ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ସକ୍ରିୟ ସଭ୍ୟ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେପିର ସକ୍ରିୟ ସଭ୍ୟ ହେବେ । ଏନେଇ ଆସନ୍ତା ମାର୍ଚ୍ଚ ୧, ଅପରାହ୍ନ ୧୦ଟା ୩୦ରେ ବମିଖାଲ ଦୁର୍ଗାମଣ୍ଡପ ପଡ଼ିଆରେ ଏକ ସ୍ୱତନ୍ତ୍ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବିଭିନ୍ନ ଉନ୍ନୟନ ପରିଷଦ, କ୍ଲବ, ଯୁବକ ସଂଘ, ମହିଳା ସମିତି, ବ୍ୟବସାୟିକ ସଂଘଙ୍କ ଠାରୁ ଆରମ୍ଭ କରି ବସ୍ତିବାସିନ୍ଦା ମୁଖିଆମାନେ ଏହି କାର୍ଯ୍ୟକ୍ରମରେ ବହୁଳ ସଂଖ୍ୟାରେ ଯୋଗଦେବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଲଢ଼ିଥିବା ଜଗନ୍ନାଥ ପ୍ରଧାନ ଅନୁରୋଧ କରିଛନ୍ତି ।
ସାରା ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଯୁବଗୋଷ୍ଠୀ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି । ବିଜେପିର ସଭ୍ୟ ହେବା ପାଇଁ ସାଧାରଣରେ ଆଗ୍ରହ ପ୍ରକାଶ ପାଇଛି । ସଶକ୍ତ ଭାରତ, ଶ୍ରେଷ୍ଠ ଭାରତ ଓ ସ୍ୱଚ୍ଛ ଭାରତ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!