ମଧ୍ୟ ଭୁବନେଶ୍ୱରରୁ ସକ୍ରିୟ ସଭ୍ୟ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେପିର ସ୍ୱତନ୍ତ୍ର ସଦସ୍ୟତା ସଂଗ୍ରହ ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ସକ୍ରିୟ ସଭ୍ୟ ହୋଇଛନ୍ତି । ଏନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସଭାପତିତ୍ୱରେ ବିଏମସି ୱାର୍ଡ଼ ନମ୍ବର ୩୧ ବମିଖାଲ ଦୁର୍ଗାମଣ୍ଡପ ପଡ଼ିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଶତାଧିକ ବ୍ୟକ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳର ପ୍ରାଥମିକ ସଦସ୍ୟ କରାଇଥିଲେ ।

ମୋବାଇଲ୍ ଟୋଲଫ୍ରି ନମ୍ବର ମାଧ୍ୟମରେ ସଭ୍ୟ କରାଯାଇଥିଲା । ଏଥିରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସଦସ୍ୟତା ଗ୍ରହଣ କରିଥିଲେ । ଏହି ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଲେଯେ, କେନ୍ଦ୍ରରେ ଚାଲୁଥିବା ସରକାର ଗରିବ ଓ ଅବହେଳିତଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କର ଯେଉଁ ସ୍ନେହ, ଶ୍ରଦ୍ଧା ଓ ସମର୍ଥନର ସୁଧ ମୂଳ ପରିଶୋଧ କରିବାର କଥା ପ୍ରକାଶ କରିଥିଲେ ତାହା ରେଳ ବଜେଟ୍ ଓ ସାଧାରଣ ବଜେଟ୍ରେ ପ୍ରତିଫଳିତ ହୋଇଛି ।

ସେ କହିଲେଯେ, ଓଡ଼ିଶାରେ ସଦସ୍ୟ ସଂଖ୍ୟା ୧୫ ଲକ୍ଷ ଟପିଯାଇଛି । ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଦୃଢ଼ ଭାବେ ଗଠନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ଜନହିତୈଷୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ କାର୍ଯ୍ୟକର୍ତାମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅଗଷ୍ଟ ୧୫ରେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷର ଜନସାଧାରଣଙ୍କ ପାଇଁ ଜନଧନ ଯୋଜନା ମାଧ୍ୟମରେ ବ୍ୟାଙ୍କ ଖାତା ଖୋଲିବାର ଯେଉଁ ଘୋଷଣା କରିଥିଲେ ତାହା ଏବେ ୧୨ କୋଟିରେ ପହଁଚିସାରିଛି । ମୋଦି ସରକାର ପ୍ରଚାରରେ ନୁହେଁ କାର୍ଯ୍ୟ ଓ ବାସ୍ତବ ରୂପାୟନରେ ବିଶ୍ୱାସ କରନ୍ତି ବୋଲି ସେ କହିବା ସହ ଓଡ଼ିଶାର ଜନସାଧାରଣ ଏହାଦ୍ୱାରା ବେଶ୍ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ସଶକ୍ତ ଭାରତ ଗଠନ ପାଇଁ ବିଜେପିକୁ ଶକ୍ତିଶାଳୀ କରିବା ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରୁ ଏକ ବିଶାଳ ମୋଟର ସାଇକେଲ୍ ରାଲିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବମିଖାଲ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା । ଏଥିରେ ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ଏବଂ ବିଜେପିର କର୍ମୀମାନେ ସାମିଲ୍ କରିଥିଲେ । ଉକ୍ତ ସଭାରେ ବିଜେପି ମୁଖପାତ୍ର ସମୀର ମହାନ୍ତି, ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମହାନ୍ତି, ରତିକାନ୍ତ ଦାସ, ହରେକୃଷ୍ଣ ଖୁଂଟିଆ, କାଳୀଚରଣ ମିଶ୍ର, ସୁଶାନ୍ତ ଜେନା, କର୍ପୋରେଟର ସୁରେଶ ଜେନା, ପୂର୍ବତନ କର୍ପୋରେଟର ସଂଯୁକ୍ତା ନାୟକ, ଶ୍ୟାମସୁନ୍ଦର ଜେନା, ପ୍ରଦୁ୍ୟମ୍ନ ଜେନା, ଆଡ଼ଭୋକେଟ ଜିତେନ୍ଦ୍ର ନାୟକ, ଅଭିନେତ୍ରୀ ପିଙ୍କି ପ୍ରଧାନ, ପୂର୍ବତନ ବିଧାୟକ ଜିତୁ ମିତ୍ର, ନିରଂଜନ ମିଶ୍ର, ଯୁବମୋର୍ଚ୍ଚା ସଭାପତି ବିଶ୍ୱରଂଜନ ବଡ଼ଜେନା, ବିଭାସ ସେନଗୁପ୍ତା, ଅଧିରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପର୍ଶୁରାମ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳିଙ୍ଗ ୟୁଥ୍ ଆସୋସିଏସନ୍ ପକ୍ଷରୁ କାଶ୍ମୀର ବନ୍ୟା ଦୁର୍ଗତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

Share in top social networks!