କୁ ବୃଦ୍ଧି ପାଇଛି । ଗ୍ରାମପଂଚାୟତ ଓ ପୌର ପରିଷଦଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଅଧିକ ଅର୍ଥର ପ୍ରାବଧାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଏତଦବ୍ୟତୀତ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ନୂତନ ଧରଣର ରେଳ ବଜେଟ୍ ଉପସ୍ଥାପନ କରାଯାଇଛି । ବଜେଟ୍ ପରିମାଣ ୫୨% ବଢ଼ିଛି । ବନ୍ଦ ଥିବା ବା ଚାଲିଥିବା ପ୍ରକଳ୍ପଗୁଡ଼ିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅଧିକ ବ୍ୟୟବରାଦ ହୋଇଛି । ସାରା ଭାରତରେ ପ୍ରଥମ ଥର ପାଇଁ ୯ ହଜାର ଆରଓବି କରିବାକୁ ବଜେଟ୍ରେ ପ୍ରାବଧାନ କରାଯାଇଛି । ଏତଦବ୍ୟତୀତ ଯାତ୍ରୀମାନଙ୍କ ସୁବିଧା, ରେଳ ଲାଇନ୍ ଡବଲିଂ, ଟ୍ରିପଲିଂ ୂଓ ଯାତ୍ରୀ ସୁରକ୍ଷା ଦିଗରେ ଯଥେଷ୍ଟ ଗୁରୁତ୍ୱାରୋପ କରାଯାଇଛି ।
୨୦୧୫-୧୬ ଆର୍ଥିକ ବର୍ଷ ସଂଘୀୟ ବ୍ୟବସ୍ଥା ପାଇଁ ଏକ ସୁବର୍ଣ୍ଣ ବର୍ଷ ହୋଇଥିବାବେଳେ ସହଯୋଗଭିତିକ ସଂଘୀୟ ବ୍ୟବସ୍ଥାର ଅୟମାରମ୍ଭ କରାଯାଇଛି । ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ହେବାକୁ ଯାଉଥିବାବେଳେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ବାସହୀନଲୋକଙ୍କୁ ପକ୍କାଘର, ସବୁ ଘରକୁ ବିଜୁଳି, ସବୁ ଗାଁକୁ ରାସ୍ତା, ଚିକିତ୍ସା ବ୍ୟବସ୍ଥା ଓ ପାନୀୟ ଜଳର ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନାରେ ଜଳସେଚନ ନେଟୱାର୍କ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଦୀନଦୟାଲ ଜ୍ୟୋତି ଯୋଜନାରେ ବିଜୁଳି ଯୋଗାଣ କରାଯିବ । ଏବେ ସରକାରୀ ଓ କମ୍ପାନୀ କର୍ମଚାରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ଜରିଆରେ ପେନସନ୍ ଦିଆଯାଉଥିଲା । କିନ୍ତୁ ଅଟଳ ପେନସନ୍ ଯୋଜନାରେ ସାଧାରଣ ବ୍ୟକ୍ତିଟିଏ ବର୍ଷକୁ ୧ ହଜାର ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ୍ ପ୍ରଦାନ କଲେ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା ହୋଇଛି । ସେହିପରି ବର୍ଷକୁ ୧୨ ଟଙ୍କା ଲେଖାଏଁ ପ୍ରଦାନ କଲେ ୨ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ମଧ୍ୟ ମିଳିପାରିବ । କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସକାଶେ ସ୍ୱତନ୍ତ୍ର ବ୍ୟାଙ୍କର ବ୍ୟବସ୍ଥା କରାଯିବା ସହ ଅର୍ଥର ମଧ୍ୟ ପ୍ରାବଧାନ ହୋଇଛି । ଯୁବକଯୁବତୀମାନଙ୍କୁ ବ୍ୟବସାୟ ବା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରାରମ୍ଭିକ ପୁଞ୍ଜି ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଋଣକୁ ମଧ ସରଳୀକରଣ କରାଯାଇଛି । କେନ୍ଦ୍ର ସରକାର ଭିତିଭୂମିକୁ ଅଧିକ ଗୁରୁତ୍ୱ ଦେଇଥିବାବେଳେ ଏକ୍ଷେତ୍ରରେ ୮.୫ ଲକ୍ଷ କୋଟି ନିବେଶ କରିବାର ଲକ୍ଷ୍ୟ ରଖିଛନ୍ତି । ଯାହାଦ୍ୱାରା ଓଡ଼ିଶାର ମଧ୍ୟ ଭିତିଭୂମି ବିକାଶ ହୋଇପାରିବ । ଓଡ଼ିଶାକୁ ଚଳିତ ବଜେଟ୍ରେ ଆଇଆଇଏମ୍ ଦିଆଯାଇଥିବାବେଳେ ଆଗାମୀ ବଜେଟ୍ରେ ଆଇଏସଇଆର ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି ।ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେଯେ, ତ୍ରୟୋଦଶ ଅର୍ଥ କମିଶନବେଳେ ଓଡ଼ିଶାକୁ ବାର୍ଷିକ ୧୬୬୩୦ କୋଟି ଟଙ୍କା ମିଳୁଥିବାବେଳେ ଏଣିକି ରାଜ୍ୟକୁ ୨୪୪୧୬ କୋଟି ଟଙ୍କା ମିଳିବ । ଫଳରେ ରାଜ୍ୟ ଅଧିକ ୮ ହଜାର କୋଟି ଟଙ୍କାର ରାଜସ୍ୱ ପାଇବ । ଏହାଛଡ଼ା କୋଇଲା ଓ ଅନ୍ୟ ଖଣି ନିଲାମରୁ ରାଜ୍ୟ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇପାରିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । ପଶ୍ଚିମବଙ୍ଗ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଥିବାବେଳେ ଓଡ଼ିଶାକୁ କାହିଁକି ଦିଆଯାଇନାହିଁ ତାହାର ଉତରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେଯେ, ମୋଦି ସରକାର ପୂର୍ବାଂଚଳର ବିକାଶ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି । ଖଣି ନିଲାମ ଜରିଆରେ ଛତିଶଗଡ଼, ଝାରଖଣ୍ଡ ଓ ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ହଜାର ହଜାର କୋଟିର ଅର୍ଥ ପାଇବେ । ତେବେ ପଶ୍ଚିମବଙ୍ଗ ଓ ବିହାର ଖଣି ନିଲାମରୁ ଅଧିକ ଅର୍ଥ ପାଇବାର ନଥିବାରୁ ସେହି ରାଜ୍ୟଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯାଇଛି । ନବକଳେବର ପାଇଁ ସ୍ୱତନ୍ତ୍ର ଅନୁଦାନ ନମିଳିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ସେ କହିଲେଯେ, ନବକଳେବର ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବ ଦୁଇ ଦୁଇ ଥର ସମୀକ୍ଷା ବୈଠକ କରିଛନ୍ତି । ତେବେ ଏହା ଏକ ଧାର୍ମିକ ବିଶ୍ୱାସର ପ୍ରସଙ୍ଗ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି । ନିକଟରେ ଗଜପତି ମହାରାଜା ପ୍ରଧାନମନ୍ତ୍ରୀଙ୍କ ସହ ଭେଟି ମଧ୍ୟ ଏନେଇ ଆଲୋଚନା କରିଛନ୍ତି । ନବକଳେବର ପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଧାନ କରିବେ ବୋଲି ସେ କହିଥିଲେ । ସେହିପରି ରାଜ୍ୟ ସରକାର କେନ୍ଦ୍ର କିଛି ଦେଉନାହିଁ ବୋଲି ରାଜନୀତି କରୁଥିବାବେଳେ ଓଡ଼ିଶାରେ ୪୨ ହଜାର ସ୍କୁଲ୍ରେ ଶୌଚାଳୟ ସ୍ଥାପନ କରିବା ପାଇଁ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ସିଏସଆର ଅନୁଦାନ ଜରିଆରେ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କେବେବି ରାଜ୍ୟ ସରକାର ଏ ବିଷୟରେ ପଦୁଟିଏ ବି କହିନାହାନ୍ତି । ସେହିପରି ଓଡ଼ିଶାରେ ମଧ୍ୟ ୟୁଏମପିପି ପ୍ରକଳ୍ପ ହେବବୋଲି ସେ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେଯେ, ଓଡ଼ିଶା ସରକାର ଦାବିକୁ ନେଇ ରାଜନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀ ଚିଠି ପାଇବା ପୂର୍ବରୁ ଗଣମାଧ୍ୟମକୁ ଚିଠି ମିଳୁଛି । ମୁଖ୍ୟମନ୍ତ୍ରୀ ଏଭଳି ଅଭ୍ୟାସ ଛାଡ଼ନ୍ତୁ ବୋଲି ସେ କହିଥିଲେ ।

Share in top social networks!