‘ଫଳକ ରାଜନୀତି ଛାଡ଼ି ବିକାଶ ରାଜନୀତି କରନ୍ତୁ ମୁଖ୍ୟମନ୍ତ୍ରୀ’; ବିଜେପି ନେତାଙ୍କ ଗିରଫଦାରୀକୁ ନିନ୍ଦା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶିଳାନ୍ୟାସ ରାଜନୀତି ନିଶା ଘାରିଛି । ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ମାଧ୍ୟମରେ ବିକାଶର ଭେଳିକି ଦେଖାଯାଉଛି । କିନ୍ତୁ ବାସ୍ତବରେ ତାହା ପ୍ରତିଫଳିତ ହେଉନାହିଁ । ୨୦୦୮ରେ ଯେଉଁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ ଆଜି ପର୍ଯ୍ୟନ୍ତ ସେଥିରେ ମାଟି ଗାଣ୍ଡୁଏ ପଡ଼ିନଥିବାବେଳେ ଆଜି ପୁଣି ସେହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅପରପକ୍ଷରେ ଗଣତାନ୍ତ୍ରିକ ପଦ୍ଧତିରେ ଏହାର ପ୍ରତିବାଦ କରିବା ସହ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ସ୍ମାରକ ପତ୍ର ଦେବାକୁ ଚାହୁଁଥିବା ବିଜେପି ନେତାଙ୍କୁ ସରକାର ଯେଉଁଭଳି ଭାବେ ଆଚରଣ ପ୍ରଦର୍ଶନ କରି ଗିରଫ କରିଛନ୍ତି ତାହାକୁ ରାଜ୍ୟ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ଏଭଳି ଫଳକ ରାଜନୀତି ଛାଡ଼ି ବିକାଶ ରାଜନୀତି କରନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଏସମ୍ପର୍କରେ ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତିଯେ, ୨୦୦୬ରେ ଧନକୋଡ଼ା ବ୍ଲକ୍ର କୁଦଗୁଣ୍ଡେରପୁରଠାରେ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ତକôାଳୀନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ଶିଳାନ୍ୟାସ କରିଥିଲେ । ପରେ ୨୦୦୮ରେ ଖୋଦ୍ ମୁଖ୍ୟମନ୍ତ୍ରୀ ଯାଇ ଉକ୍ତ ପ୍ରକଳ୍ପର ପୁନଶ୍ଚ ଶିଳାନ୍ୟାସ କରିଥିଲେ । ଇତିମଧ୍ୟରେ ୭ ବର୍ଷ ବିତିଗଲାଣି । କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଧାପେ ବି ଆଗେଇ ନାହିଁ । ଅପରପକ୍ଷରେ ପୁନଶ୍ଚ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଫଳକ ରାଜନୀତି ଛଡ଼ା ମୁଖ୍ୟମନ୍ତ୍ରୀ ଆଉ କିଛି ଜାଣିନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେ କହିଛନ୍ତିଯେ, ଆଜି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ଓ ସମ୍ବଲପୁର ଜିଲା ସଭାପତି ନାଉରୀ ନାଏକଙ୍କ ନେତୃତ୍ୱରେ ଶହଶହ ଲୋକ ଗଣତାନ୍ତ୍ରିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ ଆଚରଣର ପ୍ରତିବାଦ କରିବା ସହ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ କରିବା ଦାବିରେ ସ୍ମାରକପତ୍ର ଦେବାକୁ ଚାହିଁଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ପୁଲିସ୍ ପ୍ରଶାସନ ଶହଶହ ଲୋକଙ୍କ ଗଣତାନ୍ତ୍ରିକ ଦାବିକୁ ଚପେଇ ଦେବା ସହ ସେମାନଙ୍କୁ ଗିରଫ କରିଛି । ଏହା ଗଣତନ୍ତ୍ର ପ୍ରତି ଉପହାସ ବୋଲି ଶ୍ରୀ ମହାନ୍ତି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜୟ ନାରାୟଣ ମିଶ୍ରଙ୍କୁ ଗିରଫ କରିବା ବିଜେଡ଼ିର ଏକ ପରମ୍ପରାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।

Share in top social networks!